ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ହୋଇଛନ୍ତି ଡକ୍ଟର ସସ୍ମିତ୍ ପାତ୍ର । କ୍ରମାଗତ ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ସସ୍ମିତ୍ ଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାୟିତ୍ୱରେ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ସସ୍ମିତ୍ ଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି । ସେହିଭଳି ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ଶ୍ରୀମତୀ ସୁଲତା ଦେଓଙ୍କୁ ବିଜେଡିର ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଯୁକ୍ତି ଦେଇଛନ୍ତି ।
ରାଜ୍ୟସଭାରେ ନବନିଯୁକ୍ତ ବିଜେଡି ସଂସଦୀୟ ଦଳ ନେତା ସସ୍ମିତ୍ ପାତ୍ର ଖୁବ୍ କମ୍ ସମୟ ଭିତରେ ଜଣେ ଉଚ୍ଚକୋଟିର ସାଂସଦ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଓଡିଆ ସମେତ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ତାଙ୍କର ତର୍କ ବିତର୍କ ସମସ୍ତଙ୍କୁ ଆକୃଷ୍ଟ କରିଛି । ଖୋଦ୍ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ତାଙ୍କର ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେଥିପାଇଁ ରାଜ୍ୟସଭାରେ ଦୁଇଟି ଯାକ ପାଳିରେ ସସ୍ମିତ୍ ଙ୍କୁ ଉପାଧ୍ୟକ୍ଷ ପ୍ୟାନେଲ୍ ରେ ନିଯୁକ୍ତି ମିଳିଛି । ପ୍ରଥମ ଥର ରାଜ୍ୟସଭାକୁ ଯାଇ ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ ହେବାରେ ସେ ହେଉଛନ୍ତି ସର୍ବକନିଷ୍ଠ ସାଂସଦ ।
ସୂଚନାଥାଉକି, ଡ. ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓଙ୍କ ସହ ଏଥର ରାଜ୍ୟସଭାକୁ ନିର୍ବାଚିତ ମାନସ ରଂଜନ ମଙ୍ଗରାଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି । ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଦୁଇଦିନ ତଳେ ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷକୁ ଦୁଇଜଣ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ନିର୍ବାଚିତ ହେବାର ବ୍ୟବସ୍ଥା ଥିବା ବେଳେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ଏହି ସୌଭାଗ୍ୟ ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଛି ।