ଭୁବନେଶ୍ୱର: ବରିଷ୍ଠତା ଦୃଷ୍ଟିରୁ ଆଗରେ ଥିବା ତିନି ଜଣ ଆଇପିଏସ୍ ଙ୍କୁ ପଛରେ ପକାଇ ୧୯୯୪ ବ୍ୟାଚ୍ ର ସଞ୍ଜୀବ ପଣ୍ଡାଙ୍କୁ ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ଚାଲ୍ ମାଡ଼ ଖାଇଛି । ସୁପ୍ରିମକୋର୍ଟରେ ଆଗତ ଏକ ଜନସ୍ୱାର୍ଥ ମାମଲା ସେଥିରେ କଣ୍ଟା ହେବାକୁ ଯାଉଛି । ଓଡ଼ିଶା ସରକାର ଅଯୋଗ୍ୟ ଅଧିକାରୀଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ କରୁଥିବା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଆବେଦନକାରୀଙ୍କୁ ପକ୍ଷରୁ ଛିଡ଼ା ହୋଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ତାଙ୍କର ବଳିଷ୍ଠ ଯୁକ୍ତିରେ ସୁପ୍ରିମକୋର୍ଟ ଏହି ମାମଲାକୁ ଜରୁରୀ ତାଲିକାଭୁକ୍ତ କରି ଆସନ୍ତାକାଲି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।
ଶ୍ରୀ ଚିଦାମ୍ବରମ୍ ଆଜି ମାମଲା ସମ୍ପର୍କରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ, ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ବେଞ୍ଚର ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୬ ମସିହାର ପ୍ରକାଶ ସିଂହ ମାମଲାର ଉଦାହରଣ ଦେଇ ଓଡ଼ିଶାରେ ଡିଜିପି ନିଯୁକ୍ତି ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟ ରାୟର ସ୍ପଷ୍ଟ ଉଲ୍ଲଂଘନ ବୋଲି ସେ ଦର୍ଶାଇଥିଲେ । ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ରାତାରାତି ପଦୋନ୍ନତି ଦିଆଯାଇ ସେମାନଙ୍କୁ ବରିଷ୍ଠତା ତାଲିକାରେ ଯୋଡାଯାଇଛି । ସୁପ୍ରିମକୋର୍ଟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସେ ପ୍ରାର୍ଥନା କରିଥିଲେ । ଚିଦାମ୍ବରଙ୍କ ଯୁକ୍ତିକୁ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଗ୍ରହଣ କରି ସୁପ୍ରିମକୋର୍ଟଙ୍କ ନିୟମ ୟୁପିଏସସିକୁ ଅବଗତ ଅଛି ଏବଂ ସେହି ନିୟମ ଅନୁଯାୟୀ ଚୟନ କରାଯିବ ବୋଲି ଆଶା କରିଥିଲେ । ମାମଲାର ଗୁରୁତ୍ୱ ଅନୁଭବ କରି ଆସନ୍ତାକାଲି ଶୁଣାଣି ପାଇଁ ରଖିଛନ୍ତି ।
ଡିଜିପି ଚୟନ ପ୍ରକ୍ରିୟାକୁ ଅଧାରେ ରଖି ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାର ଦୁଇ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପରିପ୍ରେକ୍ଷୀରେ ବିବାଦ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଅନୁମୋଦନ କରିଥିଲେ । ଡିଜିପି ପଦବୀ ପାଇଁ ସଞ୍ଜୀବ ପଣ୍ଡାଙ୍କୁ ଆଖିରେ ରଖି ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି । ସଂଶୋଧିତ ପ୍ରଥମ ତିନି ବରିଷ୍ଠଙ୍କ ତାଲିକାରେ ତାଙ୍କ ନାଁ ୟୁପିଏସସିକୁ ପଠାଯାଇଥିବା କୁହାଯାଉଛି ।
ପୂର୍ବରୁ ଗତ ୭ ତାରିଖରେ ୟୁପିଏସ୍ ଅଧ୍ୟକ୍ଷ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚୟନ କମିଟି ବୈଠକ ଅଧାରୁ ବାତିଲ ହୋଇଥିଲା । କମିଟିର ସଦସ୍ୟ ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଡିଜିପି ୱାଇ.ବି ଖୁରାନିଆ ଉପସ୍ଥିତ ଥିଲେ । ବରିଷ୍ଠତା ଭିତ୍ତିରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ସୁଶାନ୍ତ ନାଥ ଏବଂ ଆର ପି କୋଚେଙ୍କ ନାଁ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ଏକରକମ ନିଷ୍ପତ୍ତି ହୋଇଥିଲା । ମାତ୍ର ସୁଶାନ୍ତ ନାଥଙ୍କୁ ବାଦ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଚାନକ କୁହାଯାଇଥିଲା । ତାଙ୍କ ନାଁରେ ଓପିଆରବି ପରୀକ୍ଷା ମାମଲାରେ ତଦନ୍ତ ଚାଲିଥିବା ଏବଂ ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କୁହାଗଲା । ୟୁପିଏସସି ଅଧ୍ୟକ୍ଷ ଏହାର ବୈଧ ଦସ୍ତାବିଜ୍ ମାଗିବାରୁ ରାଜ୍ୟ ସରକାର ସମୟ ନେଇଥିଲେ ।
ସୂଚନା ଅନୁଯାୟୀ, ଗତକାଲି ରାଜ୍ୟ ସରକାର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱାଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ସରକାର ସଂଶୋଧିତ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ଆର ପି କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାଁ ଅଛି । ଆସନ୍ତା ୧୩ ତାରିଖରେ ୟୁପିଏସସିର ଚୟନ କମିଟି ବୈଠକ ବସିବ । ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ଜନସ୍ୱାର୍ଥ ମାମଲାର ବିଚାର ଉପରେ ଏବେ ସମସ୍ତଙ୍କ ନଜର ରହିଛି ।