ଭୁୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ ବି ଘଟଣାବହୁଳ ଥିଲା । ସେ ପଢ଼ିଥିବା ୟୁନିଟ୍-୨ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ଏବଂ ହଷ୍ଟେଲ ପରିଦର୍ଶନ କରି ନିଜର ଅଭୁଲା ସ୍ମୃତି ସାଉଁଟିଥିଲେ ରାଷ୍ଟ୍ରପତି । ସେମିତି ଖଣ୍ଡଗିରି ତପୋବନ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଶେଷରେ ଜୟଦେବଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟପୁସ୍ତକର ଉନ୍ମୋଚନ କରିଥିଲେ ।

ଆଜି ସକାଳେ ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ । ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ମନଖୋଲା କଥା ହୋଇଥିଲେ । ବିଭିନ୍ନ ପିଲାଙ୍କ ନାମଲେଖା କାମରେ ପୂର୍ବରୁ ଅନେକ ଥର ସେ ଏହି ସ୍କୁଲକୁ ଆସିଥିବା ମନେ ପକାଇଥିଲେ । ସ୍କୁଲରେ ମାତ୍ର ୧୫ ମିନିଟ୍ ର ରହଣୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପିଲାଙ୍କୁ ଉତ୍ତମ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।
ରାଷ୍ଟ୍ରପତି କହିଥିଲେ, ମୋର କେହି ରୋଲ୍ ମଡେଲ ନ ଥିଲେ । ମୋ ଜେଜେମା ଥିଲେ ମୋ ପାଇଁ ସବୁ କିଛି । ମୁଁ ତାଙ୍କୁ ଦେଖି ଦେଖି ଛୋଟରୁ ବଡ଼ ହୋଇଛି । ଜେଜେମାଙ୍କଠାରୁ ସାହାସ ଓ ସେବା ଗୁଣ ଶିଖିଛି । ପରିସ୍ଥିତି ନୁହେଁ, ଜୀବନର ଲକ୍ଷ୍ୟ ମଜବୁତ୍ ହେବା ଦରକାର । ଆମେ ଯାହା ହେବାକୁ ଚାହୁଁଛୁ ତାକୁ ନିଜର ଲକ୍ଷ୍ୟ କରିନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ ।

ତପୋବନ ହାଇସ୍କୁଲରୁ ରାଷ୍ଟ୍ରପତି ସିଧା ଆସିଥିଲେ ନିଜେ ପଢ଼ିଥିବା ୟୁନିଟ୍-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ । ବିଦ୍ୟାଳୟ ପରିସରକୁ ପ୍ରବେଶ କଲା ବେଳେ ରାଷ୍ଟ୍ରପତି ଭାବବିହ୍ୱଳ ହୋଇପଡ଼ିଥିଲେ । ସ୍କୁଲ ଛାତ୍ରୀମାନଙ୍କ ସହ ଆଳାପ କରିଥିଲେ । ପାଠ ପଢ଼ି ଭଲ ମଣିଷ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କଠାରୁ ଶ୍ରଦ୍ଧାର ଉପହାର ଗ୍ରହଣ କରିବା ସହ ମେଳରେ ଫଟୋ ଉଠାଇଥିଲେ । ଏହି ଅବସରରେ ନିଜର ୧୩ ଜଣ ସ୍କୁଲ ସହପାଠୀଙ୍କୁ ଭେଟିଥିଲେ ରାଷ୍ଟ୍ରପତି । କଥା ହୋଇଥିଲେ, ଫଟୋ ଉଠାଇଥିଲେ ।

ଏହା ପରେ ଛାତ୍ରାବସ୍ଥାରେ ସେ ରହୁଥିବା କୁନ୍ତଳା କୁମାରୀ ସାବତ ହଷ୍ଟେଲର ତୁଳସୀ ମୁଣ୍ଡା କକ୍ଷକୁ ଯାଇଥିଲେ । ୩ ବର୍ଷ ଧରି ଯେଉଁ ଖଟରେ ଶୋଉଥିଲେ ସେହି ଖଟରେ କିଛି ସମୟ ପାଇଁ ବସିଥିଲେ । ଏହି ଖଟଟି ଆଜି ଯାଏଁ ସାଇତା ହୋଇ ରହିଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ପୁରୁଣା ଫଟୋକୁ ଦେଖି ଖୁସି ହୋଇଥିଲେ । ଏହାପରେ ହଷ୍ଟେଲ କ୍ୟାମ୍ପସରେ ରାଷ୍ଟ୍ରପତି ବଉଳ ଗଛ ଲଗାଇଥିଲେ । ସ୍କୁଲ ରେଜିଷ୍ଟରରେ ରାଷ୍ଟ୍ରପତି ଲେଖିଛନ୍ତି..







