ଭୁୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଶ୍ରୀମତୀ ଅବନ୍ତୀ ଦାସ । ସେ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା । ମିଶନ ଶକ୍ତି ଏସଏଚଜିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ସମସ୍ତଙ୍କୁ ଚକିତ କରି ଆଜି ଦଳ ପକ୍ଷରୁ ଏହି ନାଁ ଘୋଷଣା କରାଯାଇଛି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସହ ତାଙ୍କର ଲଢ଼େଇ ହେବ ।
ଏହି ଆସନରୁ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିଲେ ରାଜେନ୍ଦ୍ର ଦାସ । ବିଜେପି ପ୍ରାର୍ଥୀଙ୍କଠାରୁ ମାତ୍ର ୪, ୬୨୫ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଥିଲେ । ଏହା ପୂର୍ବରୁ ୨୦୦୯ ରେ ସେ ବିଷ୍ଣୁ ସେଠୀଙ୍କୁ ୪,୯୪୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟକ ହୋଇଥିଲେ । ମାତ୍ର ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା । ତାଙ୍କ ଜାଗାରେ ମୁକ୍ତିକାନ୍ତ ମଣ୍ଡଳ ପ୍ରାର୍ଥୀ ହୋଇଥିଲେ ଏବଂ ଜିତିଥିଲେ । ୨୦୧୯ ରେ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପୁନର୍ବାର ପ୍ରାର୍ଥୀ କରିଥିଲେ ମଧ୍ୟ ମୁକ୍ତିକାନ୍ତ ତାଙ୍କୁ ସହଯୋଗ କରି ନ ଥିବା ଅଭିଯୋଗ ହୋଇଥିଲା । ଆଉ ଦଳରେ ଏହି ଗୋଷ୍ଠୀ କନ୍ଦଳର ଫାଇଦା ବିଜେପିକୁ ଯାଇଥିଲା ।
ଏଥର ଉପନିର୍ବାଚନରେ ରାଜେନ୍ଦ୍ର ଟିକେଟ ପାଇବାକୁ ଆଶା ବାନ୍ଧିଥିଲା ବେଳେ ମୁକ୍ତିକାନ୍ତଙ୍କ ଗୋଷ୍ଠୀ ତାଙ୍କୁ ପ୍ରବଳ ବିରୋଧ କରୁଥିବା ଚର୍ଚ୍ଚା ହୋଇଥିଲା । ମୁକ୍ତିକାନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ସେମାନେ ଅଡ଼ି ବସିଥିଲେ । ସେପଟେ ଆଉ ଏକ ଗୋଷ୍ଠୀ ଡାକ୍ତର ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଗୋଟି ଚାଳନା କରିଥିଲେ । ଦଳ ଭିତରେ ଏହି ବିବାଦ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଥିଲା ।
ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ବିଜେଡି ନେତୃତ୍ୱ ଉଦ୍ୟମ କରି ଆଜି ଭୁବନେଶ୍ୱରରେ ସବୁ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଦୁହିଁଙ୍କ କଳିରୁ ତୃତୀୟ ପକ୍ଷର ଲାଭ ହେଲା ଭଳି ଶେଷରେ ନବାଗତ ଅବନ୍ତୀ ଦାସଙ୍କ ମୁଣ୍ଡରେ ସୁନା କଳସ ଢ଼ଳା ହୋଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କର ସେ ଦୃଢ଼ ସମର୍ଥକ ବୋଲି କୁହାଯାଉଛି ।