ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ବସିବ । ଏଥିରେ ୫ଟି କାର୍ଯ୍ୟଦିବସ ରହିବ । ୧୭ତମ ଲୋକସଭାର ଏହା ହେବ ୧୩ତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ ତମ ଅଧିବେଶନ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଏହି ସୂଚନା ଦେଇଛନ୍ତି ।
ନିକଟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ସେବା ବିଲ୍ ସହ ସମୁଦାୟ ୨୩ଟ ବିଲ୍ ପାସ୍ ହୋଇଥିଲା । ମଣିପୁର ପ୍ରସଙ୍ଗରେ ଏନଡିଏ ସରକାରଙ୍କ ବିରୋଧରେ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ମୌସୁମୀ ଅଧିବେଶନ ସରିବାର ୨୦ ଦିନ ପୂରିନି । ଆଗକୁ ସେପ୍ଟେମ୍ବର ୯ ଏବଂ ୧୦ ରେ ଜି-୨୦ ସମ୍ମିଳନୀ ଅଛି । ଏହା ପରେ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକରାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶରେ ଆଗୁଆ ନିର୍ବାଚନ ପାଇଁ ଏଥିରେ ପ୍ରସ୍ତାବ ପାରିତ ହୋଇପାରେ ବୋଲି ବେଶୀ ଚର୍ଚ୍ଚା ହେଉଛି । ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବ ବୋଲି କୁହାଯାଉଛି ।
ତେବେ କଂଗ୍ରେସ ସମେତ ଇ-ଣ୍ଡି-ଆ ମେଣ୍ଟଅନ୍ୟ ସହଯୋଗୀ ଦଳଗୁଡ଼ିକ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକରାକୁ ସମାଲୋଚନା କରିଛନ୍ତି । ଏଥିରେ ହୀନ ରାଜନୈତିକ ଉଦେ୍ଦଶ୍ୟ ଥିବା ସେମାନେ ପୃଥକ୍ ବିବୃତିରେ କହିଛନ୍ତି ।