ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଦଳୀୟ ରାଜନୀତିରୁ ସନ୍ୟାସ ନେଇଥିବା ବହୁ ପୂର୍ବରୁ ଘୋଷଣା କରିଥିଲେ । ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସେ ବିଜେଡିରେ ନାହାନ୍ତି । ସାମ୍ବାଦିକତା ଉପରେ ପୂର୍ଣ୍ଣ ମନୋନିବେଶ କରିବାକୁ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ । ସେବେଠାରୁ ତାଙ୍କର ବିଜେଡି ଖାତା ଖତିଆନା ନାହିଁ । ନିଜ ଖବରକାଗଜରେ ବେଳେ ବେଳେ ସମ୍ପାଦକୀୟ ଆଉ ଟ୍ୱିଟ୍ ରେ ତାଙ୍କ କାର୍ଯ୍ୟକଳାପ ସୀମିତ ରହିଛି ।
ମାତ୍ର ଆଜି ଅଚାନକ ତାଙ୍କୁ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ର ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା । ଅବଶ୍ୟ ସାମ୍ବାଦିକ ଧାଡ଼ିରେ ବସି ନ ଥିଲେ । ବସିଥିଲେ, ବିଜେଡି ନେତୃମଣ୍ଡଳୀଙ୍କ ପାଇଁ ଉଦ୍ଦିଷ୍ଟ ଜାଗାରେ । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଖରେ ବସି ଫୁସୁରୁ ଫାସର ହେଉଥିଲେ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ପିଇ ଯାଉଥିଲେ । ବିଜେଡି ନେତାଙ୍କ ମେଳରେ ସାମ୍ବାଦିକ ଓ ନିର୍ଦ୍ଦଳୀୟ ତଥାଗତଙ୍କୁ ଦେଖି ସବୁ କ୍ୟାମେରା ଅଟକି ଯାଇଥିଲା । ଏଇ ବାବୁ ଏଠି କୁଆଡ଼େ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା ।
କାର୍ଯ୍ୟକ୍ରମ ସରିଲା ପରେ ତଥାଗତ ବାହାରକୁ ଆସିବା କ୍ଷଣି ସାମ୍ବଦିକମାନେ ତାଙ୍କୁ ଘେରିଯାଇ ଏଠାକୁ ଆସିବାର ରହସ୍ୟ ପଚାରିଥିଲେ । ତେବେ ତଥାଗତ ତାଙ୍କର ଚିରାଚରିତ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଥିଲେ । କହିଲେ, ମୁଁ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ କି କୌଣସି ଦଳରେ ନାହିଁ । ମୋତେ ବିଜେଡି ସଭାପତି ନିମନ୍ତ୍ରଣ କରିଥିଲେ । ସାମ୍ବାଦିକ ଭାବେ ଏଠାକୁ ଆସିଛି । ଶଙ୍ଖ ଭବନ ସୁନ୍ଦର ହୋଇଛି । ବହୁତ ଭଲ ଲାଗିଲା ।
୨୦୨୪ ନିର୍ବାଚନ ରାଜନୀତିରେ ରହିବେ କି ବୋଲି ସାମ୍ବାଦିକମାନେ ପଚାରିଲାରୁ ସେ ମୃଦୁହସ ଦେଇଥିଲେ । କହିଥିଲେ, ନାଁ..ଇଚ୍ଛା ନାହିଁ.. । ମୁଖ୍ୟମନ୍ତ୍ରୀ ଯଦି ଆପଣକୁ ଡାକନ୍ତି ବୋଲି ପ୍ରଶ୍ନ ହେବାରୁ ତଥାଗତ ବାବୁ ଚୁପ୍ ହୋଇଗଲେ । କିଛି ନ ଜାଣିଲା ପରି ଅଭିନୟ କରିଥିଲେ । ତା’ପରେ ସେଠୁ ଚାଲିଯାଇଥିଲେ ।
ସୂଚନାଥାଉକି, ଶ୍ରୀ ଶତପଥୀ ୨୦୦୪, ୨୦୦୯ ଏବଂ ୨୦୧୪ ରେ ବିଜେଡି ଟିକେଟରେ ଢ଼େଙ୍କାନାଳ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଭୋଟ ରାଜନୀତି ପ୍ରତି ବୈରାଗ୍ୟ ଦେଖାଇଥିଲେ । ଏହାର କାରଣ ସମ୍ପର୍କରେ ମଧ୍ୟ ଅନେକ କଥା ଚର୍ଚ୍ଚା ହେଲା ।
ନିଜ ନିର୍ବାଚନମଣ୍ଡଳୀରେ ତାଙ୍କର ଆଦୌ ଲୋକସମ୍ପର୍କ ନ ଥିଲା କି ବିଧାୟକମାନଙ୍କ ସହ ସମ୍ପର୍କ ନ ଥିଲା । ଢ଼େଙ୍କାନାଳରୁ ନବୀନ ତାଙ୍କୁ ଆଉ ଟିକେଟ ଦେବେନି ବୋଲି ସେ ନିଶ୍ଚିତ ହୋଇଯାଇଥିଲେ । ଟିକେଟରୁ ବଞ୍ଚିତ ହୋଇ ଅପମାନ ସହିବା ଅପେକ୍ଷା ଆଗୁଆ ବାଟ କାଟିଦେବା ଭଲ ଭାବି ସେ ନିର୍ବାଚନ ନ ଲଢ଼ିବାର ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ବିଜେଡିରେ ଆଉ ନାହାନ୍ତି ବୋଲି ଜଣାଇ ଦେଇଥିଲେ ।
ଇତିମଧ୍ୟରେ ୪ ବର୍ଷ ବିତିଗଲାଣି । ଆଗକୁ ଆସୁଛି ପୁଣି ନିର୍ବାଚନ । ତଥାଗତ ବାବୁଙ୍କ ଭଳି ଚାଲାକ ଚତୁର ନେତା ଠିକ୍ ଜାଣିଛନ୍ତି ଯେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ଚେଷ୍ଟା କଲେ ପୁନର୍ବାର ଟିକେଟ ମିଳିଯାଇପାରେ । ତେଣୁ ସମୟର ସଦୁପଯୋଗ କରି ସେ ପୁଣି ବିଜେଡି ଆଡକୁ ଢ଼ଳିଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଚାହାଁନ୍ତୁ କି ନ ଚାହାଁନ୍ତୁ, କିନ୍ତୁ ଶଙ୍ଖ ଭବନ ନିମନ୍ତ୍ରଣକୁ ସେ ହତଛଡ଼ା କରିବାକୁ ଚାହିଁନାହାନ୍ତି ।