ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିରବତା ଏବେ ଚର୍ଚ୍ଚାର ବିଷୟ । ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଲା ପରେ ଅନୁସନ୍ଧାନ କରି ନିଷ୍ପତ୍ତି ନେବେ କହିବା ତାଙ୍କର ଭୂମିକାକୁ ସନ୍ଦେହଘେରକୁ ନେଇଛି । ଇତିମଧ୍ୟରେ ଆଜି ଭୁବନେଶ୍ୱରର ବିଭିନ୍ନ ଜାଗାରେ ଛାଇ ଯାଇଛି ସାଂସଦଙ୍କ ନିଖୋଜ ସୂଚନା ସମ୍ବଳିତ ପୋଷ୍ଟର । କାନ୍ଥବାଡ ଚାରିଆଡେ ଶୋଭା ପାଉଛି ଏହି ପୋଷ୍ଟର ।
ଏକାମ୍ର କ୍ଷେତ୍ରରେ ଲାଗୁ ହେବାକୁ ଥିବା ଏନଏମଏ ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ନିରବ କାହିଁକି? ସାଂସଦ ନିଜ ନିର୍ବାଚନମଣ୍ଡଳୀ ବାହାରକୁ ଯାଇ ନିଜସ୍ୱ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ନିଜ ଅଞ୍ଚଳର ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଶକ୍ତିହୀନ ହେବା ପଛର ରହସ୍ୟ କ’ଣ? ଘରୋଇ କଳି ନା ଏକାମ୍ର ବିକାଶକୁ ଭଣ୍ଡୁର କରି ପ୍ରତିପକ୍ଷଙ୍କୁ ଦୁର୍ବଳ କରିବାର ମାନସିକତା? ଭୁବନେଶ୍ୱର ସାଂସଦଙ୍କୁ ନେଇ ରାଜନୀତି ଖଟିରେ ଏଭଳି ଅନେକ ପ୍ରଶ୍ନ ଛିଡ଼ା ହେଲାଣି ।
ଖାଲି ଏକାମ୍ରକ୍ଷେତ୍ରରେ ବାଇ-ଲ’ ପ୍ରସଙ୍ଗ ନୁହେଁ, ଶ୍ରୀମନ୍ଦିର ପାଇଁ ଏନଏମଏ ବାଇ-ଲ’କୁ ନେଇ ତମ୍ବିତୋଫାନ ଚାଲିଥିଲା ବେଳେ ଅପରାଜିତାଙ୍କର ଦେଖା ନ ଥିଲା । ଖୋଦ୍ ତାଙ୍କ ଦଳର ସାଂସଦମାନେ ବାଇ-ଲ’ ପ୍ରତ୍ୟାହାର ଦାବି ଧରି ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ ମଧ୍ୟ ସେଥିରେ ଅପରାଜିତାଙ୍କୁ ଦେଖିବାକୁ ମିଳିଲାନି । ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଙ୍ଗରେ ଲେଖାଶ୍ରୀ ସାମନ୍ତସିଂହାର ଯାଇଥିଲେ ମଧ୍ୟ ଅପରାଜିତା ନ ଥିଲେ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଚାଲିଥିବା ବାଇ-ଲ’ ପ୍ରତ୍ୟାହାର ଓ ଧନ୍ୟବାଦ ଅଭିଯାନରେ ଅପରାଜିତାଙ୍କୁ ସାମିଲ କରାଯାଇ ନ ଥିଲା ନା ସେ ନିଜେ ଅହଂଭାବ ଯୋଗୁଁ ଅନ୍ୟର ନେତୃତ୍ୱାଧୀନ ଏଜେଣ୍ଡାରେ ସାମିଲ ହେବାକୁ ଉଚିତ୍ ମଣିଲେନି ତାହା ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି ।
ତେବେ ଭିତିରି ରହସ୍ୟ ଯାହା ହେଉ ନା କାହିଁକି ଏନଏମଏ ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ନିରବତାକୁ ତାଙ୍କର ପ୍ରତିପକ୍ଷ ବିଜେଡ଼ି ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା କେବଳ ଏକା ସମାଲୋଚନା କରିନାହାନ୍ତି । ଆଜି ଚାରି ନିଯୋଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଇ-ଲ’ ପ୍ରତ୍ୟାହାର ଦାବି ସହିତ ସାଂସଦଙ୍କ ନିରବତାକୁ ପ୍ରଶ୍ନ କରାଯାଇଥିଲା । ଏକାମ୍ର କ୍ଷେତ୍ରର ବିକାଶକୁ ସେମାନେ ସ୍ୱାଗତ କରିଥିଲା ବେଳେ ସାଂସଦଙ୍କର ଅସହଯୋଗକୁ ପ୍ରଶ୍ନ କରିଥିଲେ । ସାଂସଦ ଏ ପର୍ଯ୍ୟନ୍ତ ସେମାନଙ୍କ ସାଙ୍ଗରେ ଆଲୋଚନା କରି ନ ଥିବାରୁ ନିଯୋଗ କର୍ମକର୍ତ୍ତାମାନେ ଦୁଃଖ ପ୍ରକାଶ କରିଥିଲେ । ଏଥିସହ ଏକାମ୍ର ବିକାଶ କାର୍ଯ୍ୟରେ ବାଧା ଦେବାକୁ ରାଜନୈତିକ ଷଡ଼ଯନ୍ତ୍ର ଥିବା କହିଥିଲେ ।
ତେବେ ଏହି ରାଜନୈତିକ ଷଡ଼ଯନ୍ତ୍ରକାରୀ କିଏ ଏବଂ ଏକାମ୍ର ବିକାଶ କାହା ଦେହରେ ଯାଉନି ଏହି ପ୍ରଶ୍ନ ଆଜି ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।