ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର୍ର ଓ ଅପେରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡୁଛି । ଜଣେ ବିନ୍ଦାସ୍ ମଣିଷ ଭାବେ ଜଣାଶୁଣା ରାଇମୋହନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କାହାରି ବିଶ୍ୱାସ ହେଉନି । ୫୯ ବର୍ଷୀୟ ଏହି ପ୍ରଖ୍ୟାତ କଳାକାରଙ୍କର ଏଭଳି ଦୁଃଖଦ ମୃତ୍ୟୁ ଓଡ଼ିଆ ସିନେ ଜଗତକୁ ସ୍ତବ୍ଧ କରିଦେଇଛି । ସବୁଆଡ଼େ ଶୋକର ଛାୟା ଖେଳିଯାଇଛି ।
ପଡ଼ୋଶୀ ଓ ବନ୍ଧୁମାନଙ୍କ କହିବାନୁଯାୟୀ, ଗତକାଲି ସଂଧ୍ୟାରେ ଓ ଆଜି ସକାଳେ ଖୁବ୍ ସ୍ୱାଭାବିକ ଥିଲେ ରାଇମୋହନ । ମର୍ଣ୍ଣିଂ ୱାକ୍ କରିଥିଲେ । ୧୦ଟା ବେଳେ ଦୋକାନରୁ ଘର ପାଇଁ ସଉଦା ବି ଆଣିଥିଲେ । ତେବେ ତା’ ପରେ କ’ଣ ହୋଇଛି କେହି ଜାଣିନାହାନ୍ତି । ସକାଳୁ ଘରେ ପତ୍ନୀ ଓ ଦୁଇ ଝିଅ ଅନୁପସ୍ଥିତ ଥିବା କୁହାଯାଉଛି । ଦିନ ପ୍ରାୟ ୧୨ ଟାରେ ସେମାନେ ଘରକୁ ଫେରିଲା ପରେ ବେଡ୍ ରୁମ୍ ରେ ରାଇମୋହନଙ୍କୁ ଏକ ଶାଢ଼ୀରେ ମୃତ ଅବସ୍ଥାରେ ଝୁଲୁଥିବା ଦେଖିଲେ । ପରିବାର ଲୋକ ତୁରନ୍ତ ପୁଲିସକୁ ଜଣାଇଥିଲେ । ଘଟଣା ପ୍ରଚାରିତ ହୋଇଗଲା ପରେ ଘର ସାମନାରେ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଟିଭିରେ ଏହି ଖବର ଦେଖୁଥିବା ରାଇମୋହନଙ୍କ ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁମାନେ ଜମାରୁ ଏହାକୁ ବିଶ୍ୱାସ କରୁ ନ ଥିଲେ ।
ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ରାଇମୋହନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଓଲିଉଡ ସହଯୋଗୀ କଳାକାରଙ୍କ ସମେତ ରାଇମୋହନଙ୍କୁ ଭଲ ପାଉଥିବା ଶତାଧିକ ଶୁଭେଚ୍ଛୁଙ୍କର ସେଠାରେ ଗହଳି ହୋଇଥିଲା । ଅପରାହ୍ନ ୫ଟାରେ ଶବ ବ୍ୟବଚ୍ଛେଦ ସରିଲା ପରେ ମରଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରୁ ତାଙ୍କ ବାସଭବନ ନିଆଯାଇଛି । ଶେଷଦର୍ଶନ ପରେ ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି ।
ରାଇମୋହନ କାହିଁକି ଆତ୍ମହତ୍ୟା କଲେ ଏ ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରିଛି । ବନ୍ଧୁ ଓ ନିକଟ ସମ୍ପର୍କୀୟ କହୁଛନ୍ତି ଯେ ତାଙ୍କର କୌଣସି ଆର୍ଥିକ ସମସ୍ୟା ନ ଥିଲା । ବଡ଼ ଝିଅକୁ ବିବାହ ଦେଇସାରିଥିବା ବେଳେ ସାନ ଝିଅର ବିବାହ ପାଇଁ ସେ ପ୍ରସ୍ତୁତ ଥିଲେ । ସେଥିପାଇଁ ଅର୍ଥ ଯୋଗାଡ଼ କରି ରଖିଥିଲେ । ଅନ୍ୟପକ୍ଷରେ କ୍ୟାରିୟର୍ ଉପରେ ମଧ୍ୟ କୌଣସି ଚାପ ନ ଥିଲା । କୋଭିଡ୍ ପରେ ତାଙ୍କ ପାଖକୁ ଫିଲ୍ମ ଓ ଅପେରାର ଲମ୍ବା ଅଫର୍ ଥିଲା । ତେଣୁ ସେ କୌଣସି ସମସ୍ୟା କି ଚାପରେ ନ ଥିଲେ ବୋଲି ତାଙ୍କର ନିକଟତମ ମହଲରୁ ଜାଣିବାକୁ ମିଳିଛି ।
ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କିଛି ସନ୍ଦେହ କରୁଛନ୍ତି । ମାତ୍ର ତାଙ୍କର ପାରିବାରିକ ଜୀବନ ସୁଖମୟ ଥିଲା ବୋଲି ବନ୍ଧୁମାନେ କହିଛନ୍ତି । ଧରନ୍ତୁ କୌଣସି କାରଣରୁ କିଛି ଝଗଡ଼ା ହୋଇଥିଲା । ତେବେ ଏହା କେତେବେଳେ? ପୁଣି କ’ଣ ଏମିତି ଝଗଡ଼ା ହେଲା ଯେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ? ସକାଳୁ ପତ୍ନୀ ଓ ଝିଅ ବାହାରେ ଥିବାରୁ ଆଉ କାହା ସହ ତାଙ୍କର ଝଗଡ଼ା ହେଲା? ସବୁବେଳେ ଆତ୍ମହତ୍ୟାକୁ ଘୃଣା କରି ଅନ୍ୟକୁ ଉପଦେଶ ଦେଉଥିବା ଖୁସି ମଜାଜ୍ ର ମଣିଷଟି ସାମାନ୍ୟ ଝଗଡ଼ା କାରଣରୁ କ’ଣ ଆତ୍ମହତ୍ୟା କରିଦେବେ?
ସୂଚନାଥାଉକି, ରାଇମୋହନଙ୍କ ଶେଷ ମୋବାଇଲ୍ ମେସେଜ୍ ରେ ସେ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ “ବାଏ’ ଲେଖିଥିବା ମଞ୍ଚେଶ୍ୱର ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ତାଙ୍କ ପାଖରୁ ଏ ପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନାହିଁ । ପୁଲିସ ତଦନ୍ତ ଜାରି ରଖିଛି ।
୧୯୬୩ ମସିହାରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ । କରଞ୍ଜିଆ କଲେଜରୁ ପାଠପଢ଼ା ସରିଲା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇ ସେଠାରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୫ ମସିହାରେ ସେ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ‘ସାଗର’ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ । ତାଙ୍କ କ୍ୟାରିୟର୍ ରେ ସେ ୯୦ ଟି ଓଡ଼ିଆ ଚଳଚ୍ଚିତ୍ର ଓ ୧୫ ଟି ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି । ୪୦ ରୁ ଅଧିକ ନାଟକ ଓ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ପରଦା ଓ ମଞ୍ଚର ଦୁର୍ଦ୍ଦନ୍ତ ଖଳନାୟକ ରାଇମୋହନଙ୍କ ‘ଏ ଅନାନି..’ ଡାଇଲଗ୍ କୁ ଲୋକମାନେ ଏବେ ବି ଗୁଣୁ ଗୁଣୋଉଛନ୍ତି ।
ରାଇମୋହନଙ୍କ ମୃତୁ୍ୟରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ । ନାଟକୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ । ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି ।’