ଭୁବନେଶ୍ୱର: ଓଡ଼ିଶା ପୁଲିସର କାର୍ଯ୍ୟ ନେଇ ଖୁସି ଅଛନ୍ତି ଡିଜିପି ଶ୍ରୀ ଅଭୟ । ରାଜ୍ୟରେ ଅପରାଧର ମାତ୍ରା କମିଛି ଏବଂ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ଆଇପିଏସ୍ ଅଫିସର ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ପୁଲିସର କାର୍ଯ୍ୟକୁ ଡିଜିପି ଭୁରି ଭୁରି ପ୍ରଶଂସା କରିଛନ୍ତି ।
କରୋନା ମହାମାରୀ ମୁକାବିଲାରେ ପୁଲିସର ସେବାମୂଳକ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି । ରାଜ୍ୟରେ ମାଓ ଦମନ, ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ରୋକିବାରେ ପୁଲିସ ସଫଳ ହୋଇଛି । ସ୍ୱାଭିମାନ ଅଞ୍ଚଳକୁ ସମ୍ଭାଳିବାରେ ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହା ପଛରେ ୫-ଟି ର ଅବଦାନକୁ ଡିଜି ଉଲ୍ଲେଖ କରିବା ସହ ଓଡ଼ିଶା ପୁଲିସ ନୂଆ ଭାବମୂର୍ତ୍ତି ସୃଷ୍ଟି କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଶିଶୁ ଓ ମହିଳା ସୁରକ୍ଷା, ସାଇବର ଅପରାଧ ବୃଦ୍ଧି ଉପରେ ଡିଜିପି ଚିନ୍ତାପ୍ରକଟ କରି ଏହାକୁ ବଡ଼ ଚାଲେଂଜ ଭାବେ ଗ୍ରହଣ କରିଛନ୍ତି ।
ଡିଜିପିଙ୍କ ତଥ୍ୟ ଅନୁଯାୟୀ, କରୋନା ଯୁଦ୍ଧରେ ୪୭ ଜଣ ପୁଲିସ ପ୍ରାଣ ହରାଇଛନ୍ତି । ୯୦୦ ରୁ ଅଧିକ ପୁଲିସ ପ୍ଲାଜମା ଦାନ କରିଛନ୍ତି । ଚଳିତବର୍ଷ ୨୨ ମାଓବାଦୀ ଗିରଫ ହୋଇଥିବା ବେଳେ ୨୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୭ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ଗଞ୍ଜେଇ ଚୋରାଚାଲାଣ ଓ ଡ୍ରଗ୍ସ କାରବାର ଉପରେ ରୋକ୍ ଲାଗିଛି । ରେକର୍ଡ ପରିମାଣର ୨ ହଜାର କେଜିରୁ ଅଧିକ ଗଞ୍ଜେଇ ଓ ୩୪ କେଜି ବ୍ରାଉନସୁଗାର ଜବତ ହୋଇଛି ।
ଅପରାଧ ଦମନ, ତ୍ୱରିତ ତଦନ୍ତ ଓ ନିଶା କାରବାର ରୋକିବା କ୍ଷେତ୍ରରେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଓ ଅନୁଗୁଳ ଏସପିଙ୍କ ସମେତ ଏସଡିଏଫ ଡିଆଇଜି, ଏସଆଇଡବ୍ଲୁ ଅଧିକାରୀ ଏବଂ ଭୁବନେଶ୍ୱର, କଟକ ଡିସିପିଙ୍କୁ ପ୍ରଶଂସା କରିଛନ୍ତି ଡିଜିପି ।
ଆସନ୍ତାକାଲି ଏହି ଭର୍ଚୁଆଲ୍ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେବେ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ୍ ରାୱତ । ଦେଶର ସୁରକ୍ଷା ଓ ପୁଲିସର ଭୂମିକା ଉପରେ ସେ ତାଙ୍କର ବକ୍ତବ୍ୟ ରଖିବେ । ବୁଧବାର ଦିନ ଉଦଯାପନ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।