ପୁରୀ: ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲେ ଭକ୍ତ । ଆଜି ଭୋର୍ ୪.୪୦ ରେ ସିଂହଦ୍ୱାର ଫିଟିବା ପରେ ପତିତପାବନଙ୍କ ଦର୍ଶନ ଆରମ୍ଭ ହୋଇଛି । ଦୀର୍ଘ ମାସ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି ।
ଆଜିଠାରୁ ସେବାୟତ ପରିବାର ଦର୍ଶନ କରୁଛନ୍ତି । ତିନି ଦିନ ଧରି ସେମାନଙ୍କୁ କେବଳ ଦର୍ଶନର ସୁଯୋଗ ମିଳିବ । ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ୱାର୍ଡୱାରୀ ପୁରୀ ସହରବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ସେଥିପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ନେବା ବାଧ୍ୟତାମୂଳକ । ୧ ଓ ୨ ତାରିଖ ନୂଆବର୍ଷରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ଶ୍ରୀମନ୍ଦିର ଦର୍ଶନକୁ ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ପୁରୀ ବାହାରର ଭକ୍ତ ଦର୍ଶନ କରିବେ । ସେଥିପାଇଁ ନେଗେଟିଭ୍ କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯାଇଛି ।
କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କର୍ଡନ କରାଯାଇ ଭକ୍ତଙ୍କୁ ଶ୍ରୀମନ୍ଦିର ଛଡ଼ାଯାଉଛି । ସାମାଜିକ ଦୂରତା ପାଳନ, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।
ଅନ୍ୟପକ୍ଷରେ, କାକଟପୁରର ମା’ ମଙ୍ଗଳା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲାଯାଇଛି । ଦୈନନ୍ଦିନ ନୀତି ପରେ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ଦର୍ଶନ ପାଇଁ ପୂର୍ବ ଦ୍ୱାରରେ ଭକ୍ତ ପ୍ରବେଶ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । କୋଭିଡ୍ ନିୟମକୁ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ୨୦ ରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିଥିଲା ।