ଭୁବନେଶ୍ୱର: ମୁଁ ୨୭ ବର୍ଷ ହେବ ରାଜନୀତିରେ ଅଛି । ୨୭ ବର୍ଷ ତଳେ ଦଳର ସଭାପତି ଦାୟିତ୍ୱ ନେଇଥିଲି ଏବଂ ଏବେ ସେହି ଦାୟିତ୍ୱରେ ଦଳ ଆଗକୁ ନେଇଚାଲିଛି । ବିଜୁ ଜନତା ଦଳ ଓଡ଼ିଶା ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା ଏବଂ ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି । ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତକାରରେ ଅନେକ କଥା କହିଛନ୍ତି । ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ ବୋଲି ପୂର୍ବରୁ ସେ କହିସାରିଥିଲା ବେଳେ ଏ ସମ୍ପର୍କିତ ନିର୍ଦ୍ଦିଷ୍ଟ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ସେହି ପୁରୁଣା କଥା ଦୋହରାଇଛନ୍ତି । ନବୀନ କହିଛନ୍ତି, ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୋର ଉତ୍ତରାଧିକାରୀ କିଏ ହେବ, ତାହା ରାଜ୍ୟବାସୀ ସ୍ଥିର କରିବେ । ୟାକୁ ନେଇ କାହିଁକି ଅପପ୍ରଚାର କରାଯାଉଛି, ତାହା ବୁଝିପାରୁନି । କାରଣ ପାଣ୍ଡିଆନ୍ ନିର୍ବାଚନ ମଧ୍ୟ ଲଢ଼ୁନାହାନ୍ତି ।
ସରକାର ଅନ୍ୟ କିଏ ଚଳାଉଥିବା ନେଇ ବିରୋଧୀଙ୍କ ଅଭିଯୋଗ ପ୍ରଶ୍ନରେ ନବୀନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରେ । ଏପରି କୌଣସି କ୍ୟାବିନେଟ୍ ବୈଠକ ହୋଇନାହିଁ, ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ । ମୋ ଦଳର ସଦସ୍ୟମାନଙ୍କ ମତାମତକୁ ମୁଁ ସର୍ବଦା ଗୁରୁତ୍ୱ ଦିଏ । ବିଧାୟକ, ମନ୍ତ୍ରୀ ହିସାବରେ ସେମାନେ ତାଙ୍କ କାମ କରନ୍ତି ।
ବିଜେପି ତରଫରୁ କ୍ରମାଗତ ଅପଶବ୍ଦ ଏବଂ ହୀନ ମନ୍ତବ୍ୟକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହା ପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ମୁଁ ଲୋକଙ୍କ ସହିତ ବହୁତ ମିଶେ ।
ଗତକାଲି ଓଡ଼ିଶାକୁ ପ୍ରଚାରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ସଭାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ନବୀନ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଅଛି । ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ । ପରାଜୟ ଭୟରେ ବିଜେପି ହତାଶ ହୋଇପଡ଼ିଛି । ତେଣୁ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗତ ୧୦ ବର୍ଷ ହେଲା, ବିଜେପିର କିଛି ନେତା ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏମିତି ଅପପ୍ରଚାର କରି ଚାଲିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ଏତେ ଚିନ୍ତିତ, ତେବେ ମୋତେ ଫୋନ୍ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ନିର୍ବାଚନ ସମୟରେ କେବଳ ଭୋଟ ପାଇଁ ଏଭଳି କହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।