ପୁରୀ: ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ନିମନ୍ତେ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ- ଲ ବା ଚିଠା ଅଧିନିୟମକୁ ପ୍ରବଳ ବିରୋଧ ହୋଇଛି । ପୁରୀରେ ବିଭିନ୍ନ ନିଯୋଗର ସେବାୟତମାନେ ସିଂହଦ୍ୱାର ସାମନାରେ ପ୍ରତିବାଦ ଆନେ୍ଦାଳନ କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଚିଠା ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)କୁ ଚିଠି ଲେଖିଛନ୍ତି ।
ଓଡ଼ିଆ ଓ କୋଟି କୋଟି ହିନ୍ଦୁଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ରହ୍ମଦାରୁ ଭାବେ ମୂଳପୀଠ ପୁରୀରେ ପୂଜା ପାଉଥିବା ବେଳେ ଭକ୍ତଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଉପରେ କୌଣସି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ସେବକ, ଭକ୍ତ ଓ ସର୍ବୋପରି ମହାପ୍ରଭୁଙ୍କ ସ୍ୱାର୍ଥରେ ପ୍ରସ୍ତାବିତ ବାଇ-ଲ ବାଧକ ହେବ । ମହାପ୍ରଭୁ ଓ ଭକ୍ତଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ପ୍ରସ୍ତାବ ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ବରଂ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଡ. କ୍ରିଷନ୍ କୁମାର ଆହୁରି ଲେଖିଛନ୍ତି ଯେ ମନ୍ଦିର ଚାରିପଟେ ଥିବା ପୁରାତନ ସାହିଗୁଡ଼ିକରେ ସେବାୟତ ପରିବାର ରହି ଆସୁଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତିରେ ସେବାୟତମାନଙ୍କ ପ୍ରମୁଖ ଭୂମିକା ଥିବାରୁ ପ୍ରସ୍ତାବିତ ଅଧିନିୟମ ଦ୍ୱାରା ସେମାନେ ପ୍ରଭାବିତ ହେବେ ।
ସେହିଭଳି ମହାପ୍ରଭୁଙ୍କ ଦର୍ଶନରେ ଦୈନିକ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ଆନୁସଙ୍ଗିକ ବ୍ୟବସ୍ଥାରେ ଏହା ବାଧା ଉପୁଜାଇବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଐତିହ୍ୟ କରିଡ଼ର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପ୍ରସ୍ତାବିତ ଅଧିନିୟମ ଏହାର ବିକାଶରେ ବାଧକ ସୃଷ୍ଟି କରିବ । ଏସବୁ ଦୃଷ୍ଟିରୁ ଚିଠା ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଏନଏମଏର ପ୍ରସ୍ତାବିତ ଅଧିନିୟମରେ ସଂରକ୍ଷିତ ସ୍ମାରକ (ଶ୍ରୀମନ୍ଦିର)ରୁ ୧୦୦ ମିଟର ଯାଏଁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବନି । ସେଠାରୁ ଆଉ ୨୦୦ ମିଟର ପରିଧି ନିୟନ୍ତ୍ରିତ ଅଞ୍ଚଳ ଭାବେ ଚିହ୍ନଟ ହେବ । ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଏମଏର ଅନୁମତି ନେବାକୁ ପଡ଼ିବ । ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ ଉଚ୍ଚତା କଟକଣା ରହିବ । ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନ ଆଣିଲା ଭଳି ନିର୍ମାଣର ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି ।
ପ୍ରସ୍ତାବିତ ଅଧିନିୟମ କାର୍ଯ୍ୟକାରୀ ହେଲେ ଐତିହ୍ୟ ବିକାଶକୁ ଝଟକା ହେବା ସହ ଶ୍ରୀମନ୍ଦିରର ୩୦୦ ମିଟର ଚୌହଦିରେ ରହୁଥିବା ସେବାୟତ ପରିବାର ଗୁରୁତର ଭାବେ ପ୍ରଭାବିତ ହେବେ । ଏଇ ଅଧିନିୟମ ଉପରେ ଏନଏମଏ ପକ୍ଷରୁ ସର୍ବସାଧାରଣ ମତାମତ ଲୋଡାଯାଇଛି । ଫେବୃଆରୀ ୧୮ ତାରିଖ ସୁଦ୍ଧା ମତାମତ ଓ ପରାମର୍ଶ ଦେବାକୁ କର୍ତ୍ତୃପକ୍ଷ ଆହ୍ୱାନ ଦେଇଛନ୍ତି ।