ମୁଁ ଦଳରେ ନାହିଁ କହିବା ମହାମିଥ୍ୟା: ପ୍ରଭାତ
ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଚିଟଫଣ୍ଡ କେସ୍ ରେ ସଂପୃକ୍ତ ଥିବାରୁ ଜେଲ୍ ଯାଇଥିଲେ । ସେ ଦଳର କେହି ନୁହଁନ୍ତି ।
ୱକଫ୍ ବିଲ୍ ଏବଂ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବିଜେଡି ରାଜନୀତିରେ ଘମାସାନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ଗଣମାଧ୍ୟମରେ ଦେଇଥିବା ଏହି ବୟାନର ଜବାବ ଦେଇଛନ୍ତି ନିଜେ ପ୍ରଭାତ ତ୍ରିପାଠୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି । ସେ ଦଳରେ ନାହାନ୍ତି କହିବା ମହା ମିଥ୍ୟା ବୋଲି ପ୍ରଭାତ କହିଛନ୍ତି ।
ଗତକାଲି ନବୀନ ବାବୁଙ୍କ ମନ୍ତବ୍ୟ ଆସିବା ପର୍ଯ୍ୟନ୍ତ ସେ ବିଜେଡିରେ ଥିଲେ ବୋଲି ପ୍ରଭାତ ପ୍ରମାଣ ଦେଖାଇଛନ୍ତି । ଚିଟଫଣ୍ଡ କେସ୍ ପରେ ୩୧.୧୦.୨୦୧୪ ରେ ସେ ଦଳରୁ ନିଲମ୍ବିତ ହୋଇଥିଲେ । ମାତ୍ର ନିଲମ୍ବନ ଆଦେଶ ଉଠାଇବା ପାଇଁ କେବେ ଅନୁରୋଧ କରି ନ ଥିଲେ । ୧୦.୧୧.୨୦୧୭ ରେ ନବୀନ ବାବୁ ନିଜ ଆଡୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଏହି ଆଦେଶ ସୋସିଆଲ୍ ମିଡିଆରେ ଉପଲବ୍ଧ ।
ସେହିଭଳି ୨୦୨୪ ନିର୍ବାଚନ ବେଳେ ସେ ବିଜେଡି ପାଇଁ ପ୍ରଚାର କରିଥିଲେ । ତାଙ୍କୁ ଦଳ ବିଭିନ୍ନ ସମୟରେ ଉପଯୋଗ କରିଥିଲା । ବାଙ୍କୀରେ ଏକ ନିର୍ବାଚନ ସଭାରେ ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର(ପାଣ୍ଡିଆନ୍) ୧୦ ହଜାର ଲୋକଙ୍କ ଆଗରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ୨୦୧୨ ମସିହାରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍ ରେ ଦଳକୁ ରକ୍ଷା କରିବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ଏହାର ଭିଡିଓ ଫୁଟେଜ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ତେଣୁ ସେ ଦଳରେ ନାହାନ୍ତି ବୋଲି ନବୀନ ବାବୁ ଗତକାଲି ଯାହା କହିଥିଲେ ତାହା ମହା ମିଥ୍ୟା ବୋଲି ପ୍ରଭାତ କହିଛନ୍ତି ।
ପ୍ରଭାତ କହିଛନ୍ତି ଯେ ଚିଟଫଣ୍ଡ୍ କେସ୍ ନ୍ୟାୟାଳୟରେ ବିଚାରାଧୀନ ଅଛି । ସେ ଦୋଷୀ କି ନୁହେଁ ତାହା ନ୍ୟାୟାଳୟ କହିବ । ମାତ୍ର ତାଙ୍କୁ ଛୋଟ ଏବଂ ବଦନାମ କରିବା ପାଇଁ ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି । ସେ ବିଜେଡିରେ ନାହାନ୍ତି କହି ବଡ଼ ଇସୁ୍ୟକୁ ଗୌଣ କରାଯାଇଛି । ୱକଫ୍ ପ୍ରସଙ୍ଗ ଘୋଡ଼ାଇବାକୁ ଯାଇ ବିଜେଡି ସଭାପତିଙ୍କ ମୁହଁରେ ଗୋଟିଏ ଦୁଇଟି ମିଛ କୁହାଯାଇଛି । ଏହାଦ୍ୱାରା ଓଲଟି ନବୀନ ବାବୁଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରାଯାଇଛି ।
ୱକଫ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଓଡ଼ିଶାବାସୀଙ୍କୁ ଦ୍ୱନ୍ଦରେ ରଖିଛି । ସସ୍ମିତ ପାତ୍ର କାହାରି ନିର୍ଦ୍ଦେଶରେ ନିଷ୍ପତ୍ତି ବଦଳାଇଲେ ତାହା ନବୀନ ବାବୁ ସ୍ପଷ୍ଟ କରିଦେଇଥିଲେ ସରିଥାନ୍ତା । ଓଡ଼ିଶାବାସୀ ଏବେ ତାଙ୍କଠାରୁ ତାହାର ଜବାବ ଅପେକ୍ଷା କରିଛନ୍ତି ବୋଲି ପ୍ରଭାତ କହିଛନ୍ତି ।
ୱକଫ୍ ପ୍ରସଙ୍ଗରେ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ବିଷୋଦଗାର କରିଥିବା ପ୍ରଭାତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ପାଣ୍ଡିଆନଙ୍କ ସମ୍ପର୍କରେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି । ପାଣ୍ଡିଆନ ୧୦ ମାସ ତଳୁ ଦଳ ଛାଡ଼ି ଦେଇଥିବା ଗତକାଲି ବୟାନ ଦେଇଥିଲେ ନବୀନ ପଟ୍ଟନାୟକ ।