ଭୁବନେଶ୍ୱର: ଖାଲି ସାରୁଅ ନୁହେଁ, ପୁରୀରେ ବି ଜମି ହଡ଼ପ କରିଛନ୍ତି ଜାଗୀ ଓ ବୈଜୟନ୍ତ ପଣ୍ଡା । ସାରୁଅରେ ଦଳିତଙ୍କ ବେଆଇନ ଜମି ହଡ଼ପ କାର୍ଯ୍ୟରେ ପଣ୍ଡା କମ୍ପାନୀର ମୋହରା ହୋଇଥିବା ନିରୀହ ରବୀନ୍ଦ୍ର ସେଠୀ ଆଜି ଏକ ଭିଡ଼ିଓ ବୟାନରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସାରୁଅ ଭଳି ପୁରୀରେ ବି ବେଆଇନ ଜମି ହଡ଼ପ କାର୍ଯ୍ୟରେ ତାଙ୍କୁ ବ୍ୟବହାର କରିଥିବା ଏବେ ସେ ଜାଣିବାକୁ ପାଇଛନ୍ତି । ଦଳିତଙ୍କ ଜମିକୁ ଶାଗମାଛ ଦରରେ କିଣିଥିବା ଜାଗୀ ଓ ବୈଜୟନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସେଠୀ ।
ରବୀନ୍ଦ୍ର ସେଠୀଙ୍କ ବୟାନ
୨୦୦୧ ରୁ ୨୦୧୭ ଯାଏଁ ମୁଁ ଓରଟେଲରେ କାମ କରୁଥିଲି । ସେହି ସମୟରେ ମୋର ଦରମା ଥିଲା ୮ ହଜାର ଟଙ୍କା । ୨୦୧୦ ରେ ଓରଟେଲ ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲାରେ ମୋ ନାଁରେ ଜମି କିଣିଥିଲେ । ସାରୁଅରେ ଦଳିତମାନଙ୍କ ନାଁରେ ଥିବା ଜମିସବୁ ମୋ ନାଁରେ କିଣିବାକୁ ବାଧ୍ୟ କରିଥିଲେ । ମୁଁ ତାଙ୍କ କଥାରେ ରାଜି ନ ହେବାରୁ ସେମାନେ ମୋତେ ଧମକାଇଥିଲେ । ଚାକିରି ଚାଲିଯିବାର ଭୟ ବି ଦେଖାଇଥିଲେ । ତାଙ୍କ ଡରରେ ସେମାନେ ଯେଉଁଠି କହିଲେ ମୁଁ ସେଠି ଦସ୍ତଖତ କରିଥିଲି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଁ ଏ ବିଷୟରେ ଅବଗତ କରାଇଛି । ସାରୁଅରେ ବେଆଇନ ଜମି କାରବାର ନେଇ ଲିଖିତ ଆକାରରେ ଜଣାଇଥିଲି । କାଲି ଜାଣିବାକୁ ପାଇଲି ମୋ ନାଁରେ ପୁରୀରେ ବି ଜାଗା କିଣାହୋଇଛି । ସେମାନେ କେତେବେଳେ କେମିତି ମୋ ନାଁରେ ଜମି କିଣିଛନ୍ତି ମୁଁ ଜାଣିନି । ପୂର୍ବରୁ ଅଭିଯୋଗ କରାଯାଇଥିବା ଜମି ଛଡ଼ା ଅନ୍ୟ ଜାଗାରେ ବି ମୋ ନାଁରେ ଜମି କିଣାହୋଇଛି । ଏବେ ଏସବୁ ଶୁଣି ମୁଁ ଭୟଭୀତ ଅବସ୍ଥାରେ ଅଛି । ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ମୋ ନାଁରେ ଯେଉଁ ବେଆଇନ ଜମି କିଣାଯାଇଛି ସେସବୁ ଗରିବ ଓ ଦଳିତଙ୍କୁ ଫେରାଇ ଦିଆଯାଉ । ଜାଗୀ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ମୁଁ ପ୍ରଶ୍ନ କରିବାକୁ ଚାହେଁ ଯେ ମୋ ଭଳି ନିରୀହଙ୍କୁୁ କାହିଁକି ଆପଣ ମୋହରା କଲେ । ଦଳିତଙ୍କ ଜମିକୁ ଶାଗମାଛ ଦରରେ କିଣିଥିବା ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ?
ଜାଗୀ, ବୈଜୟନ୍ତଙ୍କ ଭାଗ୍ୟ ହାଇକୋର୍ଟରେ
କ୍ରାଇବ୍ରାଞ୍ଚ ଗିରଫଦାରୀ ଏଡାଇବାକୁ ଜାଗୀ ଓ ବୈଜୟନ୍ତ ପଣ୍ଡା ଗତ ୫ ତାରିଖରେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣିଥିଲେ । ନଭେମ୍ବର ୧୨ ଅର୍ଥାତ୍ ଆଜି ତାରିଖ ପର୍ଯ୍ୟନ୍ତ ତାହା ବଳବତ୍ତର ଥିଲା । ତେବେ ସେମାନଙ୍କ ବିରୋଧରେ ମାମଲା ରଦ୍ଦ ପାଇଁ ହାଇକୋର୍ଟରେ ସେମାନଙ୍କର ଆବେଦନର ଶୁଣାଣି କାଲି ହେବାକୁ ଥିବାରୁ ରାୟ ନ ଆସିଲା ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇପାରିବ ନାହିଁ । ରାୟ ସପକ୍ଷରେ ନଗଲେ ଯେ କୌଣସିସମୟରେ ଗିରଫ ହୋଇପାରନ୍ତି ।