ଭୁବନେଶ୍ୱର: ସତ୍ୟବାଦୀ ଟିକେଟ୍ ପାଇଁ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କ ମଧ୍ୟରେ ଲାଗିଥିବା କଳି ଜଟିଳ ରୂପ ନେଇଛି । ବ୍ରହ୍ମଗିରି ବଦଳରେ ସତ୍ୟବାଦୀରୁ ଲଢ଼ିବା ପାଇଁ ସଞ୍ଜୟ ଆଗକୁ ବଢ଼ିଥିବା ବେଳେ ଉମା କିନ୍ତୁ ନିଜ ଆସନ ଛାଡ଼ିବାକୁ ନାରାଜ । ଇତିମଧ୍ୟରେ ସଞ୍ଜୟଙ୍କର ଏକ କର୍ମୀ ସମ୍ମଳନୀ ଭିଡିଓ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଦାଣ୍ଡରେ ପକାଇଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି କଳିର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ହାତ ଟେକି ଦେଇଛନ୍ତି । ସତ୍ୟବାଦୀ କଳି ଶେଷରେ ନବୀନ ନିବାସରେ ପହଞ୍ଚିଛି ।
ଏଥର ସତ୍ୟବାଦୀରୁ ଉମା ସାମନ୍ତରାୟଙ୍କ ଟିକେଟ୍ କଟିବ ବୋଲି ବହୁ ଆଗରୁ ଶୁଣାଯାଉଛି । ଉମା ବିରୋଧୀ ଜନମତ ବୃଦ୍ଧି ପାଇଥିବାରୁ ବିଜେଡି ନେତୃତ୍ୱ ବିକଳ୍ପ ପ୍ରାର୍ଥୀ ସନ୍ଧାନରେ ଥିବା ମଝିରେ ଚର୍ଚ୍ଚା ହୋଇଥିଲା । ତେବେ ଦୀର୍ଘ ଦିନ ଧରି ବିଜେଡିରେ କୋଣଠେସା ରହିଥିବା ସଞ୍ଜୟ ଦାସବର୍ମାଙ୍କ ଗୁରୁତ୍ୱ ଫେରି ଆସିବା ପରେ ସେ ନିଜର ପୁରୁଣା ଆସନ ବ୍ରହ୍ମଗିରି ବଦଳରେ ସତ୍ୟବାଦୀରୁ ଲଢ଼ିବାକୁ କୁଆଡ଼େ ହାଇକମାଣ୍ଡଙ୍କ ଆଗରେ ଇଚ୍ଛା ପ୍ରକାଶ କରିଥିଲେ । ଯାହା ଉମାଙ୍କ କ୍ୟାମ୍ପ୍ ରେ ଗୁଞ୍ଜରଣ ସୃଷ୍ଟି କରିଥିଲା ।
ମାତ୍ର ନିକଟରେ କଣାସରେ ଏକ କର୍ମୀ ସମ୍ମିଳନୀରେ ଉମା ନିଜକୁ ସତ୍ୟବାଦୀ ପ୍ରାର୍ଥୀ ବୋଲି ଘୋଷଣା କରି କର୍ମୀଙ୍କ ମନରେ ଥିବା ଦ୍ୱନ୍ଦ ଦୂର କରିବାକୁ ଚେଷ୍ଟା କରିଥିଲେ । କିଏ କ’ଣ ପ୍ରଚାର କରୁଛନ୍ତି ସେଥିରେ ଧ୍ୟାନ ନଦେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏପରିକି ନିଜ ଆଖିରୁ ଲୁହ ଗଡ଼ାଇ ଇମୋସନାଲ୍ କାର୍ଡ ମଧ୍ୟ ଖେଳିଥିଲେ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
ଅନ୍ୟପକ୍ଷରେ ସଞ୍ଜୟ ଦାସବର୍ମା କିନ୍ତୁ ନଛୋଡ଼ବନ୍ଧା । ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଛନ୍ତି । ସେଥିପାଇଁ ଉପରୁ ଗ୍ରୀନ୍ ସିଗନାଲ୍ ମିଳିଛି । ଏହା ଶତ ପ୍ରତିଶତ ଧରିନିଅନ୍ତୁ ବୋଲି ଭୁବନେଶ୍ୱରର ଧଉଳିଠାରେ ଗତକାଲି ଅନୁଷ୍ଠିତ କର୍ମୀମାନଙ୍କ ବୈଠକରେ କହିଥିଲେ ।
ଅବଶ୍ୟ ସଞ୍ଜୟଙ୍କ ଅଜାଣତରେ ଜଣେ କର୍ମୀ ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କଲା ପରେ ଉମା ସାମନ୍ତରାୟଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଛି । ସଞ୍ଜୟଙ୍କ ନାଁ ନ ନେଇ ଗଣମାଧ୍ୟମକୁ କହିଛନ୍ତି, କିଏ କ’ଣ କହିଲା ସେଥିରେ ଯାଏ ଆସେ ନାହିଁ । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି । ସତ୍ୟବାଦୀ କହିଲେ ଉମା ସାମନ୍ତରାୟ । ମୁଁ ଏଠାରୁ ନିଶ୍ଚିତ ଲଢ଼ିବି ବୋଲି ଉମା ଦମ୍ଭ ଦେଖାଇଛନ୍ତି ।
ସଞ୍ଜୟ ଓ ଉମାଙ୍କ ଏହି କଳି ତୁଟେଇବା ପାଇଁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶଙ୍ଖ ଭବନରେ ଉଭୟଙ୍କୁ ବସାଇ ଆଲୋଚନା କରିଥିଲେ । ଘଣ୍ଟାଏ ପରେ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରି ନ ଥିଲା । ବରଂ କଳି ଅଧିକ ତେଜିଥିବା କୁହାଯାଉଛି । ଫଳରେ ନବୀନ ନିବାସର ହସ୍ତକ୍ଷେପ ଦରକାର ପଡ଼ିଛି । ହାଇକମାଣ୍ଡ ଏହି ବିବାଦର କ’ଣ ସମାଧାନ କରୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Continue Reading