ଭୁୁବନେଶ୍ୱର: ୮ ବର୍ଷ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିଛି ରାଜନୀତି । ଅନିଶ୍ଚିତତା ମଧ୍ୟରେ ଥିବା କଲେଜ ନିର୍ବାଚନକୁ ୧୦ ଦିନର ମାହୋଲ୍ ରେ ସୀମିତ ରଖାଯାଇଛି । ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୈଠକ ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଆଜି ଏହା ଘୋଷଣା କରିଛନ୍ତି । ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
ଆସନ୍ତା ୭ ତାରିଖ(ବୁଧବାର)ରେ କଲେଜରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖ(ଶୁକ୍ରବାର) ଦିନ ୧୦ଟାରୁ ୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅପରାହ୍ନ ୫ଟାରେ ନାମାଙ୍କନ ପତ୍ର କାଏମ ଥିବା ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇବ । ୧୦ ତାରିଖ(ଶନିବାର) ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାରର ସମୟ ରଖାଯାଇଛି । ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୪ ତାରିଖ(ବୁଧବାର) ଦିନ ହେବ ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର’ ବୈଠକ । ୧୫ ତାରିଖ(ଗୁରୁବାର) ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ସେହିଦିନ ଅପରାହ୍ନ ୨ଟା ପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ । ୧୬ ତାରିଖରେ ନବ ନିର୍ବାଚିତ ଛାତ୍ରନେତାମାନେ ଶପଥ ଗ୍ରହଣ କରିବେ ।
ସୂଚନାଥାଉକି, ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କଲେଜ କ୍ୟାମ୍ପସରେ ଗଣ୍ଡଗୋଳ ଓ ହିଂସାକାଣ୍ଡ କାରଣରୁ ବିଜେଡି ସରକାର ନିର୍ବାଚନ ବନ୍ଦ କରିଦେଇଥିଲେ । ଗତ ସାଧାରଣରେ ନିର୍ବାଚନରେ ବିଜେପି ଏହାକୁ ପ୍ରସଙ୍ଗ କରିଥିଲା । କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୁଇବର୍ଷ ଧରି ପ୍ରତିଶ୍ରୁତି ପାଳନ ହୋଇପାରି ନ ଥିଲା । ଚଳିତବର୍ଷ ମଧ୍ୟ ଏହା ଅନିଶ୍ଚିତତା ମଧ୍ୟରେ ଥିଲା । ମାତ୍ର ଆଗକୁ ଅଧିକ ବିପଦର ଆଶଙ୍କା ଥିବାରୁ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ।
ଆଜି ଛାତ୍ର ସାଂସଦ ନିର୍ବାଚନ ଘୋଷଣା କରି ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ଯୁବ ନେତୃତ୍ୱ ଆଗକୁ ନେବାକୁ ଆମର ଲକ୍ଷ୍ୟ ରହିଛି । ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ୨୦୨୬ରେ ନିର୍ବାଚନ କରି ତାହା ପାଳନ କରିବାକୁ ଯାଉଛୁ ।
ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ଛାତ୍ର ସଂସଦ ନିର୍ବାଚନକୁ ସ୍ୱାଗତ କରିଥିଲେ ମଧ୍ୟ ମାତ୍ର ୧୦ ଦିନର ସମୟ ବ୍ୟବଧାନକୁ ନେଇ ଆପତ୍ତି ଉଠାଇଛନ୍ତି । ଏହା ପଛରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ସେ କହିଛନ୍ତି । ଦୁଇିଦିନ ତଳେ କୁଳପତିମାନଙ୍କ ବୈଠକରେ ଛାତ୍ର ସଂସଦକୁ କିଭଳି ଅକ୍ତିଆର କରାଯିବ ତାହାର ଖସଡ଼ା ପ୍ରସ୍ତୁତ ହୋଇଥିବା ସେ ଅଭିଯୋଗ କରିଥିବା ବେଳେ ବିଜେଡିର ବାଜିମାତ୍ କୁ ନେଇ ଦୃଢ଼ତା ପ୍ରକାଶ କରିଛନ୍ତି ।
କିଏ ହେବେ ପ୍ରାର୍ଥୀ
ପ୍ରାର୍ଥୀହେବା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଅଣ୍ଡର ଗ୍ରାଜୁଏଟ୍ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ପିଜି ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବ । ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନ ଥିବ । ଅତିକମରେ ୭୫% କ୍ଲାସ୍ ଉପସ୍ଥାପନ ଥିବା ଆବଶ୍ୟକ । ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ । କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ଦୁଇଥର ସୁଯୋଗ ରହିବ । କୌଣସି ଅପରାଧିକ ରେକର୍ଡ କିମ୍ବା ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେନି । ସେଲଫ୍ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ ।
ଖର୍ଚ୍ଚସୀମା ୫ ହଜାର
ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚସୀମା ୫ ହଜାର ରଖାଯାଇଛି । ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଫଳାଫଳ ଘୋଷଣାର ଦୁଇ ସପ୍ତାହ ମଧ୍ୟରେ କଲେଜ/ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବାକୁ ପଡ଼ିବ । କଲେଜ ଦୁଇ ଦିନ ମଧ୍ୟରେ ସେହି ହିସାବକୁ ଏଚଆଇଏମଏସ ପୋର୍ଟାଲରେ ପ୍ରକାଶ କରିବ । ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ନିର୍ବାଚନ ବାତିଲ ହୋଇପାରେ । ରାଜନୈତିକ ଦଳରୁ ଟଙ୍କା ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସ୍ୱେଚ୍ଛାକୃତ ଅବଦାନ ବ୍ୟତୀତ ପ୍ରାର୍ଥୀମାନେ ଅନ୍ୟ କୌଣସି ଉତ୍ସରୁ ଟଙ୍କା ନେଇପାରିବେ ନାହିଁ ।
କେବଳ ହାତ ତିଆରି ପୋଷ୍ଟର୍
ଛାତ୍ର ସଂସଦ ନିର୍ବାଚନରେ କେବଳ ହାତ ତିଆରି ପୋଷ୍ଟରକୁ ଅନୁମତି ଦିଆଯାଇଛି । ପ୍ରାର୍ଥୀମାନେ ପ୍ରିଣ୍ଟ ପୋଷ୍ଟର୍, ପାମ୍ପଲେଟ୍୍ ବ୍ୟବହାର କରିପାରିବେ ନାହିଁ । କ୍ୟାମ୍ପସ୍ ବାହାରେ ଶୋଭାଯାତ୍ରା, ବୈଠକ କିମ୍ବା କ୍ୟାମେନ୍ ବାରଣ କରାଯାଇଛି । କଲେଜରେ ଶୋଭାଯାତ୍ରା ଓ ବୈଠକ ପାଇଁ ଆଗୁଆ ଲିଖିତ ଅନୁମତି ନେବାକୁ ପଡ଼ିବ ।
ସୋସିଆଲ୍ ମିଡିଆ କଟକଣା
ସେହିଭଳି ସୋସିଆଲ୍ ମିଡିଆ ଉପରେ କଟକଣା ଜାରି କରାଯାଇଛି । କେହି ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର କରିପାରିବେ ନାହିଁ । ବ୍ୟକ୍ତିଗତ ଆକ୍ରମଣ ଏବଂ ଭିତ୍ତିହୀନ ଅଭିଯୋଗ ହୋଇପାରିବ ନାହିଁ । ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ । ଏଆଇ ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ କୁ ପ୍ରଚାରରେ ବ୍ୟବହାରକୁ ବାରଣ କରାଯାଇଛି ।