ଭୁବନେଶ୍ୱର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ ନିର୍ବାଚନ ଖର୍ଚ୍ଚସୀମା, ଗାଡ଼ି ବ୍ୟବହାର ଏବଂ ପୋଲିଂ ସମୟସୀମା ଧାର୍ଯ୍ୟ କରିଛନ୍ତି କମିଶନ ।
ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚସୀମା ବୃଦ୍ଧି କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ୫ ଲକ୍ଷ ଖର୍ଚ୍ଚ କରିପାରିବେ । ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ୨ ଲକ୍ଷ ଏବଂ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଖର୍ଚ୍ଚ କରିପାରିବେ ।
ସେହିଭଳି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସରପଞ୍ଚ ପଦବୀ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହାର ପାଇଁ ଯାନ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀମାନେ ୫ ଟି ଜିପ୍ କିମ୍ବା କାର ଏବଂ ୧୦ଟି ମୋଟର ସାଇକେଲ ବ୍ୟବହାର କରିପାରିବେ । ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥୀମାନେ ୨ ଟି ଜିପ୍ କିମ୍ବା କାର୍ ଏବଂ ୫ ଟି ମୋଟର ସାଇକେଲ ବ୍ୟବହାର କରିପାରିବେ । ସରପଞ୍ଚ ପ୍ରାର୍ଥୀମାନେ ୨ ଟି ଜିପ୍ କିମ୍ବା କାର୍ ଏବଂ ୫ ଟି ମୋଟର ସାଇକେଲ୍ ବ୍ୟବହାର କରିପାରିବେ ।
ଗାଡ଼ି ଓ ମୋଟର ସାଇକେଲ୍ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ । ମୋଟର ଯାନ ବ୍ୟବହାର ଦିନଠାରୁ ଯାନର ପ୍ରକାର, ପଞ୍ଜିକରଣ ନମ୍ବର ଏବଂ ଗାଡ଼ି ମାଲିକଙ୍କ ନାମ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କୁ ଏବଂ ପଞ୍ଚାୟତ ଓ ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇବେ । ଏହି ତଥ୍ୟର ତିନୋଟି ନକଲ ଦାଖଲ କରାଯିବ । ଗୋଟିଏ ନକଲ ଉପଜିଲ୍ଲାପାଳ/ ବିଡ଼ିଓ ନିକଟସ୍ଥ ଆରଟିଓଙ୍କୁ ଦେବେ ଓ ଅନ୍ୟଟି ନିଜ ପାଖରେ ରଖିବେ । ତୃତୀୟ ନକଲଟିରେ ଉପ ଜିଲ୍ଲାପାଳ/ ବିଡ଼ିଓ ଅଫିସ୍ ସିଲ୍ ମାରି ପ୍ରାର୍ଥୀଙ୍କୁ ଫେରାଇ ଦେବେ । ନିର୍ବାଚନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲାବେଳେ ପ୍ରାର୍ଥୀ ତାହା ଉପସ୍ଥାପନ କରିବେ ।
ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ, ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ ।
ଏହି ଆଦେଶ ଅବମାନନାକୁ କମିଶନଙ୍କ ଦ୍ୱାରା ଜାରି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ଧରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୋଲିଂ ସମୟ ସୀମା ବୃଦ୍ଧି କରାଯାଇଛି । ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ସାଧାରଣ ନିର୍ବାଚନ ଏବଂ ଉପନିର୍ବାଚନ ସମୟସୀମା ସକାଳ ୭ଟାରୁ ୧ଟା ରଖାଯାଇଛି ।