ଭୁବନେଶ୍ୱର: ଶହ ଶହ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟା ଫେରିବେ ପ୍ରଭୁ ଶ୍ରୀରାମ । ଭବ୍ୟ ମନ୍ଦିରରେ ବିରାଜମାନ କରିବେ ପ୍ରଭୁ । ରାତି ପାହିଲେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ଉଦଘାଟନ ଏବଂ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ସାରା ଦେଶ ଉତ୍ସବମୁଖର ହୋଇଛି ।
ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱାଦଶୀ (୨୨ ତାରିଖ) ଦିନ ୧୨ଟା ୧୫ ରୁ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ୧୨ଟା ୧୫ ରୁ ୧୨ଟା ୪୫ ଯାଏଁ ଏହି ୩୦ ମିନିଟ୍ ମାହେନ୍ଦ୍ର ବେଳା । ସେଥିମଧ୍ୟରେ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ୍, ମାତ୍ର ୮୪ ସେକେଣ୍ଡ ରହିବ ଦୁର୍ଲ୍ଲଭ ମୁହୂର୍ତ୍ତ । ସେହି ଦୁର୍ଲ୍ଲଭ ମୁହୂର୍ତ୍ତରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବ । ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଯଜମାନ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅନ୍ୟ ପାରମ୍ପରିକ କାର୍ଯ୍ୟ ହୋଇ ପ୍ରଭୁଙ୍କ ପାଖରେ ୫୬ ଭୋଗ ଲାଗିବ ଏବଂ ଏହାପରେ ମହାଦର୍ଶନ ଦେବେ ପ୍ରଭୁ ଶ୍ରୀରାମ ।
ରାମମନ୍ଦିର ଉଦଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ପାଇଁ ୫୪ଟି ଦେଶରୁ ୧୦୦ରୁ ଅଧିକ ପ୍ରତିନିଧି ଏବଂ ୫୦୦ ରୁ ଅଧିକ ରାଜ୍ୟ ଅତିଥି ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ସେଥିପାଇଁ ସାରା ସହରକୁ ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି ।
ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ କିନ୍ତୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁରେ ଡିଏମକେ ସରକାର ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି । ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ସରକାର ଆସନ୍ତାକାଲି ହାଫ୍ ଡେ ଛୁଟି ଘୋଷଣା କରିଛନ୍ତି ।