ଭୁବନେଶ୍ୱର: ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ମିଳିବା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଟଙ୍କା ସେ କେଉଁଠୁ ଆଣିଛନ୍ତି ଏ ପର୍ଯ୍ୟନ୍ତ ଠୋସ୍ ଜଣାପଡ଼ି ନ ଥିଲେ ମଧ୍ୟ ଗଞ୍ଜେଇ କାରବାରରୁ ଏହି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି । ତେବେ କନେଷ୍ଟବଳରୁ ଆଇଆଇସି ବନିଥିବା ଏହି ବାବୁ ଜଣେ ସାଧାରଣ ପୁଲିସ ନୁହଁନ୍ତି । ବିଭାଗରେ ତାଙ୍କର କୁଆଡ଼େ ଭୀଷଣ କାଟତି । ଯେଉଁଥିପାଇଁ ତାଙ୍କ ବିରୋଧରେ ତିନି ତିନୋଟି ପ୍ରୋସିଡିଂ ଥାଇ ମଧ୍ୟ ଅନାୟାସରେ ଆଇଆଇସିକୁ ପଦୋନ୍ନତି ପାଇଛନ୍ତି । ଆଉ ବୈପାରିଗୁଡ଼ା ଭଳି ଗଞ୍ଜେଇ ବେପାରର ପେଣ୍ଠସ୍ଥଳରେ ଥାନାବାବୁ ହୋଇଛନ୍ତି ।
୧୯୯୯ ମସିହାରେ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ବିଭାଗୀୟ ପରୀକ୍ଷା ଜରିଆରେ ସିଧାସଳଖ ଏସଆଇ ହୋଇଥିଲେ । ୨୦୦୯ ରୁ ୨୦୨୩ ପର୍ଯ୍ୟନ୍ତ ଏସଆଇ ଭାବେ କେନ୍ଦୁଝର, କଟକ, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାମ କରିଥିଲେ । ସବୁଠି ତାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଥିଲା । ଲାଞ୍ଚ ନେଇ ମଦ ବ୍ୟବସାୟୀଙ୍କୁ ଖଲାସ କରିବା, ମୁଦାଲାଙ୍କୁ ଛାଡ଼ିଦେବା ଭଳି ମଧ୍ୟ ଗୁରୁତର ଅଭିଯୋଗ ଥିଲା ।
ଭିଜିଲାନସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଶୃଙ୍ଖଳା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ସୁଶାନ୍ତ ଶତପଥୀଙ୍କ ନାମରେ ପୂର୍ବରୁ ତିନି ତିନି ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୨୦୧୨ ରେ ଜଗତସିଂହପୁର, ୨୦୧୮ ରେ କଟକ ଓ ୨୦୨୦ରେ ରାୟଗଡ଼ା ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୨୦୨୦ ଜାନୁଆରି ୩୦ରେ ରାୟଗଡ଼ା ଏସପି ତାଙ୍କୁ ନିଲମ୍ବିତ କରିଥିଲେ । ତିନି ତିନି ଜଣ ଏସପିଙ୍କ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଥାଇ ବି ଗତ ଜୁନ୍ ମାସରେ ତାଙ୍କୁ ସବ ଇନସପେକ୍ଟରରୁ ଇନସପେକ୍ଟରକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ମାସରେ ତାଙ୍କୁ ଗଞ୍ଜେଇ ବେପାରର ହବ୍ କୁହାଯାଉଥିବା ବୈପାରିଗୁଡ଼ାରେ ଥାନାବାବୁ ନିଯୁକ୍ତି ଦିଆଗଲା ।
ସୁଶାନ୍ତ ଶତପଥୀଙ୍କ କ୍ଷେତ୍ରରେ ଏସବୁ କେମିତି ସମ୍ଭବ ହେଲା ତାହା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି ଓ କଂଗ୍ରେସ ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି । ଜଣେ ମନ୍ତ୍ରୀଙ୍କ ଛତ୍ରଛାୟାରେ ସେ ନିଜର କାୟା ବିସ୍ତାର କରିଥିବା ବିଜେପି ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ଗତ ସୋମବାର ରାତିରେ ଆଇଆଇସି ସୁଶାନ୍ତ ଶତପଥୀ ବିପୁଳ ଟଙ୍କା ନେଇ ଏକ ଘରୋଇ ବସ୍ ରେ କଟକ ଯାଉଥିବା ଭିଜିଲାନସ୍ କୁ ସୂଚନା ମିଳିଥିଲା । ଟାଙ୍କୁଆ ଛକରେ ଭିଜିଲାନସ୍ ଟିମ୍ ତାଙ୍କୁ କାବୁ କରିଥିଲା । ତାଙ୍କ ବ୍ୟାଗ୍ ରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା । ବୈପାରିଗୁଡ଼ା ଥାନାସ୍ଥିତ ତାଙ୍କ ଚାମ୍ବର ତଲାସି ବେଳେ ନଗଦ ୧ ଲକ୍ଷ ୮୦ ହଜାର ଓ ସରକାରୀ କ୍ୱାର୍ଟର୍ସରୁ ନଗଦ ୩ ଲକ୍ଷ ମିଳିଥିଲା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଥିଲା ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା । ତାଙ୍କ ପାଖରେ ଗୋଟିଏ କ୍ରେଟା କାର୍, ବୁଲେଟ୍ ମଟର ସାଇକେଲ ଓ ସ୍କୁଟି ଅଛି । ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଉପରେ ଖୋଳତାଡ଼ ଜାରି ରହିଛି ।
ଘରେ ରଖିଥିବା ଏହି ବିପୁଳ ଟଙ୍କା କେଉଁଠୁ ଆଣିଲେ ତାହାର ଉତ୍ତର ଦେଇ ପାରି ନ ଥିଲେ ସୁଶାନ୍ତ । ଗତକାଲି ଜୟପୁର ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କର ଗିରଫକୁ ସ୍ଥାନୀୟ ଜନତା ବାଣ ଫୁଟାଇ ସ୍ୱାଗତ କରିଛନ୍ତି ।