ଭୁବନେଶ୍ୱର: ‘ପାଣ୍ଡିଆନ’ ଫ୍ୟାକ୍ଟର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ମହଙ୍ଗା ହୋଇଯାଇଛି । ଦଳରେ ତାଙ୍କର ସେହି ପୂର୍ବ ଖାତିର ଆଉ ନାହିଁ । ଦଳୀୟ ଶୃଙ୍ଖଳା ଆଳରେ ତାଙ୍କ ତାଗିଦକୁ ବେଖାତିର କରିବାକୁ ସାହାସ କଲେଣି ବରିଷ୍ଠ ନେତା । ୱକଫ୍ ପ୍ରସଙ୍ଗରେ ଦଳରେ ବୋହୁଥିବା ପାଣ୍ଡିଆନ୍ ଝଡ଼ ପ୍ରଶମିତ କରିବାକୁ ଦିନକ ପୂର୍ବରୁ ନାଲି ଆଖି ଦେଖାଇଥିଲେ । ମାତ୍ର ତାଙ୍କର ସେହି ନାଲି ଆଖିକୁ ଫୁ କରିଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ନୃସିଂହ ସାହୁ ।
ନବୀନଙ୍କ ବୟାନ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି । ବିଜେଡି ନେତାମାନେ ଶଙ୍ଖ ଭବନରେ ବସି ମିଟିଂ କରିବେ, କେଉଁ ହୋଟେଲରେ ବସିପାରିବେନି ବୋଲି ନବୀନଙ୍କ ତାଗିଦକୁ ସେ ଫୁତକାର୍ ମାରିଛନ୍ତି । କହିଛନ୍ତି, ଆମ କେଉଁଠି ବସିବୁ ନ ବସିବୁ କେହି ନାଲି ଆଖି ଦେଖାଇ ପାରିବେ ନାହିଁ । ଏହା ଆମର ବ୍ୟକ୍ତିଗତ କଥା । ଆମେ ହୋଟେଲ୍ ରେ ବସିପାରିବୁନି କହିବା ଠିକ୍ ନୁହେଁ । ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ । ପାର୍ଟି ମିଟିଂ ବାହାରେ ଅନ୍ୟ କେଉଁଠି କଥା ହେବାରେ ଅସୁବିଧା କେଉଁଠି? ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
ସେହିଭଳି ନୃସିଂହ ସାହୁ ନବୀନଙ୍କ ତାଗିଦ୍ କୁ ଡରି ନାହାନ୍ତି । ପ୍ରଫୁଲ୍ଲଙ୍କ ଭଳି ସେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ବ୍ୟକ୍ତିଗତ ଭାବେ କିଏ କେଉଁଠି ଚା ପିଇଲା କି କଥାବାର୍ତ୍ତା ହେଲା ଶଙ୍ଖଭବନର ଆବଶ୍ୟକତା ନାହିଁ । କ୍ରିଷ୍ଟାଲ୍ କ୍ରାଉନ୍ ହୋଟେଲରେ ବ୍ରେକଫାଷ୍ଟ୍ ପାଇଁ କିଛି ବନ୍ଧୁ ଏକାଠି ହୋଇଥିଲୁ । ସେଠାରେ ରାଜନୈତିକ ଆଲୋଚନା ହେବା ସ୍ୱାଭାବିକ । ଏଥିରେ ଅସୁବିଧା କେଉଁଠି? ଆମେ ଯେତେବେଳେ ଏକାଠି ବସୁ, ଦଳର ହିତ କଥା ଚିନ୍ତା କରୁ । ଆମେ କେଉଁଠି ବସିବୁ, ଉଠିବୁ ସେଥିପାଇଁ କ’ଣ ଦଳ ସଭାପତିଙ୍କ ଅନୁମତି ନେବୁ? ଏଥିସହ ପାଣ୍ଡିଆନଙ୍କୁ ସିଧାସଳଖ ନିଶାନା କରିଛନ୍ତି ନୃସିଂହ । କହିଛନ୍ତି, ପାଣ୍ଡିଆନଙ୍କ ଯୋଗଦାନ ଦଳକୁ କ୍ଷତିଗ୍ରସ୍ତ କଲା । ନବୀନ ବାବୁ ଦୁଇଟି ସ୍ଥାନରେ ଛିଡ଼ା ହେବା ବିଜେପିକୁ ଅପପ୍ରଚାରର ସୁଯୋଗ ଦେଲା । ୱକଫ୍ ବିଲ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ସସ୍ମିତ୍ ଯାହା କଲେ ଠିକ୍ କଲେନି । କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ । ସେ ବିଚାର କରିବେ ।
ସୂଚନାଥାଉକି, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପର୍କୀୟଙ୍କ ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନ୍ ରେ ସୋମବାର ଦିନ ବିଜେଡିର କିଛି ବରିଷ୍ଠ ନେତା ଏକାଠି ହୋଇଥିଲେ । ତାହା ପାଣ୍ଡିଆନ୍ ବିରୋଧୀ ମେଳି ବୋଲି ପ୍ରଚାର ହୋଇଥିଲା । ଏହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୁଆଡ଼େ ଉତକ୍ଷିପ୍ତ କରିଥିଲା । ପରଦିନ ନିର୍ଦ୍ଦିଷ୍ଟ ଦୁଇଟି ଗଣମାଧ୍ୟମରେ ନବୀନ ବାବୁ ମୁହଁ ଖୋଲି ହୋଟେଲରେ ମେଳି କରୁଥିବା ନେତାଙ୍କୁ ତାଗିଦ୍ କରିଥିଲେ । ବୈଠକ ପାଇଁ ସେମାନଙ୍କୁ ଶଙ୍ଖ ଭବନ ଦେଖାଇଥିଲେ । ଏଥିସହ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କ ବିରୋଧରେ ଗଣମାଧ୍ୟମରେ ବୟାନ ଦେଇଥିବା ପ୍ରଭାତ ତ୍ରିପାଠୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଥିଲେ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ।
ତେବେ ନବୀନଙ୍କ ମନ୍ତବ୍ୟକୁ ପ୍ରଭାତ ତ୍ରିପାଠୀ ଖଣ୍ଡନ କରିବା ସହ ନବୀନ ବାବୁ ମହାମିଥ୍ୟା କହିଛନ୍ତି ବୋଲି ଆକ୍ଷେପ କରିଥିଲେ ।
ସେ ଯାହା ହେଉ ଦଳର ବରିଷ୍ଠ ନେତାମାନେ ଏବେ ନବୀନଙ୍କୁ ଖାତିର ନ କରି ସମାଲୋଚନା କରିବା ବିଜେଡିର ଭବିଷ୍ୟତ ପାଇଁ ମଙ୍ଗଳମୟ ନୁହେଁ ବୋଲି କୁହାଯାଉଛି ।