ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକ । ଚାରି ଚାରି ଥର ବିଧାୟକ ଏବଂ ତିନି ତିନି ଥର ମନ୍ତ୍ରୀ । ତା’ ପୁଣି ଖଣି ଓ ପୂର୍ତ୍ତ ଭଳି ଓଜନଦାର ବିଭାଗର । ମାତ୍ର ନିଜର ବୋଲି କାର୍ ଖଣ୍ଡେ ନାହିଁ!! ନୂଆ କରି ମନ୍ତ୍ରୀ ହୋଇଥିବା ଆଉ ଜଣେ ଚାରି ଥରିଆ ବିଧାୟକ ହେଲେ ଅଶ୍ୱିନୀ ପାତ୍ର । ହେଲେ କାର୍ ଖଣ୍ଡେ କିଣି ପାରିନାହାନ୍ତି!! ୨୦୦୨ ମସିହାର ପୁରୁଣା ହିରୋହୋଣ୍ଡା ସ୍ପେଲଣ୍ଡର ବାଇକ୍ ରେ କୁଆଡ଼େ କାମ ଚଳାଉଛନ୍ତି । ଏବେ ଏବେ ମନ୍ତ୍ରୀ ହୋଇଥିବା ତିନି ଥରିଆ ବିଧାୟକ ପ୍ରୀତିରଞ୍ଜନ(ଡାନି) ଘଡ଼େଇଙ୍କର ବି ସମାନ ଅବସ୍ଥା । କୋଟି କୋଟି ଟଙ୍କାର ମାଲିକ ହୋଇ ବି ନିଜ ନାଁରେ କାର୍ ଗୋଟେ କିଣିନାହାନ୍ତି!! ମନ୍ତ୍ରୀ ରୀତା ସାହୁ ଦୁଇ ଦୁଇ ଥର ବିଧାୟକ ଏବଂ ଏବେ ମନ୍ତ୍ରୀ ହେବା ପରେ ମଧ୍ୟ କାର୍ କିଣିପାରିନାହାନ୍ତି!!
ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକାର ଏହି ତଥ୍ୟ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ । ନିଜେ ସତ୍ୟପାଠ ଜରିଆରେ ମନ୍ତ୍ରୀମାନେ ଏହି ତଥ୍ୟ ଦେଇଥିଲେ ମଧ୍ୟ କେହି ତାକୁ ବିଶ୍ୱାସ କରିପାରୁନାହାନ୍ତି । ଜମାରୁ ନୁହେଁ । କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଡାନି ଘଡ଼େଇ କାର୍ କିଣିବାକୁ କେମିତି ସମର୍ଥ ନୁହଁନ୍ତି ବୁଝିହେଉନାହିଁ ।
କୋଭିଡ୍ ପରବର୍ତ୍ତୀ ସମୟରେ ଭାରତୀୟମାନଙ୍କ କାର୍ କିଣା ସଉକ ଏବଂ ଏହାର ଆବଶ୍ୟକତାକୁ ନେଇ ନିକଟରେ ଏକ ରିପୋର୍ଟ ବାହାରିଥିଲା । ଜର୍ମାନୀକୁ ଟପି ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ତ କାର ବଜାର ସୃଷ୍ଟି କରିପାରିଥିବା ଏଥିରେ କୁହାଯାଇଛି । ଦେଶର ଦୁଇ ତୃତୀୟାଂଶ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ଲୋକ ଭାରତୀୟ କାର୍ ବଜାରକୁ ପରିପୃଷ୍ଟ କରିଥିଲା ବେଳେ ଓଡ଼ିଶା ପାଇଁ ବିଡ଼ମ୍ବନାର ବିଷୟ ହେଉଛି ଯେ କୋଟି କୋଟି ଟଙ୍କା ସମ୍ପତ୍ତି ର ମାଲିକ ବନିଥିବା କିଛି ରାଜନେତା କାର୍ ଗୋଟେ କିଣିବାକୁ ସମର୍ଥ ହୋଇନାହାନ୍ତି । ତାହା ଯଦି ସତ ଓଡ଼ିଶାବାସୀଙ୍କ ପାଇଁ ସେମାନେ ଆଦର୍ଶ ହେବା କଥା ।
ଏ ତ ଗଲା ଚାରିଚକିଆ ଯାନ କଥା । ମନ୍ତ୍ରୀମାନଙ୍କ(ହାତଗଣତି ମନ୍ତ୍ରୀଙ୍କୁ ଛାଡ଼ିଦେଲେ) ବ୍ୟାଙ୍କଜମା, ଜମିବାଡ଼ି, ସୁନା ଅଳଙ୍କାର ତାଲିକା ମଧ୍ୟ ବିଶ୍ୱାସଯୋଗ୍ୟ କି ବୋଲି ପ୍ରଶ୍ନ ଉଠୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉଦାହରଣ ସମସ୍ତଙ୍କ ଆଖିରେ ନାଚୁଛି । ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦ କୋଟି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ମାତ୍ର ଏହା କ’ଣ ସତ? ତାଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ଏବଂ ଅମାପ ସମ୍ପତ୍ତି ସମ୍ପର୍କରେ ସମସ୍ତେ ଜାଣନ୍ତି । ସେ ଦେଇଥିବା ସମ୍ପତ୍ତି ତାଲିକା ଧର୍ମକୁ ଆଖିଠାର ବୋଲି ତାଙ୍କ ପାଖଲୋକମାନେ ବି କହୁଛନ୍ତି । ଭାତ ହାଣ୍ଡିରୁ ଏହା ଗୋଟିଏ ଭାତ ବୋଲି ତାଙ୍କର ଜଣେ ବିଶ୍ୱସ୍ତ କହିଛନ୍ତି ।
ଅଧିକାଂଶ ମନ୍ତ୍ରୀ ଦର୍ଶାଇଥିବା ସେମାନଙ୍କ ପ୍ଲଟ୍ ଓ କୋଠାର ମୂଲ୍ୟ ବର୍ତ୍ତମାନର ବଜାର ଦରଠାରୁ ଯଥେଷ୍ଟ କମ ବୋଲି କୁହାଯାଉଛି । ସେହିଭଳି ନବ ଦାସ, ପ୍ରୀତିରଞ୍ଜନ ଘଡ଼େଇ, ରୋହିତ ପୂଜାରୀ, ଅଶୋକ ପଣ୍ଡାଙ୍କ ଭଳି ନେତାଙ୍କର ସମ୍ପତ୍ତି ପରିମାଣ ସତରେ କ’ଣ ଏତେ କମ ବୋଲି ଲୋକେ କୁହାକୁହି ହେଉଛନ୍ତି ।
ବର୍ତ୍ତମାନର ମନ୍ତ୍ରୀଙ୍କ କ୍ଷେତ୍ରରେ ଏଭଳି ଅବିଶ୍ୱାସ ତିଆରି ହୋଇନି । ପ୍ରାର୍ଥୀପତ୍ର ଦାଖଲ ବେଳେ ନେତାମାନଙ୍କର ସତ୍ୟପାଠ ହେଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମନ୍ତ୍ରୀମାନେ ସମ୍ପତ୍ତି ତାଲିକା ଦାଖଲ କରିବା ଦିନୁ ପରିମାଣ ଏବଂ ମୂଲ୍ୟାୟନ ବିବାଦରେ ଅଛି । ସମ୍ପତ୍ତି ମୂଲ୍ୟାୟନର ମାପକାଠି ଦ୍ୱନ୍ଦ ତୁଟିପାରିନି । କେବଳ ଯେ ନେତା, ମନ୍ତ୍ରୀଙ୍କ କ୍ଷେତ୍ରରେ ନୁହେଁ ସରକାରୀ ଅଧିକାରୀମାନଙ୍କ କ୍ଷେତ୍ରରେ ବି ସମାନ କଥା ଦେଖିବାକୁ ମିଳୁଛି । ଏପରିକି ଭିଜିଲାନସ୍ ଜାଲରେ ପଡୁଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ସମ୍ପତ୍ତି ଆକଳନ କ୍ଷେତ୍ରରେ ବି ସମାନ ଅବସ୍ଥା ।
ମୋଟାମୋଟି ଦେଖିଲେ, ସର୍ବସାଧାରଣରେ ପ୍ରକାଶ ପାଉଥିବା ଅନେକ ନେତା ଓ ବାବୁଙ୍କର ସମ୍ପତ୍ତି ସେୟା ନୁହେଁ । ବରଂ କାହିଁ କେତେଗୁଣା ଅଧିକ ବୋଲି ଜଳ ଜଳ ଦିଶୁଛି । ସମ୍ପତ୍ତି ଲୁଚାଇବା ଏକ ସହଜାତ ପ୍ରବୃତ୍ତି ବୋଲି ସେମାନେ ବୋଧହୁଏ ଧରିନେଇଛନ୍ତି ।