ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପାରାଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣ ଓ ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ୍ ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ୍ ରେ ବ୍ରିଟେନ୍ ର ଡାନିଏଲ୍ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍ ରେ ହରାଇଛନ୍ତି । ପ୍ରମୋଦଙ୍କ ଏହି ଐତିହ୍ୟ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ପ୍ରଥମେ ସେମିଫାଇନାଲ୍ ମ୍ୟାଚ୍ କୁ ପ୍ରମୋଦ ଏକତରଫା ଜିତିଯାଇଥିଲେ । ଜାପାନର ଡି ଫୁଜିହାରା ତାଙ୍କୁ ମୁକାବିଲା କରିପାରି ନ ଥିଲେ । ବ୍ରିଟେନ୍ ର ଡାନିଏଲ ବେଥେଲଙ୍କ ସହ ଫାଇନାଲ୍ ମ୍ୟାଚ୍ ମୁକାବିଲାରେ ମଧ୍ୟ ପ୍ରମୋଦ ନିଜର ଦବଦବା ବଜାୟ ରଖିଥିଲେ । ପ୍ରଥମ ଓ ଦ୍ୱିତୀୟ ଗେମ୍ ରେ ପ୍ରମୋଦ ଆଗୁଆ ରହି ମ୍ୟାଚ୍ କୁ ନିଜ ସପକ୍ଷକୁ ନେଇଥିଲେ ।
ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଅତିବିରାର ଏହି ସୁନାପୁଅ ପ୍ରମୋଦ ଭଗତ ମାତ୍ର ୫ ବର୍ଷ ବୟସରୁ ପୋଲିଓର ଶିକାର ହୋଇଥିଲେ । ତେବେ ନିଜର ଦୃଢ଼ ମନୋବଳ ଓ ସାଧନା ବଳରେ ଖାଲି ଶୀର୍ଷ ଛୁଇଁନାହାନ୍ତି ବରଂ ଭାରତମାଟିକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛନ୍ତି । କୋଟି କୋଟି ଭାରତୀୟଙ୍କ ପାଇଁ ସେ ଆଜି ପ୍ରେରଣା ପାଲଟିଛନ୍ତି ।
ବିଶ୍ୱ ଚମ୍ପିଅନସିପ୍ ରେ ପୂର୍ବରୁ ୪ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଦେଶର ସର୍ବଶ୍ରେଷ୍ଠ ପାରା ସଟଲର । ସେ ୪୫ ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି । ୨୦୧୮ ଏସିଆନ୍ ପାରାଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ ।
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ପରେ ପ୍ରମୋଦଙ୍କୁ ଟେଲିଫୋନ୍ ରେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରମୋଦ ଭାରତବାସୀଙ୍କ ହୃଦୟ ଜିତିଛନ୍ତି ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ । ପ୍ରମୋଦଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଉଦବୁଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିଭଳି ପ୍ରମୋଦଙ୍କ ସଫଳତାକୁ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।