ଭୁବନେଶ୍ୱର: ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିବା ଏହି ସପ୍ତମ ଶ୍ରେଣୀ ପିଲାକୁ ଜୋରଜବରଦସ୍ତ ରୋଷେୟା କାମ ଦିଆଯାଇଥିଲା । ରୋଷେଇ କଲାବେଳେ ପ୍ରେସର୍ କୁକର୍ ହୁଇସିଲ୍ ଫାଟିଯିବାରୁ ପିଲାଟିର ମୁହଁ ଅଧା ଜଳିଗଲା । ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାକୁ ଡାକ୍ତରଖାନା ନିଆଗଲା ନାହିଁ । ଔଷଧ ଦୋକାନରୁ ଫିଙ୍ଗା ଜଳାପୋଡ଼ା ମଇଲମ୍ ରେ କାମ ଚଳେଇ ଦିଆଗଲା । ଘଟଣାଟି ଯେମିତି ପ୍ରଘଟ ନ ହେବ ସେଥିପାଇଁ ହଷ୍ଟେଲ୍ ପରିସରରେ ପିଲାଟିକୁ ବନ୍ଦୀ କରି ରଖାଗଲା । ସ୍କୁଲ କର୍ତ୍ତୃପକ୍ଷ ପିଲାର ଆହତ ଖବର ତା’ର ଅଭିଭାବକଙ୍କୁ ମଧ୍ୟ ଜଣାଇଲେ ନାହିଁ ।
ନବରଙ୍ଗପୁର ଜିଲ୍ଲା କୋସଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ କୋକାଡ଼ିସେମାଳ ଆଶ୍ରମ ସ୍କୁଲର ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଘଟଣାଟି ଅତ୍ୟନ୍ତ ନିର୍ମମ ଓ ହୃଦୟସ୍ପର୍ଶୀ । ମୁହଁ ପୋଡ଼ା ଅବସ୍ଥାରେ ୯ ଦିନ ଧରି ନଜରବନ୍ଦୀରେ ଥିବା ୧୨ ବର୍ଷୀୟ ଛାତ୍ର ଧନେଶ୍ୱର ବେହେରାକୁ ଗତ ଶୁକ୍ରବାର ରାତିରେ ହଷ୍ଟେଲ ପରିସରରୁ ଉଦ୍ଧାର କରିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଅନ୍ଧାର ରାତିରେ ସ୍କୁଲ ପାଚେରି ଓ ଛାତ ଡେଇଁ ପିଲାଟିକୁ ଉଦ୍ଧାର କରିବାର ଭିଡିଓ ଫୁଟେଜ୍ ସୋସିଆଲ୍ ମିଡିଆରେ ସେୟାର୍ ମଧ୍ୟ କରିଛନ୍ତି ।
ମୁହଁ ଅର୍ଦ୍ଧଦଗ୍ଧ ପିଲାଟିକୁ ଶ୍ରୀ ମାଝୀ ସିଧା ନେଇଥିଲେ ଜିଲ୍ଲାପାଳଙ୍କ ପାଖକୁ । ଜିଲ୍ଲାପାଳଙ୍କ ଆଗରେ ପିଲାକୁ ଛିଡ଼ା କରାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ସେଠାରୁ ଆଣିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ଏହି ଘଟଣାରେ ପ୍ରଦୀପ ମାଝୀଙ୍କ ଉଦବେଗକୁ ଜିଲ୍ଲାପାଳ ହୃଦୟଙ୍ଗମ କରିବା ପରେ ସଂପୃକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ୍ ୱାର୍ଡନଙ୍କୁ ତୁରନ୍ତ ସସପେଣ୍ଡ କରିଥିଲେ । ପିଲାର ଚିକିତ୍ସା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ଜିଲ୍ଲାପାଳ ।
ଏହା ଏକ ସାମାନ୍ୟ ଘଟଣା ନୁହେଁ । ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀ ନିର୍ଯ୍ୟାତନାର ଏହା ଗୋଟିଏ ମାତ୍ର ଉଦାହରଣ । ଜଣେ ପୂର୍ବତନ ସାଂସଦଙ୍କ ଦ୍ୱାରା ଏହି ଜଘନ୍ୟ ଘଟଣା ପଦାକୁ ଆସିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଖବର କିନ୍ତୁ ଆମର ତଥାକଥିତ ଏକ ନମ୍ବରରେ ଗୁରୁତ୍ୱ ପାଇପାରୁନାହିଁ । ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ ତୁଳନାରେ ଏହି ଖବର ତୁଚ୍ଛ ହୋଇଛି । ସଂପୃକ୍ତ ଚାନେଲ୍ ପାଇଁ ଶ୍ରୀମୟୀଙ୍କ ଗୋଟେ ଟୁଇଟ୍(ଏକ୍ସ) ଏବେ ଅମୂଲ ମୂଲ । ସତେ ଯେମିତି ରାଜ୍ୟର ବିକାଶ, ଭବିଷ୍ୟତ ସେହି ଟୁଇଟ୍ ରେ ବନ୍ଧା ପଡ଼ିଛି । ସେପଟେ କିଟ୍ ଅନୁଷ୍ଠାନ ପିଛା ଛାଡୁନାହିଁ ଏହି ଏକନମ୍ବର ଚାନେଲ । ଗତକାଲି କିଟ୍ ଛାତ୍ର ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ଓ ପରିବାରକୁ ଘରଲୋକ ଦାୟୀ କରିଥିଲେ ମଧ୍ୟ ଚାନେଲ୍ ନିଜ ଏଜେଣ୍ଡାରେ ଅଟଳ । ସେତିକିବେଳେ ନବରଙ୍ଗପୁର ଆଶ୍ରମ ସ୍କୁଲ କଥା କିଏ ପଚାରେ?
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଆଶ୍ରମ ସ୍କୁଲଗୁଡ଼ିକରେ ଏଭଳି ଅଘଟଣ ଘଟି ଚାଲିଛି । ଛାତ୍ରୀ ଗର୍ଭବତୀ ଏବଂ କ୍ଲାସ୍ ରେ ପ୍ରସବ ଭଳି ଗୋଟେ ଗୋଟେ ଖବର ଲଜ୍ଜାରେ ମୁଣ୍ଡ ତଳକୁ କରିଦେଉଛି । ଅତୀତରେ ବିଧାନସଭାରେ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ତେଣୁ ଯେ ବିଜେପି ସରକାର ଅମଳରେ ଏଭଳି ଘଟଣା ଘଟିଛି ତାହା ନୁହେଁ । ବିଜେଡି ସରକାର ଅମଳରୁ ଏଭଳି ଘଟଣା ଘଟିଚାଲିଛି । ଏହା ଆମ ସମାଜ ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟର ବିଷୟ ।
କେଉଁ ପରିସ୍ଥିତିରେ କୋମଳ ଛାତ୍ରୀଟି ଏଭଳି ପରିସ୍ଥିତି ଭୋଗୁଛି, ହଷ୍ଟଲରେ ଛାତ୍ରଟିକୁ କାହିଁକି ରୋଷେଇ କରିବାକୁ ପଡୁଛି ସେ ବିଷୟରେ ଚର୍ଚ୍ଚା ହେଉନାହିଁ । ପ୍ରାଥମିକ ସ୍ତରରୁ ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସରକାର ବାର୍ଷିକ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଆଶ୍ରମ ସ୍କୁଲରେ କୋମଳମତି ପିଲାମାନେ ଅସୁରକ୍ଷିତ କାହିଁକି? ସେଥିପାଇଁ ଦାୟୀ କିଏ? ନା କେହି ଏହି ପ୍ରଶ୍ନ ପଚାରୁଛନ୍ତି ନା ଚର୍ଚ୍ଚା କରୁଛନ୍ତି । ତାହାର କାରଣ ଖୋଜିଲେ ନିରାକରଣ ହୋଇପାରନ୍ତା । ମାତ୍ର ମାଲିକଙ୍କ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ପ୍ରମୁଖ ଗଣମାଧ୍ୟମର ଏଜେଣ୍ଡାରେ ଏହା ଆସିପାରୁନାହିଁ । ଏଜେଣ୍ଡା ଦୃଷ୍ଟିରୁ ଅଖବରକୁ ଖବର କରିବାରେ ପ୍ରମୁଖ ଗଣମାଧ୍ୟମର ସମୟ ଯାଉଛି । ଆଦିବାସୀ ପିଲା ପାଠ ପଢ଼ନ୍ତୁ ନ ପଢ଼ନ୍ତୁ ସେଥିରେ ଯାଏ ଆସେ ନାହିଁ ।