ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର ପାଇଁ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକର ଏହି ନିଷ୍ପତ୍ତିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟକୁ ଜଣାଇଥିଲେ । ତେବେ ଅପ୍ରତ୍ୟାଶିତ ଭାବେ ବିଜେପି ବିଧାୟକ ଦଳର ବୈଠକ ଡକାଯାଇ ଏଭଳି ନାଟକ ପଛର କାହାଣୀ କିନ୍ତୁ ଅତ୍ୟନ୍ତ ରୋଚକପୂର୍ଣ୍ଣ ।
ସେହି ରୋଚକ କାହାଣୀ ଏମିତି.. । ପୂର୍ବ ଯୋଜନା ଅନୁଯାୟୀ ବିଧାନସଭାର ଶୀତ ଅଧିବେସନର ଶେଷ ମୁହୂର୍ତ୍ତରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ତିନୋଟି ବିଲ୍ କୁ ସର୍ବସମ୍ମତିକ୍ରମେ ଗୃହରେ ପାରିତ କରାଯାଇଥିଲା । ବିଧାୟକଙ୍କ ଦରମା ଏକାଥରକେ ସାଢ଼େ ତିନିଗୁଣା ବୃଦ୍ଧି ପାଇଲା । ୯୦ ହଜାରରୁ ବଢ଼ି ୩ ଲକ୍ଷ ୪୫ ହଜାର ଦରମା ହେଲା । ଅଧିକ ଦରମା ଓ ଭତ୍ତା ପାଇବାରେ ଓଡ଼ିଶାର ବିଧାୟକମାନେ ଦେଶରେ ପ୍ରଥମ ସ୍ଥାନକୁ ଆସିଗଲେ । ବିଧାୟକମାନଙ୍କ ଅହେତୁକ ଦରମା ବୃଦ୍ଧିକୁ ନେଇ କେବଳ ରାଜ୍ୟରେ ଜନଅସେନ୍ତାଷ ସୃଷ୍ଟି ହେଲାନି, ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ହେଲା । ଅନ୍ୟ ରାଜ୍ୟର ବିଧାୟକମାନେ ନିଜକୁ ଛୋଟ ମନେକଲେ । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଲା ।
ବିଧାନସଭାରେ ବିଲ୍ ପାରିତ ହେବାର ଦୁଇଦିନ ପରେ ଗତ ୧୨ ତାରିଖରେ ବିଜେପିର ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ ସନ୍ତୋଷ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଦଳୀୟ ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳର ଆଭିମୁଖ୍ୟକୁ ପ୍ରଶ୍ନ କରିଥିଲେ । ଏଭଳି କାହିଁକି ହେଲା ବୋଲି ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଥିଲେ । ମାତ୍ର ରାଜ୍ୟ ନେତୃତ୍ୱ ଏହାର ଉତ୍ତର ଦେଇପାରି ନ ଥିଲେ ।
ବିଧି ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ଏ ସଂକ୍ରାନ୍ତୀୟ ବିଲ୍ ଇତିମଧ୍ୟରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଆସିଲା । ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି ଦିଲ୍ଲୀ ସହିତ ବିଚାର ବିମର୍ଷ କରିଥିଲେ । ମାତ୍ର ବିଲ୍ ଉପରେ ଦସ୍ତଖତ ପାଇଁ ସେଠାରୁ ଅନୁମତି ମିଳିଲା ନାହିଁ । ବିଲ୍ କୁ ରଖ ବୋଲି କୁହାଗଲା ।
ଇତିମଧ୍ୟରେ ଦଳର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସଭାପତି ମନମୋହଲ ସାମଲ ଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଗରେ ପଡ଼ିଗଲେ । ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତି ପାଇଁ ତୁମକୁ କିଏ ଅନୁମତି ଦେଇଥିଲା ପଚାରି ପ୍ରବଳ ଝାଡ଼ିଥିଲେ । ମନମୋହନ ଜବାବ ଦେଇ ନ ପାରି ଥତମତ ହୋଇଥିଲେ । ଶାହଙ୍କର ବିରକ୍ତିଭାବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଜଣାଇ ଦିଆଗଲା ।
ଭୁୁବନେଶ୍ୱର ଫେରିଲା ପରେ ବୁଧବାର ରାତିରେ ମୋହନ ଓ ମନମୋହନଙ୍କ ମଧ୍ୟରେ ନିବୃତ୍ତ ଆଲୋଚନା ହେଲା । ଏହି ବିପଦରୁ ଉଦ୍ଧାର ପାଇଁ ବାଟ ଖୋଜାଗଲା । ନିଷ୍ପତ୍ତିର ପୁନଃବିଚାର ହିଁ ଏକମାତ୍ର ବାଟ ବୋଲି ନିଶ୍ଚିତ ହେଲା ପରେ ସକାଳେ ବିଧାୟକ ଦଳ ବୈଠକ କରିବାକୁ ନିଷ୍ପତ୍ତି ନିଆଗଲା । ରାତାରାତି ସବୁ ବିଧାୟକଙ୍କୁ ଫୋନ୍ ଗଲା । ଯିଏ ଯେଉଁଠି ଥାନ୍ତୁ ଭୁବନେଶ୍ୱର ଫେରି ସକାଳ ବୈଠକରେ ଯୋଗଦେବାକୁ କୁହାଗଲା ।
ଗୁରୁବାର ବିଧାୟକମାନଙ୍କ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବ ବିଧାୟକମାନଙ୍କୁ ପଢ଼ି ଶୁଣାଇ ଦିଆଗଲା । କେନ୍ଦ୍ରୀୟ ନେତୃତ୍ୱଙ୍କ ଆଭିମୁଖ୍ୟ ମଧ୍ୟ ଜଣାଇ ଦିଆଗଲା । ଗଣମାଧ୍ୟମକୁ ବୈଠକର ନିଷ୍ପତ୍ତି ଜଣାଇବା ପାଇଁ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାୟିତ୍ୱ ଦିଆଗଲା । ସେହି ଅନୁଯାୟୀ ମହାଲିଙ୍ଗ ଗଣମାଧ୍ୟମକୁ ବିବୃତି ଦେଇଥିଲେ । ତାଙ୍କର ବିବୃତ୍ତି ଥିଲା- ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, ସାଂସଦ ଓ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ରାଷ୍ଟ୍ରୀୟ ବିଜେପିର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଅଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କହିଥିଲେ ଯେ ସାଂସଦ/ବିଧାୟକମାନଙ୍କ ଦରମା ମନଇଚ୍ଛା ବଢ଼ାଇବା ଉଚିତ୍ ନୁହେଁ । ଅର୍ଥ ଆୟୋଗ ଭଳି ଏକ ସମାନ୍ତରାଳ ସଂସ୍ଥା ଦ୍ୱାରା ସେମାନଙ୍କ ଦରମା ନିର୍ଦ୍ଧାରଣ କିମ୍ବା ମୁଦ୍ରାସ୍ଫୀତିକୁ ଦେଖି ଦରମା ବୃଦ୍ଧି ନିର୍ଦ୍ଧାରଣ ସପକ୍ଷରେ ମତ ଦେଇଥିଲେ ।
ଏହାପୂର୍ବରୁ ୨୦୨୦ ମସିହା କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ ଓ ସାଂସଦମାନଙ୍କର ଦରମା ଓ ଭତ୍ତା ୩୦% ହ୍ରାସ୍ କରିଥିଲେ । ଭାରତ ଏକ ବିପତ୍ତିର ସାମନା କରିବାକୁ ଯାଉଥିବାରୁ ଆର୍ଥିକ ସଙ୍କଟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ । ତାକୁ ଭରଣା କରିବାକୁ ଯାଇ ଚଳିତ ୨୦୨୫ ମାର୍ଚ୍ଚ ୩ ରେ ସେମାନଙ୍କ ଦରମା ମାତ୍ର ୨୪% ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ଷକୁ ମନ୍ତ୍ରୀ/ ସାଂସଦମାନଙ୍କର ଦରମା ମାତ୍ର ୩% ବୃଦ୍ଧି ପାଇଲା ।
ଦୁର୍ଭାଗ୍ୟ ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଆଦର୍ଶ ଓ ଆଭିମୁଖ୍ୟକୁ ବୁଝିପାରିନାହାନ୍ତି ମୋହନ-ମନମୋହନ ଯୋଡି । ଯାହା ପାଇଁ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।