ଭୁବନେଶ୍ୱର: ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ଖବରକାଗଜରେ ଆଜି ଏକ ଆକର୍ଷଣୀୟ ଶିରୋନାମାର ଫଟୋ ସମ୍ବଳିତ ଖବର ପ୍ରକାଶ ପାଇଛି । ଶିରୋନାମାଟି ହେଉଛି- ବୈଜୟନ୍ତଙ୍କୁ ଭେଟିଲେ ରେଖା, ରେଖାଙ୍କୁ ଭେଟିବାକୁ ଗଲେ ଧର୍ମେନ୍ଦ୍ର । ଖବରଟି ହେଉଛି- ଦିଲ୍ଲୀର ନବାଗତ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ଅଥଚ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଖାଙ୍କୁ ଭେଟିବା ପାଇଁ ତାଙ୍କ ପ୍ରକୋଷ୍ଠକୁ ଯାଇଥିଲେ ।
ଦିଲ୍ଲୀ ଦରବାରରେ ଧର୍ମେନ୍ଦ୍ରଙ୍କ ପୂର୍ବ ପତିଆରା ଆଉ ନାହିଁ । ତାଙ୍କ ଜାଗା ନେଇଯାଇଛନ୍ତି ବୈଜୟନ୍ତ । ଧର୍ମେନ୍ଦ୍ରଙ୍କ ପ୍ରଭାବ ଅପେକ୍ଷା ଏବେ ବୈଜୟନ୍ତ ଦିଲ୍ଲୀ ରାଜନୀତିରେ ଅଧିକ ପ୍ରଭାବଶାଳୀ ପରିଲିକ୍ଷିତ ହେଉଥିବା ତଥାଗତ ବାବୁଙ୍କ ଖବରକାଗଜର ଅନୁଭବ ହୋଇଛି ।
ତେବେ ତଥାଗତ ବାବୁଙ୍କ କାଗଜରେ ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ‘ପତିଆରା’ ଚିତ୍ରଣ କରାଯାଇଥିବା ଖବରର ଅଧା ଠିକ୍ ହୋଇଥିବା ବେଳେ ଅଧା ଭୁଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରେଖା ଗୁପ୍ତା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ସମ୍ଭାଳିଥିବା ବୈଜୟନ୍ତ ପଣ୍ଡାଙ୍କ ଘରକୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଯାଇଥିଲେ । ଠିକ୍ ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ହାଣ୍ଡଲରେ ଏହା ସ୍ପଷ୍ଟ ଭାବରେ ଲେଖି ଫଟୋ ଛାଡ଼ିଛନ୍ତି । ତେଣୁ ଏଥିରେ ଭ୍ରମିତ ହେବାର କିଛି ନାହିଁ ।








