ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କ ଉପରେ ଜଣେ ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କ ଗୁଣ୍ଡାମାନଙ୍କର ବର୍ବର ଓ ଅମାନୁଷିକ ଆକ୍ରମଣର ଭିଜୁଆଲ୍ ଏବେ ମୋବାଇଲରେ ଘୂରି ବୁଲୁଛି । ରାସ୍ତାକଡ଼ର ଗୋଟେ ଗଛମୂଳେ ଏକ କଙ୍ଗାରୁ କୋର୍ଟରେ ବରିଷ୍ଠ ସାମ୍ବାଦିକଙ୍କ ହାତ ବାନ୍ଧି ବସାଯାଇଛି । ଘେରି ରହିଥିବା ଯୁବକମାନେ ତାଙ୍କୁ ଅଭଦ୍ର ଭାଷାରେ ଗାଳିମନ୍ଦ କରୁଛନ୍ତି । ଜଣେ ଯୁବକ ଅତି ଅମାନୁଷିକ ଭାବେ ତାଙ୍କ ମୁହଁକୁ ଗୋଇଠା ମାରୁଛନ୍ତି । ସେଇ ଗୋଇଠା ମାଡ଼ରେ ବିଜୟ ବାବୁ ତଳେ ଘୋଷାଡ଼ି ହୋଇ ପଡୁଛନ୍ତି । ତାଙ୍କ ମନର ଭୟ ଏବଂ ଶରୀରର ଯନ୍ତ୍ରଣା ସେହି ଭିଜୁଆଲରେ କଏଦ ହୋଇଛି ।
ଏହି ବର୍ବର, ଅମାନୁଷିକ ଏବଂ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକ୍ ଅନ୍ତର୍ଗତ କୁଲଥିପାଲିରେ । ପଞ୍ଚାୟତିରାଜ ବିଭାଗ ଦ୍ୱାରା ସେହି ଗାଁରେ ନିର୍ମାଣାଧୀନ ୧୦ ଲକ୍ଷ ଟଙ୍କାର ଠିକାକାମରେ ନିମ୍ନମାନର କାମ ଅଭିଯୋଗ ନେଇ କିଛି ଦିନ ତଳେ ରିପୋର୍ଟ କରିଥିଲେ ‘ବଡ଼ ଖବର’ର ବଲାଙ୍ଗୀର ପ୍ରତିନିଧି ବିଜୟ ପ୍ରଧାନ । ଏଥିରେ ଠିକାଦାର ଗଜେନ୍ଦ୍ର ଦଳେଇ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପ୍ରଧାନଙ୍କୁ ଭଲ କରି ପାନେ ଦେବାକୁ ତାଙ୍କ ଗୁଣ୍ଡାମାନଙ୍କୁ ଜଗାଇଥିଲେ ।
ଦୁଇଦିନ ତଳେ ବିଜୟ ପ୍ରଧାନ ସେହି ନିମ୍ନମାନ ଠିକାକାମର ଫଲୋଅପ୍ ପାଇଁ ଗାଁକୁ ଯାଇଥିଲା ବେଳେ ଗଜେନ୍ଦ୍ର ଦଳେଇର ଗୁଣ୍ଡାବାହିନୀ ତାଙ୍କୁ ଟେକି ଆଣିଥିଲେ । ଆମ ବିରୋଧରେ ଖବର କରିବୁନୁ କହି ଆଗ ମନ୍ଦିରରେ ଶପଥ କରାଇଥିଲେ । ଏହାପରେ ଗୋଟେ ଗଛ ମୂଳକୁ ନେଇ ତାଙ୍କ ହାତ ବାନ୍ଧି ଦେଲେ । ଚାଲିଲା କଙ୍ଗାରୁ କୋର୍ଟ । ଗଜେନ୍ଦ୍ର ଗୁଣ୍ଡାବାହିନୀ ଚାରିପଟୁ ଘେରି ଅଭଦ୍ର ଭାଷାରେ ଗାଳିମନ୍ଦ କଲେ । ଜଣେ ଦୁର୍ବୃତ୍ତ ତାଙ୍କ ମୁହଁକୁ ଗୋଟେ ଗୋଇଠା ପକାଇଲା । ତଳେ ଗଡ଼ି ଛଟପଟ ହେଲେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ । ରାସ୍ତାରେ ଯାଉଥିବା ଜଣେ ବି ଦେଖଣାହାରୀ ତାଙ୍କୁ ଉଦ୍ଧାର କରିବାକୁ ଆସିଲେନି । ସେଇ ଅସଭ୍ୟ ଯୁବକମାନେ ସେଠାରୁ ଗଲାବେଳେ ବିଜୟଙ୍କ ପକେଟରୁ ଦୁଇଟି ମୋବାଇଲ୍, କ୍ୟାମେରା ଏବଂ ବୁମ୍ ଛଡ଼ାଇ ନେଲେ । ତାଙ୍କ ପକେଟରେ ଥିବା ହାତଖର୍ଚ୍ଚ ଟଙ୍କାକୁ ବି ନେଇଗଲେ ।
ବିଜୟ ପ୍ରଧାନ ଜଣେ ବରିଷ୍ଠ ସାମ୍ବାଦିକ । ଓଟିଭି ଭୁବନେଶ୍ୱରରେ ପ୍ରାୟ ୧୦ ବର୍ଷ ଧରି କାମ କରିଛନ୍ତି । ପାରିବାରିକ ସମସ୍ୟା ଯୋଗୁଁ ସେ ଓଟିଭିରୁ ଚାକିରି ଛାଡ଼ି ତାଙ୍କ ଗାଁକୁ ପଳାଇଥିଲେ । ଗାଁରେ ରହି ବଡ଼ ଖବରର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି ।
ଜଣେ ନିର୍ଭିକ ଏବଂ ନୀତିବାନ ସାମ୍ବାଦିକ ଭାବେ ବିଜୟ ପ୍ରଧାନଙ୍କର ବିଶେଷ ପରିଚୟ ରହିଛି । ବ୍ୟକ୍ତିଗତ ଭାବେ ମଧ୍ୟ ସେ ଜଣେ ଭଦ୍ର, ସଚ୍ଚୋଟ ଏବଂ ଅମାୟିକ ସ୍ୱଭାବର ମଣିଷ । ତାଙ୍କ ଭଳି ଜଣେ ସଚ୍ଚୋଟ ତଥା ବରିଷ୍ଠ ସାମ୍ବାଦିକଙ୍କୁ ହାତବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସବୁଆଡୁ ଦାବି ହେଉଛି ।
ଏହି ଘଟଣାରେ ବଲାଙ୍ଗୀର ପୁଲିସ ଅବିନାଶ ଦଳାଇ, ଆଦିତ୍ୟ ଜେନା ଏବଂ ଗୁମର ନାୟକଙ୍କୁ ଆଜି ଗିରଫ କରିଥିଲା ବେଳେ ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ କିନ୍ତୁ ଫେରାର ଅଛି । ପୁଲିସ ତାଙ୍କୁ କୁଆଡ଼େ ଖୋଜି ପାଉନି ।
ସୂଚନାଯୋଗ୍ୟ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ଏବଂ ପୁଲିସର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଛତିଶଗଡ଼ରୁ ଏକ ରୋଚକ ସମ୍ବାଦ ଆସିଛି । ରାୟପୁରରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକର ସରକାରୀ ଡାକ୍ତରଖାନାକୁ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କୁ ୪ ଜଣ ବାଉନ୍ସର ଅଟକାଇ ମାଡ଼ ମାରିଥିଲେ । ରାୟପୁରର ସାମ୍ବାଦିକମାନେ ଏହାର ତୀବ୍ର ପ୍ରତିବାଦ କରି ଗତକାଲି ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଯାହାର ଫଳ ହେଲା, ଆଜି ପୁଲିସ ସଂପୃକ୍ତ ୪ ବାଉନ୍ସରଙ୍କୁ ଗିରଫ କରି କୋର୍ଟ ପଠାଇବା ପୂର୍ବରୁ ଆଗ ଲଣ୍ଡା କରିଥିଲା । ସେହି ଅବସ୍ଥାରେ ତାଙ୍କୁ ହାଣ୍ଡ କପ୍ ପକାଇ ରାୟପୁର ସହର ବୁଲାଇବା ପରେ କୋର୍ଟ ଚାଲାଣ କରିଛି ।
ସୁତରାଂ, ନିର୍ଭିକତାର ସହ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ଖବର କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ଛତିଶଗଡ଼ ଭଳି ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରନ୍ତୁ । ଏହା ହେଲେ ଯାଇ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରୁଥିବା ଦୁର୍ନାତିଗ୍ରସ୍ତ ଲୋକମାନେ ସାବାଡ଼ ହେବେ । ମୋହନ ସରକାର ଏ ଦିଗକୁ ଗୁରୁତ୍ୱ ଦେଇ ବିଚାର କରିବାକୁ ସବୁଆଡୁ ଦାବି ହେଉଛି ।