ଭୁବନେଶ୍ୱର: ମିଶନ ଶକ୍ତି ଜରିଆରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧିକୁ ଅଧିକରୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ‘ମିଶନ ଶକ୍ତି’ ଯୋଜନା ପାଇଁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪୯୭୩.୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨-୨୩ ଆର୍ଥିକ ବର୍ଷଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ବଜେଟ୍ ରେ ଏହି ଅର୍ଥ ବ୍ୟବସ୍ଥାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଏଥିସହ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କ୍ୟାବିନେଟ୍ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଗୁଡ଼ିକ ହେଲା-
– ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା
– ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା
– ସ୍ୱୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ ୫୦୦ ଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ
– ୩୫ ରୁ ୪୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ
– ପ୍ରତ୍ୟେକ ଜିଲ୍ଲା, ବ୍ଲକ୍, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନ ନିର୍ମାଣ
– ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମିଶାଇ ୩୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ଯୋଜନା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଅନୁଯାୟୀ, ବିସ୍ଥାପିତ ହେଉଥିବା ମଠଗୁଡ଼ିକର ଥଇଥାନ ନିମନ୍ତେ ଉଦ୍ଦିଷ୍ଟ ୧ ଏକର ୩୨୦ ଡିସିମିଲି ସରକାରୀ ଜମିକୁ ବିନା ଦେୟରେ ପ୍ରଦାନ କରାଯିବ । ଏଥିସହିତ ଉକ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ୧୩ ମଠମାନଙ୍କର ନାମରେ ପଞ୍ଜୀକରଣ କରିବା ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି’ କୁ ମଧ୍ୟ ଛାଡ଼ କରାଯାଇଛି ।
‘ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍’ ନାମକ ଏକ ନୂତନ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଇଡ଼କୋ ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଅଧୀନରେ ୧ ଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ଏଥିପାଇଁ ୮୫୬ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।
ଟାଟା ପାୱାର କମ୍ପାନୀ ଲିମିଟେଡ଼କୁ ବାରଙ୍ଗ ତହସିଲ ଅନ୍ତର୍ଗତ କୋଇଲା ଭିତ୍ତିକ ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ଲିଜ୍ ରେ ଦିଆଯାଇଥିବା ୮୭୧.୪୨୭ ଏକର ଜମିକୁ ‘ଲ୍ୟାଣ୍ଡ ବ୍ୟାଙ୍କ’ କୁ ଆଣିବା ନିମନ୍ତେ ଇଡକୋର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଇଡକୋକୁ ୬୨,୮୩,୪୮,୫୧୭ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।
ଅନୁଗୋଳଠାରେ ମେଗା ଆଲୁମିନିୟମ ପାର୍କର ବିକାଶ ପାଇଁ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ।
ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ନିମନ୍ତେ କଟକସ୍ଥିତ ଡ୍ରିମସ୍ କୁ ଏକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଏକ ଆଇନ ପ୍ରଣୟନ କରିବା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ଏକ ନିଜସ୍ୱ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ୱବିଦ୍ୟାଳୟ ହେବ ଏବଂ ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ ।
ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନର ବ୍ୟବସ୍ଥା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିପ ବୋରୱେଲ୍ ସ୍ଥାପନ କରାଯିବ । ଏହି ଯୋଜନା ରାଜ୍ୟର ୨୬ ଟି ଜିଲ୍ଲା ଅନ୍ତର୍ଗତ ୨୫୬ ଟି ବ୍ଲକ୍ ରେ କାର୍ଯ୍ୟକାରୀ କରାଯିବ ।
ରାଜ୍ୟରେ ଥିବା ଛୋଟ ଛୋଟ ନଦୀ ନାଳ ମାନଙ୍କରେ ୧୨୮୦ ଟି ଆଡ଼ିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ୱାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରାଯିବ ।
ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ତ ଜଳାଶୟ ସୃଷ୍ଟି ଲାଗି ଉଦ୍ଦିଷ୍ଟ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ପାଣ୍ଡରା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଲାଗି ୧୨୮ କୋଟି ୭ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର କୋପଶିଙ୍ଗା ଓ କୁଡ଼ାବାଗା ଗ୍ରାମ ନିକଟରେ ଦୁଇଟି ଆନିକଟ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ବରଗଡ଼ ମୁଖ୍ୟ କେନାଲର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ୧୬୦ କୋଟି ୩୩ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୨୪ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ।
ପୂର୍ବତନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗରୁ ନେଇଥିବା ଶିକ୍ଷା ଋଣର ସୁଧହାରରେ ପରିବର୍ତ୍ତନ କରାଯାଇଛି । ନିଯୁକ୍ତି କିମ୍ବା ନିଯୁକ୍ତି ପାଇ ନ ଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦% ସୁଧ ଧାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
ରାଜ୍ୟର ୨୪ ଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହାଦ୍ୱାରା ୪୭ ଜଣ ଶିକ୍ଷକ ଉପକୃତ ହେବେ ।