ସମ୍ବଲପୁର: ୨୦୧୯ ମସିହା ଅଗଷ୍ଟ ମାସରେ ବୁର୍ଲା ଇଂଜିନିୟରିଂ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର କିଛି ସିନିୟର୍ ଛାତ୍ର କିଛି ଜୁନିୟର୍ ଛାତ୍ରଙ୍କୁ ଉଲଗ୍ନ କରି ନଚାଇବା ସହ ସେମାନଙ୍କୁ ପିଟି ପିଟି ଉପର ମହଲାରୁ ତଳ ମହଲାକୁ ଆଣିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ୨୦୨୦ ଫେବ୍ରୁଆରୀ ୧୪ରେ ଦୁଇ ଛାତ୍ରଙ୍କୁ କ୍ୟାମ୍ପସ୍ ମଧ୍ୟରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଇଟି ନିର୍ଦ୍ଦିଷ୍ଟ ଘଟଣାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ହାତ ବାନ୍ଧିଦେଲା । ଏବେ ସେହି ଭିସୁଟ୍ ରେ ଆଉ ଏକ ସାଂଘାତିକ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି ।
ଅଭିଯୋଗ ଅନୁଯାୟୀ, ଭିସୁଟ୍ ର ଚତୁର୍ଥ ବର୍ଷ ବିଟେକ୍ ର କିଛି ଛାତ୍ର ବଶିଷ୍ଠ ଛାତ୍ରାବାସରେ ରହୁଥିବା ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଲଗାତର ରାଗିଂ କରି ଆସୁଥିଲେ । ଗତ ୨୮ ତାରିଖ ଭୋର୍ ୪ଟାରେ ଚତୁର୍ଥ ବର୍ଷର କିଛି ଛାତ୍ର ନିଶାସକ୍ତ ଅବସ୍ଥାରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ରୁମ୍ ର କବାଟ ବାଡ଼େଇବା ସହ ଭିତରକୁ ପଶିଥିଲେ । ୪ ଜଣ ଛାତ୍ରଙ୍କୁ ପାଖ ଏକ ରୁମ୍ କୁ ନେଇଯାଇ ଆଣ୍ଠୁଆ ବସାଇଥିଲେ । ଚତୁର୍ଥ ବର୍ଷର ଏହି ଛାତ୍ରମାନେ ଗଞ୍ଜେଇ ସିଗାରେଟ୍ ଟାଣି ଜୁନିୟର୍ ଛାତ୍ରଙ୍କ ମୁହଁକୁ ଧୂଆଁ ଛାଡ଼ିଥିଲେ । ପେଟ ଓ ପଛକୁ ଗୋଇଠା ମାରିଥିଲେ । ସେମାନଙ୍କୁ କିଛି ଅସଭ୍ୟ ଓ ଅଶ୍ଲୀଳ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ କରିଥିଲେ । ଏ ସମ୍ପର୍କରେ ଅଭିଯୋଗ କଲେ ପରିଣାମ ଭଲ ହେବନି ବୋଲି ଧମକ ଦେଇଥିଲେ ।
ଭିସୁଟ୍ ରେ ରାଗିଂ ଆଦୌ ନୂଆ ଘଟଣା ନୁହେଁ । ଅନୁଷ୍ଠାନରେ ଏହା ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । କର୍ତ୍ତୃପକ୍ଷ ଏ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି । ମାତ୍ର କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ୍ ମଣୁନାହାନ୍ତି । ଆଣ୍ଟି ରାଗିଂ ସେଲ୍ କେବଳ ଲୋକ ଦେଖାଣିଆ ହୋଇରହିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ସେହିଭଳି ରାଗିଂ ମାମଲାରେ ପୁଲିସ ନୀବରଦ୍ରଷ୍ଟା ସାଜିଛି । ଅନେକ ଛାତ୍ର କ୍ୟାରିୟର୍ ବରବାଦ ହୋଇଯିବା ଭୟରେ ସେମାନଙ୍କ ଉପରେ ହେଉଥିବା ଅକଥନୀୟ ରାଗିଂ ଘଟଣା ପଦାକୁ ଆଣିବାକୁ ସାହାସ କରୁ ନ ଥିଲା ବେଳେ ସୀମିତ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ ରାଗିଂ ବ୍ୟାଧି ଭୟଙ୍କର ରୂପ ନେଲାଣି । ପିଲାମାନେ ହଷ୍ଟେଲ୍ ରେ ରହିବାକୁ ଡରୁଥିବାରୁ ସେମାନଙ୍କ କ୍ୟାରିୟର୍ ପାଇଁ ଅଭିଭାବକମାନଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଅଭିଭାବମହଲରୁ ଦାବି ହୋଇଛି ।
ସୂଚନାଥାଉକି, କେବଳ ଭୀମସା ନୁହେଁ ବୁର୍ଲା ଭିମସାର ମେଡ଼ିକାଲ୍ କଲେଜ ଓ ଭିମସାର ନର୍ସିଂ କଲେଜରେ ରାଗିଂ ଘଟଣା ବଢ଼ିଚାଲିଛି । ଗତ ୨ ମାସରେ ୩ ଟି ବଡ଼ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ।
ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନର ପ୍ରତିକ୍ରିୟା
ଭିସୁଟ୍, ଭିମସାରେ ରାଗିଂ ବାରମ୍ବାର ଘଟୁଥିଲେ ମଧ୍ୟ ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏଭଳି ଘଟଣା ଉପରେ ରୋକ୍ ଲଗାଯାଇପାରୁନାହିଁ । ପୂର୍ବରୁ ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନ ତରଫରୁ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ମାନବାଧିକାର କମିଶନ ମଧ୍ୟ ରାଗିଂ ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାର ଫଳ ଶୂନ ବୋଲି ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା କହିଛନ୍ତି ।