ଭୁୁବନେଶ୍ୱର: ଓଡ଼ିଶା ବିଜେପିରେ ପ୍ରସନ୍ନ ମିଶ୍ର ଏକ ପରିଚିତ ନାଁ । ମାନ୍ୟଗଣ୍ୟ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ । ସାଂଗଠନିକ ମନ୍ତ୍ରୀ ଭାବେ ଏକଦା ତାଙ୍କର ପ୍ରବଳ ଖାତିର ଥିଲା । ଦଳରେ ତାଙ୍କ ପ୍ରତି ସମ୍ମାନ ଓ ଆଦର ଆଜି ବି ରହିଛି । ମାତ୍ର ତାଙ୍କୁ ନେଇ ପାୱାର୍ କରିଡରରେ ଏକ ସାଂଘାତିକ ଚର୍ଚ୍ଚା ହେଉଛି ।
ଶ୍ରୀଯୁକ୍ତ ମିଶ୍ର କିଛି ଦିନ ତଳେ କୌଣସି ଏକ କାର୍ଯ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଭେଟିବାକୁ ଲୋକସେବା ଭବନ ଆସିଥିଲେ । ତାଙ୍କ ଦଳ ସରକାରକୁ ଆସିଥିଲେ ବି କୌଣସି ମନ୍ତ୍ରୀଙ୍କ ପାଖକୁ କେବେ ସେ ଆସିବା କେହି ଦେଖି ନ ଥିଲେ । ସେଦିନ ବ୍ୟତିକ୍ରମ ହୋଇଥିଲା । ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସି ବାହାରେ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲା । ସ୍ଲିପ୍ ପଠାଇ ଡାକରାକୁ ଚାହିଁ ରହିଲେ ବିଜେପିର ଏହି ପୁରୁଖା ନେତା । ସେତେବେଳେ ମ୍ୟାଡାମ୍ କୌଣସି ଜରୁରୀ କାର୍ଯ୍ୟବ୍ୟସ୍ତତାରେ ନ ଥିଲେ ମଧ୍ୟ ବୋଧହୁଏ ସୌଜନ୍ୟତା ଭୁଲିଗଲେ । ୩୫ ମିନିଟ୍ ପରେ ଯାଇ ପ୍ରସନ୍ନଙ୍କୁ ଭିତରକୁ ଡାକିଲେ ।
ସାକ୍ଷାତ ସାରି ବାହାରିଲା ବେଳେ ପ୍ରସନ୍ନଙ୍କ ମୁହଁରେ ବିଷର୍ଣ୍ଣତା ଥିଲା । ଅପମାନିଆ ଦିଶୁଥିଲେ । ୟା ଭିତରେ ପ୍ରଭାତୀ ଏତେ ବଡ଼ ନେତା ହୋଇଗଲା? ସାଙ୍ଗରେ ଯାଇଥିବା ଲୋକ ଆଗରେ ଶ୍ରୀ ମିଶ୍ର ଏହି ମନ୍ତବ୍ୟ ଦେଉଥିବା ଲୋକସେବା ଭବନରୁ ଶୁଣିବାକୁ ମିଳିଛି ।
କଥାଟି ସତ ହୋଇଥିଲେ ନିଶ୍ଚିତ ସାଂଘାତିକ ।