ଭୁବନେଶ୍ୱର: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି । ନିଜର ଆତ୍ମୀୟ, ବନ୍ଧୁବାନ୍ଧବ, ପରିଚିତ ଲୋକଙ୍କୁ ହରାଇବାର ଦୁଃଖ ଚାରିଆଡେ ଛାଇ ହୋଇଯାଇଛି । ଲକଡାଉନ୍ ଯୋଗୁଁ ଲୋକମାନେ ଜୀବିକା ହରାଇ ଭୋକ ଉପାସରେ ଜୀବନ କାଟୁଛନ୍ତି । କୋଟି କୋଟି ସାଧାରଣ ଜନତାଙ୍କ ହୃଦୟରୁ କୋହ ଏବଂ ଆଖିରୁ ଲୁହ ଝରୁଛି । ଆଉ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ଟିକାର ଶ୍ରେୟ ପାଇଁ ଆଜି ଦେଖିବାକୁ ମିଳିଛି ନେତାଙ୍କ ହୀନମନ୍ୟତା, କୁତ୍ସିତ ମାନସିକତା ।
ଟିକାକରଣ କେନ୍ଦ୍ରଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟର୍ ଲାଗି ନ ଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ହଲାପଟା କରିଛନ୍ତି । ଟିକାକରଣ କେନ୍ଦ୍ରକୁ ମୋଦିଙ୍କ କଟଆଉଟ୍ ଧରି ଧସେଇ ପଶିଛନ୍ତି । ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ଟିକାକେନ୍ଦ୍ର ଆଗରେ ବିଜେପି ମହିଳା କର୍ମୀମାନେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି । ବାଲେଶ୍ୱରଠାରୁ ରାୟଗଡ଼ା, ଜୟପୁର ପର୍ଯ୍ୟନ୍ତ ଏଭଳି ଲଜ୍ଜାଜନ ଦୃଶ୍ୟ ଦେଖିବାକୁ ମିଳିଛି ।
ମୋଟାମୋଟି ଭାବେ, ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାରୁ ବିଜେପି ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । ସେମାନଙ୍କ ଜିଦ୍ ମୋଦିଙ୍କ ଫଟୋ ଅଲବତ ଲାଗୁ । ମୋଦି ଲୋକଙ୍କୁ ମାଗଣାରେ ଟିକା ଦେଉଛନ୍ତି ବୋଲି ସେମାନଙ୍କର ଯୁକ୍ତି । ଏହା ମୋଦି ଟିକା ବୋଲି କହିବାରେ ସେମାନଙ୍କର ସଙ୍କୋଚ ନାହିଁ ।
ଅତଏବ, ଲୋକ ଠିକ୍ ରେ ଟିକା ପାଆନ୍ତୁ ନ ପାଆନ୍ତୁ ସେଥିପ୍ରତି ଧ୍ୟାନ ନ ଦେଇ ମୋଦିଙ୍କ ଫଟୋ କାହିଁକି ନାହିଁ ସେଥିପାଇଁ ହଙ୍ଗାମା କରିଛନ୍ତି ବିଜେପି ସମର୍ଥକ । ସେମାନଙ୍କର ଏଭଳି କାଣ୍ଡ ଯୋଗୁଁ ବିଭିନ୍ନ ଟିକାକରଣ କେନ୍ଦ୍ର ବାହାରେ ଉତ୍ତେଜନା କାରଣରୁ ଟିକାଦାନ ବ୍ୟାଘାତ ହୋଇଥିବା ଖବର ଆସିଛି ।
ସେପଟେ ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବାରେ କିଛି ଭୁଲ କି ଅସଙ୍ଗତି ନାହିଁ ବୋଲି ବିଜେଡ଼ି ନେତାମାନେ ଯୁକ୍ତି କରିଛନ୍ତି । ଟିକାଦାନ କେନ୍ଦ୍ରରେ ଲାଗିଥିବା ବ୍ୟାନରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଟିକାର ଦୁଇଟି ଯାକ ମାତ୍ରା ଠିକ୍ ସମୟରେ ନେବା ପାଇଁ ଅନୁରୋଧ କରିବା ସହ ଟିକା ହେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି । ରାଜ୍ୟବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ନିବେଦନ କରିବାରେ ଭୁଲ୍ କେଉଁଠି ରହିଲା ଏବଂ ଟିକାର ଶ୍ରେୟ ପ୍ରଶ୍ନ କେଉଁଠୁ ଆସିଲା ବୋଲି ସେମାନେ ପଚାରିଛନ୍ତି । ଏମିତିରେ, କେବଳ ଓଡ଼ିଶା କାହିଁକି ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେବା ପଛରେ ନବୀନବାବୁଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ସେମାନେ ଦର୍ଶାଇଛନ୍ତି ।
ତେବେ ବାହାବା ଉଦ୍ଦେଶ୍ୟରେ ଫଟୋକୁ ନେଇ ଏଭଳି ଟଣାଓଟରା କରୁଥିବା ବିଜେପିକୁ ସୋସିଆଲ୍ ମିଡ଼ିଆରେ ବେଶୀ ଟ୍ରୋଲ୍ ହୋଇଛି । ମହାମାରୀ ବେଳେ ଫଟୋ ରାଜନୀତିର ସୃଷ୍ଟିକର୍ତ୍ତା ହେଉଛି ବିଜେପି । ଟିକା ନେବା ପରେ ଆସୁଥିବା ସାର୍ଟିଫିକେଟ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି । ଲୋକଙ୍କୁ ଦିଆଯାଉଥିବା ମାଗଣା ଟିକା, କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନିଜ ପକେଟରୁ ଦେଉନାହାନ୍ତି । ଏହା ହେଉଛି ସାଧାରଣ ଲୋକଙ୍କ ପଇସା । ଟିକା ପାଇଁ ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ଗଣୁଛନ୍ତି । ତେଣୁ ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି ରହିବ ବୋଲି ସେମାନଙ୍କର ଯୁକ୍ତି ।
ସେ ଯାହା ହେଉ, ମହାମାରୀ ବେଳେ ଏଭଳି ବାହାବା ରାଜନୀତିକୁ ବୁଦ୍ଧିଜୀବୀମହଲ ଘୃଣା କରିଛନ୍ତି । ବ୍ୟାପକ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଇ ଘୃଣ୍ୟ ରାଜନୀତିକୁ ପ୍ରଶୟ ଦିଆ ନ ଯାଉ । ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଟିକାର ଶ୍ରେୟ ପାଇଁ ଆମେ ସାଧାରଣ ଜନତା ହକଦାର । ତେଣୁ ରାଜନୈତିକ ଦଳର ଚେଲା ଚାମଣ୍ଡାମାନେ ସେଥିପାଇଁ ବ୍ୟସ୍ତ କି ବିବ୍ରତ ହେବାର ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦିଆଯାଇଛି ।