ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସାଙ୍ଗିଆ ମାମଲାରେ ଆଜି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ତଳକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହି ନ୍ୟାୟରେ ରାହୁଲଙ୍କ ଲୋକସଭା ସଭ୍ୟପଦ ଫେରି ଆସିଛି । ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ସାଂସଦ ଭାବେ କାର୍ଯ୍ୟକ୍ଷେତ୍ରକୁ ଫେରିବେ ରାହୁଲ । ଏଥିସହ ଆଗାମୀ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ଦେଶବାସୀଙ୍କ ପ୍ରତୀକ୍ଷାରେ ଥିବା ସୁପ୍ରିମକୋର୍ଟଙ୍କ ଏହି ରାୟ ରାହୁଲଙ୍କୁ ହିରୋ କରିଦେଇଥିବା ବେଳେ ମୋଦୀ ସରକାରଙ୍କୁ ଶକ୍ତ ଝଟକା ଦେଇଛି ।
ଜଷ୍ଟିସ୍ ବିଆର ଗଭାଇ, ପିଏସ ନରସିମହ ଏବଂ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବେଞ୍ଚଆଜି ଏହି ମାମଲାର ଶୁଣାଣି କରିଥିଲେ । ରାହୁଲ ଗାନ୍ଧୀଙ୍କ ଉପରେ ସୁରଟ୍ ସିଜେଏମ୍ କୋର୍ଟଙ୍କ ଦଣ୍ଡାଦେଶ ଏବଂ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଆଶ୍ଚର୍ଯ୍ୟଜନକ ବୋଲି ବେଞ୍ଚ ଟିପ୍ପଣୀ ଦେଇଥିଲେ ।
ସରଳ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟକୁ ବୁଝିଲେ ଏୟା ଯେ ଆଇପିସିର ଧାରା ୪୯୯ରେ ଏଭଳି ମାନହାନୀ ଅପରାଧରେ ସର୍ବାଧିକ ଦୁଇବର୍ଷର ଜେଲଦଣ୍ଡ ବ୍ୟବସ୍ଥା ଅଛି । ମାତ୍ର ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଅପରାଧର ଗମ୍ଭୀରତା ସେଭଳି ନୁହେଁ । ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲସ୍ ଆକ୍ଟର ଧାରା ୮(୩)ର ପ୍ରୟୋଗ ପାଇଁ ଏଭଳି ଦଣ୍ଡବିଧାନ କରାଯାଇଛି । ଏହି ଧାରା ଅନୁଯାୟୀ ଜଣେ ନିର୍ବାଚିତ ପ୍ରତିନିଧି ୨ ବର୍ଷ ଜେଲ୍ ଦଣ୍ଡ ପାଇଲେ ତାଙ୍କର ସଭ୍ୟପଦ ହରାଇବେ । ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ସୁତରାଂ ରାହୁଲଙ୍କ ସଂସଦ ସଭ୍ୟପଦ କାଟିବା ଏବଂ ଆଗାମୀ ନିର୍ବାଚନ ଲଢ଼ିବା ସୁଯୋଗରୁ ବଞ୍ଚିତ କରିବା ହେଉଛି ଏହା ପଛର ଷଡ଼ଯନ୍ତ୍ର । କାରଣ ରାହୁଲଙ୍କୁ ଏହି ଦଣ୍ଡାଦେଶ ପଛରେ ଟ୍ରାଏଲ୍ କୋର୍ଟର ବିଚାରପତିଙ୍କ ପାଖରେ ଯୁକ୍ତିଯୁକ୍ତ କାରଣ ନଥିଲା ।
ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହ ସୁପ୍ରିମେକୋର୍ଟ ଖଣ୍ଡପୀଠ ରାହୁଲଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି । ତାଙ୍କର ଉଚ୍ଚାରଣ “ଉତ୍ତମ ସ୍ୱାଦ’ ର ନ ଥିଲା । ସାଧାରଣ ଜୀବନରେ ଥିବା ଜଣେ ବ୍ୟକ୍ତି ତାଙ୍କ ଭାଷଣରେ ଯଥେଷ୍ଟ ଯତ୍ନବାନ ହେବା ଦରକାର ବୋଲି ଟିପ୍ପଣୀ ଦେଇଥିଲେ ।
ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି ମାମଲା ଲଢ଼ୁଥିଲା ବେଳେ ପ୍ରତିପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ମାମଲା ଲଢ଼ୁଥିଲେ ।
ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ବେଳେ ଏପ୍ରିଲ୍ ୧୩ ରେ କର୍ଣ୍ଣାଟକର କୋଲାରଠାରେ ରାହୁଲ ଗାନ୍ଧୀ ଏକ ରାଲିରେ ଭାଷଣ ଦେଇ ମୋଦୀ ସାଙ୍ଗିଆକୁ ନେଇ କଟାକ୍ଷ କରିଥିଲେ । ସେ କହିଥିଲେ, ସବୁ ଚୋରମାନେ କାହିଁକି ମୋଦୀ ସାଙ୍ଗିଆଧାରୀ? ସେ ନିରବ ମୋଦୀ ହୁଅନ୍ତୁ କି ଲଳିତ ମୋଦୀ କି ନରେନ୍ଦ୍ର ମୋଦୀ.. ।
ପରଦିନ ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ଗୁଜୁରାଟର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦୀ ସୁରଟ୍ ସିଜେଏମଙ୍କ କୋର୍ଟରେ କେସ୍ କରିଥିଲେ ।
୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ କୋର୍ଟ ଏହାର ରାୟ ଶୁଣାଇଥିଲେ । ମାଜିଷ୍ଟ୍ରେଟ୍ ଏଚଏଚ ବର୍ମା ରାହୁଲ ଗାନ୍ଧୀଙ୍କୁ ଆଇପିସି ୫୦୦ ଧାରାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡ ଦେଇଥିଲେ ।
ଏହାର ପରଦିନ ଲୋକସଭା ସଚିବାଳୟ ପକ୍ଷରୁ ତରବରିଆ ବିଜ୍ଞପ୍ତି ଜାରି କରାଯାଇ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଗଲା । ତା’ ପରଦିନ ତାଙ୍କୁ ସରକାରୀ ଭବନ ଖାଲି କରିବାକୁ ନୋଟିସ୍ ଦିଆଗଲା । ଏପ୍ରିଲ୍ ୨୨ ରେ ରାହୁଲ ସରକାରୀ ବଙ୍ଗଳା ଛାଡ଼ିଦେଲେ ।
ତଳକୋର୍ଟଙ୍କ ରାୟ ବିରୋଧରେ ଏପ୍ରିଲ ୩ ତାରିଖରେ ରାହୁଲ ସୁରଟ୍ ସେସନ୍ସ କୋର୍ଟରେ ଦୁଇଟି ଆବେଦନ କରିଥିଲେ । ୨ ବର୍ଷ ଜେଲଦଣ୍ଡ ଏବଂ ଦୋଷୀସାବ୍ୟସ୍ତରୁ ମୁକ୍ତି ପାଇଁ ପ୍ରାର୍ଥନା କଲେ । ଏପ୍ରିଲ୍ ୨୦ ତାରିଖରେ ଅତିରିକ୍ତ ସେସନ୍ସ ଜଜ୍ ଆରପି ମୋଗେରା ଏହି ଦୁଇଟିଯାକ ଆବେଦନକୁ ଅଗ୍ରାହ୍ୟ କରିଦେଲେ ।
ଜୁଲାଇ ୭ ରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ବିଚାରପତି ହେମନ୍ତ ପ୍ରଚଚଖ ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଥିଲେ । ତଳକୋର୍ଟଙ୍କ ରାୟ ଜଷ୍ଟ ଆଣ୍ଡ ଲିଗାଲ୍ ବୋଲି ମନ୍ତବ୍ୟ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାହୁଲ । ଯାହାର ରାୟ ଆଜି ଆସିଛି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ତାଙ୍କ ପ୍ରତିକ୍ରିୟାର ସତ୍ୟର ଜୟ ହେଲା ବୋଲି କହିଛନ୍ତି । ସାରା ଦେଶରେ କଂଗ୍ରେସ ଶିବିରରେ ଉତ୍ସାହ ଖେଳିଯାଇଛି । ଅନ୍ୟପକ୍ଷେ ବିଜେପି ଶିବିରରେ ନୈରାଶ୍ୟ ଖେଳିଯାଇଛି । ରାହୁଲ ଗାନ୍ଧୀଙ୍କୁ ବିଜେପି ହିରୋ କରିଦେଲା ବୋଲି ସାଧାରଣରେ କଟାକ୍ଷ ହେଉଛି ।