ଭୁବନେଶ୍ୱର: ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭା ଅଚଳ ହୋଇଯାଇଛି । ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡକୁ ୪୧ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବାରେ କ୍ରାଇମବ୍ରାଞ୍ଚର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ଓ କଂଗ୍ରେସ ଆକ୍ରମଣ କରିଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭା ଚାଲିପାରିନାହିଁ ।
ସକାଳ ସାଢ଼େ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ହୋହଲ୍ଲା ହଟ୍ଟଗୋଳ କରିଥିଲେ । ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ସେମାନେ ପ୍ରଶ୍ନ କରିବା ସହ ହତ୍ୟା ପଛର ଉଦେ୍ଦଶ୍ୟକୁ ସରକାର ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ଏଥିପାଇଁ ସେମାନେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ତାଙ୍କର ଇସ୍ତଫା ଦାବି କରିଥିଲେ । ବିରୋଧୀଙ୍କ ନାରାବାଜି ଯୋଗୁଁ ବାଚସ୍ପତି ବିକ୍ରମ ଆରୁଖ ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଗୃହରେ ଅନୁରୂପ ସ୍ଥିତି ଦେଖାଦେବାରୁ ଗୃହ ଚାଲିବା ସମ୍ଭବ ହୋଇ ନ ଥିଲା ।
ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗଣମାଧ୍ୟମ ଆଗରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି । ମାତ୍ର କ୍ରାଇମବ୍ରାଞ୍ଚ ଏହି ଦିଗକୁ ନ ଯାଇ ମାମଲାକୁ ରଫାଦଫା କରିଦେବାକୁ ବସିଥିବା ସେମାନେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଚେତକ ତାରାପ୍ରସାଦ ବାହିନିପତୀ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଅପାରଗର ଆଖ୍ୟା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ତଦନ୍ତକୁ ଠିକଣା ଦିଗରେ ନେଇ ହତ୍ୟା ଷଡ଼ଯନ୍ତ୍ରର ଗୁମର ନ ଖୋଲିଲା ପର୍ଯ୍ୟନ୍ତ ସେମାନେ ଶାନ୍ତ ପଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଭିମୁଖ୍ୟରୁ ସ୍ପଷ୍ଟ ହେଉଥିଲା ।
ସୂଚନାଯୋଗ୍ୟ, ସମୟ ଗଡ଼ିବା ସହିତ ନବ ଦାସ ହତ୍ୟା ମାମଲାରେ ବିରୋଧୀମାନେ ଷଡ଼ଯନ୍ତ୍ରର ନୂଆ ନୂଆ ଥିଓରୀ ବାହାର କରୁଥିଲା ବେଳେ ଶାସକ ଦଳ ବିଜେଡି ଏହାକୁ କାଉଣ୍ଟର କରି ତଦନ୍ତର ସ୍ୱଚ୍ଛତାକୁ ଦର୍ଶାଇବାକୁ ଚାହୁଁଛନ୍ତି । ଏହାକୁ ନେଇ ବିଧାନସଭା ଓ ବିଧାନସଭା ବାହାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ଏହି ରାଜନୀତି ତାତିରେ କ୍ରାଇମବ୍ରାଞ୍ଚ ତଦନ୍ତର ଥଳକୂଳ ଚାପି ହୋଇଯାଇଛି । ବିରୋଧୀ ଦଳର ସନ୍ଦେହ ମୋଚନ ପାଇଁ କ୍ରାଇମବ୍ରାଞ୍ଚର ତତ୍ପରତା ଦେଖିବାକୁ ମିଳୁନାହିଁ ।
ରାଜନୈତିକ ଦୃଷ୍ଟିକୋଣରୁ ନବ ଦାସ ହତ୍ୟା ମାମଲା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ଏହା ରାଜ୍ୟ ସରକାରଙ୍କ ବିରୋଧରେ ଭଲ ଅସ୍ତ୍ର ହୋଇଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ରଙ୍କ ଆକ୍ରମଣାତ୍ମକ ଭଙ୍ଗୀ ମାମଲାକୁ ଜଟିଳ କରିଦେଇଛି । ଦିବଙ୍ଗତ ନବ ଦାସଙ୍କ ପରିବାର ପକ୍ଷରୁ ତାଙ୍କ ଝିଅ ଦୀପାଳି ଦାସ ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ବିବୃତି ଦେଇଛନ୍ତି । ଏଣୁତେଣୁ ଅଭିଯୋଗ ଆଣି ତାଙ୍କ ବାପାଙ୍କ ଚରିତ୍ର ସଂହାର ନ କରିବାକୁ ନିବେଦନ କରିଛନ୍ତି । ମାତ୍ର ବିରୋଧୀ ଦଳଙ୍କୁ ଏହା ପ୍ରଭାବିତ କରିନାହିଁ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ହତ୍ୟା ମାମଲାକୁ ବ୍ୟକ୍ତିଗତ ସ୍ତରରେ ସୀମିତ ରଖିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି ।