ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟମନ୍ଦିରକୁ ପୁରୀ ଶ୍ରୀମନ୍ଦିର ମନ୍ଦିର ସହ ରେଳପଥରେ ଯୋଡିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ । ଏହି ନୂଆ ରେଲଲାଇନ୍ ନେଇ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିଲୋମିଟର ଦୀର୍ଘ ଏହି ରେଳଲାଇନ୍ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି ।
ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୁରୀ-କୋଣାର୍କ ରେଳଲାଇନ୍ ରେ ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଏହାଦ୍ୱାରା ଯାତ୍ରୀମାନେ ଟ୍ରେନ ଭିତରୁ ସମୁଦ୍ର ବେଳାଭୂମି ଏବଂ ବାହାରର ଦୃଶ୍ୟ ଦେଖିପାରିବେ । ଟ୍ରେନ୍ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ । ନୂଆ ଲାଇନ୍ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡ଼ିବ । ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।