ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସୂଚନା ଦେଇଛନ୍ତି । ପ୍ରସ୍ତାବ ଗ୍ରହଣ ହେଲେ, ବ୍ୟାପକ ଆୟୋଜନ ସହ ଜାନୁଆରୀ ୧୨ ରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ ରେ ପୂର୍ଣ୍ଣାହୂତି ଦିଆଯିବ । ପୂର୍ଣ୍ଣାହୁତି ସହ ସେଦିନ ପ୍ରକଳ୍ପର ଲୋକାର୍ପଣ ହେବ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆଜି ବୁଲି ଦେଖିଥିଲେ ଗଜପତି ମହାରାଜା । ନିର୍ମାଣକାରୀ ସଂସ୍ଥା ତଥା ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତାଙ୍କ ସହ ଥିଲେ । ଏହି ଅବସରରେ ଗଜପତି ମହାରାଜା ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ ଓ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶା ରଖିଥିଲେ । ଜାନୁଆରୀ ୧୭ ଶୁଭ ଦିନ ପଡୁଥିବାରୁ ସେହିଦିନ ପ୍ରକଳ୍ପର ଲୋକାର୍ପଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହାର ସମ୍ପୂର୍ଣ୍ଣ ରୂପରେଖ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାନେଜିଂ କମିଟି ବୈଠକରେ ସ୍ଥିର ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୮୦ ପ୍ରତିଶତ ସମ୍ପୂର୍ଣ୍ଣ ହେଲାଣି । ଅବଶିଷ୍ଟ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଯତୋପରନାସ୍ତି ଉଦ୍ୟମ ଚାଲିଛି । ଠିକ୍ ସମୟରେ କାମ ସରିଯିବ ବୋଲି ଆଶା ରଖାଯାଇଛି ।
ସୂଚନାଥାଉକି, ଡିସେମ୍ବର ୧୫ ସୁଦ୍ଧା ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ସଂପୃକ୍ତ ଅଧିକାରୀମାନଙ୍କୁ ଡେଡଲାଇନ୍ ଦେଇଛନ୍ତି । ଗତ ୨୮ ତାରିଖରେ ସେ ପ୍ରକଳ୍ପ ଜାଗାକୁ ଆସି ଭୋର ୪ଟାରୁ ୬ ଟା ପର୍ଯ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କାମ ଅଧିକ ତ୍ୱରାନ୍ୱିତ ହୋଇଛି ।