ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ୍ ଯାଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ଆଜି ଜାମିନ ମିଳିଛି । ଭୁବନେଶ୍ୱର ଏସଡିଜେଏମ୍ ଅଦାଲତ ତାଙ୍କୁ ୫୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ଗତ ଶୁକ୍ରବାର ଦିନଠାରୁ ସେ ଝାରପଡ଼ା ଜେଲ୍ ରେ ଥିଲେ ।
ଗତ ୪ ତାରିଖରେ ଖାରବେଳନଗର ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । ଟୁଟୁ ନାୟକ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେଦିନ ଏହାର ଶୁଣାଣି ହୋଇ ନ ଥିଲା । ୬ ତାରିଖ ସୋମବାର ଦିନକୁ ତାଙ୍କର ଜାମିନ ଆବେଦନର ଶୁଣାଣି ଧାର୍ଯ୍ୟ ହେବାରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ତେବେ ସୋମବାର ଦିନ ଶୁଣାଣି ନ ହୋଇ ୮ ତାରିଖକୁ ଘୁଞ୍ଚିଥିଲା । ଏହି ସମୟ ମଧ୍ୟରେ ଟୁଟୁଙ୍କ ଅପଡେଟ୍ କେସ୍ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ ।
ତଦନୁଯାୟୀ ପୁଲିସ ଆଜି କୋର୍ଟରେ ଟୁଟୁ ନାୟକଙ୍କ ଅପଡେଟ୍ କେସ୍ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ କରିଥିଲା । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସ୍ୱସ୍ତି ସିନେମା ହଲ୍ ରେ ଏକ ଓଡ଼ିଆ ଫିଲ୍ମର ପ୍ରମିୟର୍ ସୋ’ ହେଉଥିଲା । ଖବର ସଂଗ୍ରହ ପାଇଁ ଅନ୍ୟ ସାମ୍ବାଦିକଙ୍କ ସହ ‘ଇଟିଭି ଭାରତ’ର ସାମ୍ବାଦିକା ଦେବସ୍ମିତା ରାଉତ ଗେଟ୍ ସାମନାରେ ଛିଡ଼ା ହୋଇଥିଲେ । ସେତେବେଳେ ଅତିଥିମାନେ ଭିତରକୁ ପ୍ରବେଶ କରୁଥିଲେ । ଦେବସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ସେହି ସମୟରେ ପ୍ରଯୋଜକ ଟିଟୁ ନାୟକ ବିନା କାରଣରେ ତାଙ୍କ ପାଖକୁ ଆସି ଗାଲକୁ ଚାପୁଡ଼ା ମାରିଥିଲେ । ଏଥିଯୋଗୁଁ ତାଙ୍କ ହାତରୁ ବୁମ୍ ଏବଂ ମୋବାଇଲ୍ ତଳେ ଖସିପଡ଼ିଥିଲା । ବୁମ୍ ଓ ମୋବାଇଲ୍ ଗୋଟାଉଥିବା ବେଳେ ଟୁଟୁ ନାୟକ ପୁଣି ଥରେ ପଛରୁ ଆସି ତାଙ୍କ ପିଠିକୁ ବାଡ଼େଇବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।
ଖାରବେଳନଗର ଥାନାରେ ଦେବସ୍ମିତା ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି ଘଟଣାକୁ ନେଇ ଟୁଟୁ ନାୟକ ଦୁଃଖପ୍ରକାଶ କରିଥିଲେ ମଧ୍ୟ ଚାରିଆଡୁ ସମାଲୋଚନା ହେବାରୁ ପୁଲିସ ତାଙ୍କ ବିରୋଧରେ ଆଇପିସି ଦଫା ୩୫୪, ୨୯୪, ୩୪୧ଏବଂ ୩୨୩ରେ ମାମଲା ରୁଜୁ କରି ଗିରଫ କରିଥିଲା ।