ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରହିଛି । କୋଭିଡ ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍ ଯୋଗୁଁ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ପିପିଲି ସମେତ ପଶ୍ଚିମବଙ୍ଗର ଜଙ୍ଗିପୁର ଏବଂ ସମସେରଗଞ୍ଜ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଜି ସଂଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନ୍ ର ଆଜି ଶୁଣାଣି ହୋଇଥିଲା । ନିର୍ବାଚନ କମିଶନ ଏଥିପାଇଁ ସମୟ ମାଗିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ଉପନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । କୋଭିଡ୍ ସଂକ୍ରମଣ ହ୍ରାସ୍ ପରେ ଉପନିର୍ବାଚନ ତାରିଖ ଘୋଷଣା ହେବ ।
ସୂଚନାଥାଉକି, ଏପ୍ରିଲ୍ ୧୭ ତାରିଖରେ ପିପିଲି ନିର୍ବାଚନ ହେବାର ଥିଲା । ମାତ୍ର ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ହେବାରୁ ଉପନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଉପନିର୍ବାଚନ ତାରିଖ ମେ’ ୧୩ କୁ ଧାର୍ଯ୍ୟ ହୋଇଥିଲା । ତେବେ ଇଦ୍ ପାଇଁ ଏହା୧୬ ତାରିଖକୁ ଘୁଞ୍ଚାଯାଇଥିଲା ।