- ଭୁବନେଶ୍ୱର: ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ କଟକଣା ରହିବ । ୫% ରୁ କମ ସଂକ୍ରମଣ ଥିବା ୨୦ ଟି ଜିଲ୍ଲାରେ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ୫% ରୁ ଅଧିକ ସଂକ୍ରମଣ ଥିବା ଉପକୂଳ ୧୦ ଜିଲ୍ଲାରେ ସକାଳ ୬ ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ତେବେ କେଉଁଠି ମଲ୍, ସ୍ପା, ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇନାହିଁ । ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ କୁ ଉଠାଇ ଦିଆଯାଇଛି । ସାରା ରାଜ୍ୟରେ ସଂଧ୍ୟା ୬ ରୁ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ରହିବ ।
ସଂକ୍ରମଣ ହାର ଦୃଷ୍ଟିରୁ ସମଗ୍ର ରାଜ୍ୟକୁ ଦୁଇଟି କାଟାଗୋରିରେ ବିଭକ୍ତ କରାଯାଇଛି । ପୂର୍ବରୁ କାଟାଗୋରି-ଏ ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର୧୭ ଜିଲ୍ଲା ଥିବା ବେଳେ ଏବେ ଅନୁଗୁଳ, ଢ଼େଙ୍କାନାଳ ଏବଂ କେନ୍ଦୁଝରକୁ ସାମିଲ କରାଯାଇଛି । ଅର୍ଥାତ୍ କାଟାଗୋରି-ଏ ରେ ୨୦ ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି । କାଟାଗୋରି-ବି ରେ ୧୦ ଜିଲ୍ଲା ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ରହିଛି ।
କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ କଟକଣା ଅଧିକ କୋହଳ କରାଯାଇ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସାପ୍ତାହିକ ଏବଂ ଦୈନିକ ହାଟ ମଧ୍ୟ ଖୋଲିବ । ଏହି ଜିଲ୍ଲାଗୁଡ଼ିକରେ ବସ୍ , ଅଟୋ, ଟାକ୍ସି ଚଳାଚଳ କରିବ । ଅଟୋ ଓ ଟାକ୍ସିରେ ଡ୍ରାଇଭରକୁ ଛାଡ଼ି ସର୍ବାଧିକ ୨ ଜଣ ବ୍ୟକ୍ତି ଯାଇପାରିବେ ।
ଅନ୍ୟପକ୍ଷରେ କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏବେ ମଲ୍, ସ୍ପା, ପାର୍ଲର ଆଦିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୬ ରୁ ଦିନ ୨ଟା ଯାଏ ଏହିସବୁ ଦୋକାନ ଖୋଲା ରହିବ । ସାପ୍ତାହିକ ଏବଂ ଦୈନିକ ହାଟ କିନ୍ତୁ ଖୋଲିବ ନାହିଁ । ରାସ୍ତାକଡ଼ ଉଠାଦୋକାନ, ଚା ଦୋକାନ ଖୋଲିବ । ତେବେ ଦୋକାନ ପାଖରେ ଛିଡ଼ା ହୋଇ କେହି ଖାଇପାରିବେ କି ପିଇପାରିବେ ନାହିଁ । ଏହି ୧୦ ଜିଲ୍ଲାରେ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଥିଲା ବେଳେ ଇନଡୋର୍ ସୁଟିଂକୁ ଅନୁମତି ଦିଆଯାଇନାହିଁ । ବସ୍, ଅଟୋ କି ଟାକ୍ସି ଚଳାଚଳକୁ ଅନୁମତି ଦିଆଯାଇନାହିଁ ।
୩୦ଟି ଯାକ ଜିଲ୍ଲାରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି ।
କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ ସାପ୍ତାହିକ ସଟଡାଉନ୍ ଉଠାଇ ଦିଆଯାଇଛି । ଅର୍ଥାତ୍ ୭ ଦିନ ଯାକ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବ । କୋଟାଗୋରି-ବି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ । ଅର୍ଥାତ୍ ସପ୍ତାହରେ ୫ ଦିନ ସକାଳ ୬ ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ । ସାରା ରାଜ୍ୟରେ ସଂଧ୍ୟା ୬ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କଟକଣା ରହିବ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଘୋଷଣା କରିଛନ୍ତି । କୋଭିଡ୍ ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଥିବା ସେ କହିଛନ୍ତି । ସାମାଜିକ, ଧାର୍ମିକ ଏବଂ ରାଜନୈତିକ ସଭାସମିତି ଉପରେ କଟକଣା ବଳବତ୍ତର ଥିବା ବେଳେ ବିବାହ ଓ ଶୁଦ୍ଧିିକ୍ରିୟା ପୂର୍ବ କଟକଣା ବଳବତ୍ତର ରହିଛି । ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ କୋଭିଡ୍ ଗାଇଡଲାଇନର କଡ଼ା ଅନୁପାଳନ ପାଇଁ ପରାମର୍ଶ ଦିଆଯାଇଛି । ଯିଏ କଟକଣା ଭାଙ୍ଗିବ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।