ଭୁବନେଶ୍ୱର: ୧୯୯୩ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ମାଡ଼ି ଆସିଲା ଭୟଙ୍କର ବିପଦ । । ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୌଦ୍ୱାର ସର୍କଲ୍ ଜେଲ୍ ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ । ସେହି ଅଭିଯୋଗକ୍ରମେ କମିଶନରେଟ୍ ପୁଲିସ ସୁଶାନ୍ତ ନାଥଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତାଙ୍କ ବିରୋଧରେ ବିଏନଏସ୍ ର ଧାରା ୭୫(୨), ୩୫୧(୨),୩(୫)ରେ ମାମଲା ରୁଜୁ ହୋଇଛି । ଗତକାଲି କମିଶନରେଟ୍ ପୁଲିସ ପକ୍ଷରୁ ଗୃହ ବିଭାଗକୁ ଏହା ଅବଗତ କରାଯିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଗୃହ ବିଭାଗର ଓଏସଡି କରାଯାଇଛି ।
କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଦେବା ସହ କ୍ୟାରିୟର ଖତମ୍ କରିବାକୁ ସୁଶାନ୍ତ ନାଥ ତାଙ୍କୁ ଧମକ ଦେଇଥିଲେ ବୋଲି ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଗତକାଲି ଏତଲା ଦେଇଛନ୍ତି ।
ସେଥିରେ ଦର୍ଶାଇଛନ୍ତି ଯେ ୨୦୨୫ ଜୁନ୍ ୧୬ ତାରିଖରେ ଜେଲ୍ ଡିଜି ସୁଶାନ୍ତ ନାଥ ଚୌଦ୍ୱାର ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ତାଙ୍କ ସହ ପ୍ରଥମ ଦେଖା ହୋଇଥିଲା । ସେଠାରେ କୁଲଦୀପ ରଥ ବୋଲି ତାଙ୍କର କେହି ଜଣେ ବନ୍ଧୁଙ୍କ ସହ ପରିଚିତ କରାଇଥିଲେ । କୁଲଦୀପ ତାଙ୍କ ମୋବାଇଲ ନମ୍ବର ନେଇଥିଲେ । ତାହାପରେ ବାରମ୍ବାର ତାଙ୍କୁ ମେସେଜ୍ କରିଥିଲେ । ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବର ୨୫ରେ ତାଙ୍କୁ ଦୁଇ ଦୁଇ ଥର ହୋଟେଲରେ ଡିନର୍ ପାଇଁ ଆମନ୍ତ୍ରଣ କରିଥିଲେ । ଜେଲ୍ ଡିଜି ତାଙ୍କୁ ଏକୁଟିଆ ଭେଟିବା ପାଇଁ ଚାହୁଁଥିବା କହିଥିଲେ । ମାତ୍ର ସନ୍ତୋଷିନୀ ସେଥିରେ ରାଜି ହୋଇ ନ ଥିଲେ । ଡିଜି ତାଙ୍କ ସହ ଯାହା କଥା ହେବା କଥା ଅଫିସରେ ହୁଅନ୍ତୁ ବୋଲି ସେ ରୋକଠୋକ୍ କହିଥିଲେ ।
ସେହି କାରଣରୁ ତାଙ୍କୁ ଆକ୍ରୋଶମୂଳକ ଭାବେ ଗତ ଫେବ୍ରୁଆରୀ ୧୯ରେ ଚାକିରିରୁ ନିଲମ୍ବନ କରାଯାଇଥିଲା । ତାଙ୍କ ବିରୋଧରେ ୫ଟି ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରାଯାଇ ଦରମା ଏବଂ ଭତ୍ତାକୁ ବନ୍ଦ କରି ଦିଆଗଲା । ଏହାଦ୍ୱାରା ତାଙ୍କର ଦୁଇ ନାବାଳିକା ଝିଅକୁ ଧରି ଚଳିବା କଷ୍ଟକର ହୋଇପଡ଼ିଲା । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ହସ୍ତକ୍ଷେପ ଫଳରେ ୬ ମାସ ପରେ ତାଙ୍କୁ ତାଙ୍କର ପ୍ରାପ୍ୟ ମିଳିଲା ।
ଗତ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ଏ ନେଇ ଡିଜି ସୁଶାନ୍ତ ନାଥଙ୍କୁ ସେ ଭେଟିବା ବେଳେ ପୂର୍ବରୁ ଭେଟିବାକୁ ରାଜି ହୋଇଥିଲେ ଏଭଳି ଦଣ୍ଡ ଭୋଗିବାକୁ ପଡ଼ି ନ ଥାନ୍ତା ବୋଲି କହିଥିଲେ । ତତ୍କାଳୀନ ଜେଲ୍ ସୁରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ବିରୋଧରେ ଦେଇଥିବା ପୂବ ଏତଲାକୁ ପ୍ରତ୍ୟାହାର ପାଇଁ ମଧ୍ୟ ଡିଜି ଚାପ ପକାଇଥିଲେ ବୋଲି ସନ୍ତୋଷିନୀ ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ୨୦୨୫ ଦଶହରା ବେଳେ ଅକ୍ଟୋବର ୩ ରେ ଚୌଦ୍ୱାର ସର୍କଲ୍ ଜେଲରୁ ଦୁଇଜଣ କୁଖ୍ୟାତ ବିହାରୀ କଏଦୀ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଫେରାର ହୋଇଯିବା ଘଟଣାରେ ତକ୍ରାଳୀନ ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜେଲର ସନ୍ତୋଷିନୀ ଦାଶ । ଓଲଟି ତାଙ୍କୁ ଫସାଇବା ପାଇଁ ତାଙ୍କର ଦସ୍ତଖତ ଏବଂ ଜେଲ୍ ମିନିଟ୍ ବୁକରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ସୁଜିତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ଶ୍ରୀ ବରାଳ ଚାକିରିରୁ ସସପେଣ୍ଡ ହୋଇ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ । ଏହି ଘଟଣାରେ ଜେଲ୍ ଡିଜି ସୁଶାନ୍ତ ନାଥଙ୍କର ଭୂମିକାକୁ ନେଇ ମଧ୍ୟ ପ୍ରବଳ ଚର୍ଚ୍ଚା ହୋଇଥିଲା ।
ସୁଶାନ୍ତଙ୍କ ପଛରେ କେବଳ ଏଇ ଗୋଟିଏ ବିବାଦ ନୁହେଁ, ସୁପ୍ରିମକୋର୍ଟରେ ଅଟକି ରହିଥିବା ଡିଜିପି ନିଯୁକ୍ତି ମାମଲାରେ ସେ ବିବାଦର କେନ୍ଦ୍ରବିନ୍ଦୁ । ଓପିଆରବି ପରୀକ୍ଷା ମାମଲା ଆଳରେ ବରିଷ୍ଠତା ତାଲିକାରୁ ସରକାର ତାଙ୍କ ନାଁ ଶେଷ ମୁହୂର୍ତ୍ତରେ ବାଦ୍ ଦେଇଥିଲେ । ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଶୁଣାଣି ଚାଲିଥିବାରୁ ଡିଜିପି ନିଯୁକ୍ତି ଅଟକି ରହିଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ ପକ୍ଷ ହୋଇଛନ୍ତି ସୁଶାନ୍ତ ନାଥ ।
୮ ଆଇପିଏସଙ୍କ ବଦଳି
ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ସମେତ ୮ ଜଣ ଆଇଏଏସ୍ ଙ୍କ ଏବଂ ଜଣେ ବରିଷ୍ଠ ଓପିଏସ୍ ଅଧିକାରୀଙ୍କ ବଦଳି ତାଲିକା ଗୃହ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଛି । ସୁଶାନ୍ତ ନାଥଙ୍କୁ ହଟାଯାଇ ଡକ୍ଟର ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରିବହନ କମିସନର ଅମିତାଭ ଠାକୁରଙ୍କଠାରୁ ଜେଲ୍ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି । ଏସଏପିର ଅତିରିକ୍ତ ଡିଜି ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନସ୍ ଡିଆଇଜି ପଦରେ ଅବସ୍ଥାପିତ କରାଯାଇଛି । ଝାରସୁଗୁଡ଼ା ଏସପି ଜି.ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୁଲିସ ମୁଖ୍ୟାଳୟର ଏଆଇଜି, ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଏସପି, ଖୋର୍ଦ୍ଧା ଅତିରିକ୍ତ ଏସପି ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସପି ଏବଂ ପୁଲିସ ମୁଖ୍ୟାଳୟ ଏଆଇଜି ତପନ ନାରାୟଣ ରଥ(ଓପିଏସ୍)ଙ୍କୁ ନୂଆପଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି ।