– ରାଜ୍ୟ ସରକାର-ଟାଟା ପାୱାରର ମଧୁଚନ୍ଦ୍ରିକା
– ସିଏଜି ଅଡିଟ୍ ସମ୍ପର୍କରେ ସରକାର ଚୁପ୍
– ଅଧିକ ମୂଲ୍ୟରେ ସ୍ମାର୍ଟ ମିଟର କ୍ରୟ
ଭୁବନେଶ୍ୱର: ଓଇଆରସିର ନିର୍ଦ୍ଦେଶ (ଭେଷ୍ଟିଂ ଅର୍ଡର) ମୁତାବକ ଟାଟା ପାୱାର ଓଡ଼ିଶାରେ ବିଜୁଳି ଶକ୍ତି ଭିତ୍ତିଭୂମିର ବିକାଶ କରିବା ପାଇଁ ୫ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାର ଥିଲା । ବର୍ତ୍ତମାନ ସୁଦ୍ଧା ଟାଟା ପାୱାର ଭିତ୍ତିଭୂମିର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ସେ ବାବଦରେ କୌଣସି ଅଡିଟ୍ ହୋଇନାହିଁ । ଉପଭୋକ୍ତାଙ୍କ ଉପରେ ପୂର୍ବରୁ ଥିବା ସମସ୍ତ ବକେୟାକୁ ଟାଟା ପାୱାର ଜୁଲମ କରି ଆଦାୟ କରାଯାଉଛି ।ରାଜ୍ୟ ସରକାରଙ୍କ ସହ ମଧୁଚନ୍ଦ୍ରିକାରେ ଟାଟା ପାୱାରର ଏଭଳି ମନମାନିର ଶିକାର ହୋଇଛନ୍ତି ରାଜ୍ୟର କୋଟିଏ ଉପଭୋକ୍ତା । ଆଜି ବିଜେଡି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦୁଇ ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ଏବଂ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।
ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ଟାଟା ପାୱାରକୁ ଅନୁଦାନ ଦେଇଛନ୍ତି । ତନ୍ମଧ୍ୟରୁ ୩୦୭ କୋଟି କମ୍ପାନୀ ଦ୍ୱାରା ପୂର୍ବରୁ ସ୍ଥାପିତ ହୋଇଥିବା ମିଟର ପାଇଁ ଏବଂ ୪୨୮ କୋଟି ଟଙ୍କା ନୂତନ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ଦିଆଯାଇଛି । ପୂର୍ବରୁ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଥିବା ସ୍ମାର୍ଟ ମିଟରର ଖର୍ଚ୍ଚ ସରକାର ବହନ କଲେ ମଧ୍ୟ ଆଦାୟ କରାଯାଇଥିବା ଭଡା (ମିଟର ରେଣ୍ଟ୍) ଉପଭୋକ୍ତାଙ୍କୁ ଫେରାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଡ. ସାହୁ । ୟୁପି, ଦିଲ୍ଲୀ ଓ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ମାନଙ୍କରେ ସ୍ମାର୍ଟ ମିଟରର ମୂଲ୍ୟ ୩ ହଜାର ଟଙ୍କାରୁ କମ୍ ଥିଲା ବେଳେ ଓଡିଶାରେ ଏହା ୩,୯୯୩ ଟଙ୍କା ବୋଲି ବିତରଣ କମ୍ପାନୀ ଦର୍ଶାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ବିତରଣ କମ୍ପାନୀର ସିଏଜି ଅଡ଼ିଟ୍ ପାଇଁ ପଦକ୍ଷେପ ନେବାକୁ ଓଇଆରସି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସନ୍ଦେହ ସୃଷ୍ଟି କରୁଛି ।
ଉଲ୍ଲେଖଯୋଗ୍ୟ ଯେ ବିତରଣ କମ୍ପାନୀ ମାନେ ନିଜସ୍ୱ ଅଡିଟ୍ ନକରି ସିଏଜି ଅଡିଟ୍ କରିବା ପାଇଁ ଗତ ମେ’ ମାସରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସିଏଜି ଅଡିଟ୍ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ପ୍ରତ୍ୟେକ ବିତରଣ କମ୍ପାନୀର ରାଜସ୍ୱ ଆଦାୟ, ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ ତଥା ଲାଭ କ୍ଷତି ବାବଦରେ ବାର୍ଷିକ ରିପୋର୍ଟ ସାର୍ବଜନୀନ କରାଯାଉ । ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ଡ. ସାହୁ ଦାବି କରିଛନ୍ତି ।
କ୍ୟାପଟେନ ମିଶ୍ର କହିଥିଲେ ଯେ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ବାହାନାରେ ଟାଟା ପାୱାର ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ନିକଟରେ ଦାବି କରିଆସୁଛି । ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବାହାର ରାଜ୍ୟରୁ ଅଣଓଡିଆଙ୍କୁ ଆଣି ମୋଟା ଦରମାରେ ନିଯୁକ୍ତି ଦେଉଛି । ରାଜ୍ୟ ବାହାରର ଏଜେନ୍ସି ଜରିଆରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସ୍ଥାନୀୟ ଯୁବକମାନଙ୍କୁ ଛଟେଇ କରାଯାଉଛି । ଏସଏସଜିମାନଙ୍କୁ ବାହାର କରି ଅଣଓଡିଆ ଏଜେନ୍ସି ଜରିଆରେ, ମିଟର ରିଡିଙ୍ଗ୍, ବିଲିଂ, ବିଲ୍ ଆଦାୟ କରି ଏଥିରୁ ମଧ୍ୟ ଲାଭ ଗୋଟାଉଛି ଟାଟା ପାୱାର । ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ମିଟର ଲଗାଇବାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାରଙ୍କ ଠାରୁ ନେଇସାରିଲା ପରେ ମଧ୍ୟ ଉପଭୋକ୍ତା ମାନଙ୍କ ଠାରୁ ଆଦାୟ ହୋଇଥିବା ମିଟର ରେଣ୍ଟ୍ ବର୍ତ୍ତମାନ ସୁଦ୍ଧା ବିତରଣ କମ୍ପାନୀ ଫେରାଉ ନାହିଁ । ଉପଭୋକ୍ତାଙ୍କ ନିମନ୍ତେ ୧୯୯୨ ହେଲପଲାଇନ୍ ଥିଲେ ମଧ୍ୟ କୌଣସି ସେବା ମିଳୁ ନାହିଁ । ନିର୍ବାଚିତ ପ୍ରତିନିଧି ମାନଙ୍କ ଅଭିଯୋଗକୁ କୌଣସି ବିତରଣ କମ୍ପାନୀ ଗୁରୁତ୍ୱ ଦେଉନାହାନ୍ତି ।
ଏହିସବୁ ସମସ୍ୟା ପ୍ରତି ଆଖି ବୁଜିଦେଇ ରାଜ୍ୟ ବିଜେପି ସରକାର ଓ ଟାଟା ପାୱାର ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଯଦି ପୂର୍ଣ୍ଣଚ୍ଛେଦ ନ ପଡ଼େ, ତେବେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି ।