ଭୁବନେଶ୍ୱର: ୪୫୦ କୋଟି ଟଙ୍କା ବ୍ୟୟରେ ଫୁଲବାଣୀରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା ଆଜି କନ୍ଧମାଳ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲିବା ସହ ଏହାର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ, ଫୁଲବାଣୀରେ ମେଡ଼ିକାଲ୍ କଲେଜ ସ୍ଥାପନ ପାଇଁ ଗତ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ଇତିମଧ୍ୟରେ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କ୍ୟାମ୍ପସ୍ ରେ ବାଳକମାନଙ୍କ ପାଇଁ ୩୦୦ ଏବଂ ବାଳିକାମାନଙ୍କ ପାଇଁ ୧୫୦ ସିଟ୍ ର ହଷ୍ଟେଲ୍ ରହିବ । ଏଥିସହ ୬୫୦ ଜଣ ବସିପାରିଲା ଭଳି ଅଡିଟୋରିୟମ୍, ଆବାସିକ ଡାକ୍ତରମାନଙ୍କ ପାଇଁ ୧୦୦ ସିଟ୍ ର ହଷ୍ଟେଲ୍ ଏବଂ ଡାକ୍ତର ଓ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ ରହିବ ।
ପ୍ରକଳ୍ପ ନିମନ୍ତେ ନିର୍ମାଣ ସାମଗ୍ରୀ ଓ ଆନୁସଙ୍ଗିକ ସମସ୍ତ ସହଯୋଗ ଯୋଗାଇ ଦେବ ଜିଲ୍ଲା ପ୍ରଶାସନ । ଏଥିସହ ପ୍ରକଳ୍ପ ସଂଲଗ୍ନ ପାହାଡ଼ରେ ବ୍ୟାପକ ବୃକ୍ଷରୋପଣ ସହ ଉପଯୁକ୍ତ ଡ୍ରେନେଜ୍ ଏବଂ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଅଟୋ, ଟାକ୍ସି ଷ୍ଟାଣ୍ଡ ସହ ଉତ୍ତମ ଟ୍ରାଫିକ୍ ବ୍ୟବସ୍ଥା, ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । କ୍ୟାମ୍ପସ୍ ରେ ରହିଥିବାକୁ ଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କ ପାଇଁ ସୁନ୍ଦର ପରିବେଶ, ମନୋରଞ୍ଜନ ଓ କ୍ରୀଡ଼ା ସୁବିଧା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।
ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପରେ ଉଚ୍ଚସ୍ତରୀୟ କମିଟି ଫୁଲବାଣୀ ଏଜେଓ ସରକାରୀ ହାଇସ୍କୁଲ ଏବଂ ସରକାରୀ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହି ଦୁଇଟି ଯାକ ସ୍କୁଲକୁ ରାଜ୍ୟ ସରକାରଙ୍କ “ମୋ ସ୍କୁଲ୍’ ଅଭିଯାନରେ ସାମିଲ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ପୂର୍ବତନ ଛାତ୍ର ଏବଂ ପରିଚାଳନା କମିଟି ସହ ଆଲୋଚନା କରି ସେମାନଙ୍କର ମତାମତ ନେଇଥିଲେ । ଏହି ଦୁଇ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ଏବଂ କ୍ରୀଡ଼ା ବ୍ୟବସ୍ଥା କରାଯିବ । ବୈଠକରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।
କରୋନା ସତର୍କତା ସହ କୋଭିଡ ଗାଇଡଲାଇନ୍ ର କଡ଼ା ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ ।