ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । କେବଳ ବିଜେଡି ଘର ଉପରେ ଗଣମାଧ୍ୟମର ନଜର ରହିଥିବାରୁ ବିଜେପି ଅନ୍ଦର ମହଲର ଖବର ଲୋକଲୋଚନକୁ ଆସିପାରୁନାହିଁ । ଇତିମଧ୍ୟରେ ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ଭୟଙ୍କର ରୂପ ନେଇସାରିଲାଣି । ଗତକାଲି ଏଭଳି ଏକ ବଡ଼ ଘଟଣା ସମସ୍ତଙ୍କ ନଜର ଆଢ଼ୁଆଳରେ ରହିଯାଇଛି । କେବଳ ବିଜେପି ନୁହେଁ, ଓଡ଼ିଶା ରାଜନୀତି ପାଇଁ ଏହି ଘଟଣା କିନ୍ତୁ ବେଶ୍ ଗୁରୁତ୍ୱ ବହନ କରୁଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ଏମିତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ସକାଳ ୧୦ଟାରେ ଅଚାନକ ତାଙ୍କର ଗାଡ଼ି ଆସି ଲାଗିଥିଲା ଯୁବମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ୟୁନିଟ୍-୬ସ୍ଥିତ (କ୍ୟାପିଟାଲ୍ ହସ୍ପିଟାଲ୍ ପାଖ) ସରକାରୀ ବାସଭବନରେ । ସେଠାରେ ତାଙ୍କୁ ଅପେକ୍ଷା କରି ରହିଥିଲେ ଆଉ ୨ ଜଣ ମନ୍ତ୍ରୀଙ୍କ ସମେତ ପ୍ରାୟ ୧୦ ଜଣ ବିଧାୟକ । ଏହାପରେ ମୁଖ୍ୟ ଫାଟକରେ ତାଲା ପଡ଼ିଗଲା । ପୂର୍ବ ଯୋଜନା ମୁତାବକ, ଅତିଥିମାନଙ୍କ ପାଇଁ ବ୍ରେକଫାଷ୍ଟ ପ୍ରସ୍ତୁତ ହୋଇ ରହିଥିଲା । ଆଉ ବ୍ରେକଫାଷ୍ଟ୍ ନେଇ ସାରିଲା ପରେ ଆରମ୍ଭ ହୋଇଗଲା ରୁଦ୍ଧଦ୍ୱାର ବୈଠକ । ଦିନ ଦୁଇଟା ପର୍ଯ୍ୟନ୍ତ ପାଖାପାଖି ୪ ଘଣ୍ଟା ଧରି ଚାଲିଲା ଏହି ବୈଠକ । ବୈଠକ ସରିଲା ବେଳକୁ ମଧ୍ୟାହ୍ନ ଭୋଜନ ବି ପ୍ରସ୍ତୁତ ସରିଥିଲା । ସମସ୍ତେ ଏକାଠି ବସି ଖାଇଥିଲେ । ଏହାପରେ ଆଗ କେନ୍ଦ୍ରମନ୍ତ୍ରୀ ସେଠାରୁ ବାହାରି ଆସିଲେ । ପଛେ ପଛେ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଜଣଙ୍କ ପରେ ଜଣେ ବାହାରିଲେ ।
ବୈଠକରେ ଆଲୋଚନାର ବିଷୟବସ୍ତୁ ଜଣାପଡ଼ି ନ ଥିଲେ ମଧ୍ୟ ସାମ୍ପ୍ରତିକ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଦୃଷ୍ଟିକୋଣରୁ ଏହି ମେଳିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଏହି ମେଳିକୁ ପଶ୍ଚିମ ଓଡ଼ିଶାର ମନ୍ତ୍ରୀମାନଙ୍କୁ ଡକାଯାଇଥିଲା । ସେମାନେ ଆସିବାର ବି ଥିଲା । ମାତ୍ର କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ । ଉପକୂଳ ଓଡ଼ିଶାର ୩ ଜଣ ମନ୍ତ୍ରୀ ଓ ପଶ୍ଚିମ ଓଡ଼ିଶାର ୪ ଜଣ ବିଧାୟକଙ୍କ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରୁ ମିଶି ପ୍ରାୟ ୧୦ ଜଣ ବିଧାୟକ ରାଜଧାନୀ ଛାତି ଉପରେ ଥିବା ମନ୍ତ୍ରୀ ସୂରଜଙ୍କ ଘରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ହୋଇଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଯୋଡିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ପର୍କ ଭଲ ନାହିଁ, ଏକଥା ସମସ୍ତେ ଜାଣନ୍ତି । ଧର୍ମେନ୍ଦ୍ରଙ୍କ ନାଁ ଶୁଣିଲେ ଏହି ପାୱାର୍ ଯୋଡିଙ୍କର ରକ୍ତଚାପ ବଢ଼ୁଥିବା ଚର୍ଚ୍ଚା ହୁଏ । ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ରଙ୍କ ପତ୍ତା କାଟିବାରେ ମୋହନ-ମନମୋହନଙ୍କ ଉଦ୍ୟମ ସଫଳ ହୋଇସାରିଛି ବୋଲି ସେମାନଙ୍କ ଅନୁଗତ ଶିବିରରୁ ଶୁଣିବାକୁ ମିଳେ । ବିଜେପି ରାଷ୍ଟ୍ରୀୟ ସଭାପତି ପଦ ହାତେଇବାରେ ତାଙ୍କର ବିଫଳତାରେ ଏହି ଶିବିର ବେଶ୍ ଖୁସି ।
ଅନ୍ୟପକ୍ଷରେ ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ଧର୍ମେନ୍ଦ୍ର ମଧ୍ୟ ଚୁପଚାପ ବସିବା ଲୋକ ନୁହଁନ୍ତି । ବିହାର ନିର୍ବାଚନ ପରଠୁ ସେ ଓଡ଼ିଶାରେ ଅଧିକ ସକ୍ରି୍ରୟ ହୋଇଛନ୍ତି । ପଶ୍ଚିମ ଓଡ଼ିଶାରେ ତାଙ୍କର କାର୍ଯ୍ୟକ୍ରମ କେନ୍ଦ୍ରୀଭୂତ ଅଛି । ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂରଜଙ୍କୁ ଆଗରେ ଦେଖିବାକୁ ମିଳୁଛି । ଧର୍ମେନ୍ଦ୍ରଙ୍କ ଆନୁଗତ୍ୟରେ ୫ରୁ ୭ ଜଣ ମନ୍ତ୍ରୀଙ୍କ ସମେତ ୩୦ ରୁ ଅଧିକ ବିଧାୟକ ଥିବା କୁହାଯାଉଛି । ଟଙ୍କଧର ତ୍ରିପାଠୀ, ସାରଦା(ବୁଲୁ) ପ୍ରଧାନଙ୍କ ଭଳି ଡର୍ଜନ ବିଧାୟକ ତାଙ୍କ କାର୍ଯ୍ୟକ୍ରମର ଆୟୋଜନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।