ପୁରୀ: ରଥଯାତ୍ରା ପ୍ରସ୍ତୁତିର ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାନା କରିଥିଲେ ।
କୋଭିଡ୍ କାରଣରୁ ଦୁଇବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେବ । ତେଣୁ ଏବର୍ଷ ବହୁକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ଆଗୁଆ ବନ୍ଦୋବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସମସ୍ତେ ଯେଭଳି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ୍ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତ ବନ୍ଧୁମାନଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ।
ଉନ୍ନୟନ କମିଶନରପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ଡିଜି ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।
ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।