ପୁଣି ଥରେ ଅଶ୍ୱିନୀ ବୈଷ୍ଣବ!
ଭୁୁବନେଶ୍ୱର: ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ରାଜ୍ୟସଭା ପଠାଇଥିବାରୁ ସିନିୟର୍ ଦେବାଶିଷ ଓ ଜୁନିୟର୍ ଶୁଭାଶିଷ ଖୁସି ମୁହଁରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ପ୍ରମୋସନ୍ ବୋଲି ଦେବାଶିଷ ମନ୍ତବ୍ୟ ଦେଇଥିବା ବେଳେ ଶୁଭାଶିଷ ବି ଅତ୍ୟଧିକ ଉତ୍ସାହିତ ହୋଇଛନ୍ତି । ତେବେ ଉଭୟ ଯଥାକ୍ରମେ କଟକ-ବାରବାଟୀ ଓ ପୁରୀରୁ ବିଧାନସଭା ଲଢ଼ିବାକୁ ଇଚ୍ଛା ରଖିଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମନଖୋଲି କହିଛନ୍ତି ।
ଯାହା ବି ହେଉ, ଏହି ଦୁଇଜଣଙ୍କୁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ଯେ ପୁଣି ଥରେ ଚକମା ଦେଖାଇଛନ୍ତି ତାହା କହିବା ବାହୁଲ୍ୟ ମାତ୍ର । ରାଜ୍ୟସଭା ପ୍ରାର୍ଥୀ ଚୟନରେ ନବୀନ ବାବୁ ସମସ୍ତ ରାଜନୈତିକ ଆକଳନକୁ ସବୁବେଳେ ଭୁଲ୍ ପ୍ରମାଣିତ କରିଛନ୍ତି । ତେଣୁ ଏଥର ସେଥିରେ ବ୍ୟତିକ୍ରମ ହୋଇନାହିଁ । ତେବେ ତୃତୀୟ ଆସନ ପାଇଁ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ନ କରିବା ସମସ୍ତଙ୍କୁ ଦ୍ୱନ୍ଦରେ ରଖିଛି । ତିନୋଟି ଯାକ ଆସନ ବିଜେଡି ହାତରେ ଥିବା ବେଳେ ସଭାପତି ଏକାବେଳେ ତିନି ଜଣଙ୍କ ନାଁ ଘୋଷଣା ନ କରି ଜଣଙ୍କୁ ବାକିଆ ରଖିବା ପଛର କାରଣ କ’ଣ ହୋଇପାରେ ବୋଲି ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି ।
୧୫ ତାରିଖ ହେଉଛି ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଆସନ୍ତାକାଲି ସରସ୍ୱତୀ ପୂଜା ଛୁଟି ଥିବାରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ ଗୋଟିଏ ଦିନ । କାଲି ଦୁଇଜଣଙ୍କ ନାଁ ଘୋଷଣା ହେବା ପରେ ଆଜି ତୃତୀୟ ଜଣଙ୍କ ନାଁ ଘୋଷଣା କରାଯାଇ ଏକାବେଳେ ତିନିଜଣଯାକ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଅନୁମାନ କରାଯାଉଥିଲା । ମାତ୍ର ତାହା ହୋଇ ନ ଥିବାରୁ କିଛି ଗୋଟେ ଦଳୀୟ କେଁ ଅଥବା ବଡ଼ ରଣନୀତି ରହିଥିବା ଚର୍ଚ୍ଚା ହେଉଛି ।
ଦଳୀୟ କେଁ କଥା କହିଲେ, ରାଜ୍ୟସଭା ପାଇଁ ଥିଲେ ୧୫ ରୁ ଅଧିକ ଆଶାୟୀ । ତାହାବାଦ୍ ବିଭିନ୍ନ ସ୍ତରରେ ବିଭିନ୍ନ ସମୀକରଣ ଅଛି । ଅନୁସୂଚିତ ଜାତି/ଜନଜାତି, ମହିଳା, ଭାଷା ଭଳି ଏକାଧିକ ସମୀକରଣ ବି ଅଛି । ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ନେତୃତ୍ୱ ସବୁ ଦିଗକୁ ଦୃଷ୍ଟିରେ ରଖି ଏବଂ ସମସ୍ତଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେବା ସହଜ ବ୍ୟାପାର ନୁହେଁ । ଖାଲି କଟକ ଓ ପୁରୀ ଝାମେଲା ତୁଟେଇ ଦଳୀୟ ନେତୃତ୍ୱ ସେହି ମାପକାଠିରେ ଆଗକୁ ଯେ ଭାବୁଥିବେ ତାହା ମଧ୍ୟ ଆଦୌ ନୁହେଁ । ତେଣୁ ଆଉ ଗୋଟେ ଆସନ ନେଇ ନବୀନଙ୍କ ନିଷ୍ପତ୍ତି ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି ।
ଇତିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାଟି ହେଉଛି, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏହି ତୃତୀୟ ଆସନରୁ ସେମିତି କିଏ ରାଜ୍ୟସଭା ଯିବେନି ତ? ଉଲ୍ଲେଖଥାଉକି, ୨୦୧୯ ଜୁନ୍ ୨୧ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣାର ୨୦ ମିନିଟ୍ ପୂର୍ବରୁ ବିଜେପିର ଅଫିସିଆଲ୍ ଟୁଇଟରରେ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାସରିଥିଲା । ଫଳରେ ବୈଷ୍ଣବ କାହାର ପ୍ରାର୍ଥୀ ବୋଲି କେହି କିଛି ବୁଝିପାରିଲେ ନାହିଁ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଗଣମାଧ୍ୟମକୁ ଡାକି ଏକ ସ୍ପଷ୍ଟୀକରଣ ଦେଇଥିଲେ । କହିଥିଲେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କ ସହ ସେ କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଲା ପରେ ଦ୍ୱନ୍ଦ ଦୂର ହୋଇଥିଲା । ଅର୍ଥାତ୍ ବିଜେଡି ହାତରେ ତିନୋଟି ଯାକ ଆସନ ଥିଲେ ମଧ୍ୟ ଶୀର୍ଷ ନେତୃତ୍ୱସ୍ତରରେ ବୁଝାମଣା ହୋଇ ବିଜେପିକୁ ବିଜେଡି ଗୋଟେ ରାଜ୍ୟସଭା ଆସନ ଛାଡ଼ି ଦେଲା ।
ଏଥର ସେଭଳି ହୋଇପାରେ କି ବୋଲି ଅନେକ ପ୍ରଶ୍ନ ପଚରା ପଚରି ହେଉଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ମାତ୍ର ଦୁଇମାସ ଥିବାରୁ ଏତିକିବେଳେ ଦୁଇ ପ୍ରତିଦ୍ୱନ୍ଦୀ ଦଳ ବିଜେଡି-ବିଜେପି ମଧ୍ୟରେ ଏମିତି ବୁଝାମଣା ସମ୍ଭବ ନୁହେଁ ଏବଂ ଲୋକଙ୍କୁ ଏହା ଭୁଲ୍ ବାର୍ତ୍ତା ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ମାତ୍ର ବିଜେଡି ଗୋଟିଏ ଆସନ ନାଁ ଘୋଷଣା ବାକି ରଖିଥିବାରୁ ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୂରି ଯାଇଥିବାରୁ ତାଙ୍କ ଉପରକୁ ଅନେକଙ୍କ ନଜର ଚାଲିଯାଇଛି । ଆସନ୍ତାକାଲି ସେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବାରୁ ଚର୍ଚ୍ଚା ଅଧିକ ହୋଇଛି । ୨୦୧୯ ଏପିସୋଡର ରିପିଟ୍ ହେବନି ତ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ







