ଭୁବନେଶ୍ୱର: ଭାରତୀୟ ଟ୍ରେନ୍ ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଘଟଣା । ଓଡ଼ିଶାରେ ଏଭଳି ଲୋମଟାଙ୍କୁରା ଟ୍ରେନ୍ ଦୁର୍ଘଟଣା ପୂର୍ବରୁ ଲୋକେ ଦେଖି ନ ଥିଲେ । ଆଖି ପିଛୁଳାକେ ତିନି ତିନୋଟି ଟ୍ରେନ୍ ମଧ୍ୟରେ ଧକ୍କା ଲାଗିଲା । ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ର ବଗିଗୁଡ଼ିକ ପରଷ୍ପରକୁୂ ଧକ୍କା ଦେଇ ଛିନଛତ୍ର ହୋଇଗଲେ । ବଗି ଭିତରେ ଓ ତଳେ ଚାପି ହୋଇଗଲା ଶହ ଶହ ମଣିଷଙ୍କ ଖିନଭିନ୍ ଶରୀର । ବଞ୍ଚିବା ପାଇଁ ଚିତ୍କାର କରୁଥିଲେ ହଜାର ହଜାର ରକ୍ତାକ୍ତ ମଣିଷ । ରାତି ତମାମ ଏହି ଦୃଶ୍ୟ ଦେଖଣାହାରୀଙ୍କୁ ବିଚଳିତ କରୁଥିଲା । ଏହି ଛାତିହରା ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ ସମଗ୍ର ମାନବ ସମାଜକୁ ସ୍ତବ୍ଧ କରିଦେଇଛି ।
ଅପରାହ୍ନରେ ରେଳବାଇ ପକ୍ଷରୁ ମୃତାହତଙ୍କୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର କରିବାକୁ ଚେଷ୍ଟା କରାଯାଇଛି । ରେଳବାଇ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ୫୬ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୭୪୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅତଏବ୧୦୯୧ ଜଣ ଯାତ୍ରୀଙ୍କ ସମ୍ପର୍କରେ ରେଳବାଇ ତଥ୍ୟ ଦେଇଛି । ତେବେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଏକ୍ସପ୍ରେସ୍ ଟ୍ରେନ୍ ରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ କରାଯାଇନାହିଁ ।
ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, କରମଣ୍ଡଳରେ ସମୁଦାୟ ୧୨୫୭ ଯାତ୍ରୀ ଥିଲା ବେଳେ ଯଶୋବନ୍ତପୁର ସୁପରଫାଷ୍ଟରେ ୧୦୩୯ ଯାତ୍ରୀ ଥିଲେ । ସେହି ହିସାବରେ ଦୁଇଟି ଯାକ ଟ୍ରେନ୍ ରେ ୨୨୯୬ ଯାତ୍ରୀ ଯାତ୍ରା କରୁଥିଲେ । ଏହା ସତ କି ନା ରେଳବାଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନି । ସେଥିପାଇଁ ମୃତାହତଙ୍କୁ ନେଇ ଅଧିକ ଦ୍ୱନ୍ଦ ଲାଗି ରହିଛି ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳମତ ନିର୍ବିଶେଷରେ ସବୁ ରାଜନେତା, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ଶାନ୍ତ୍ୱନା ଦେଇଛନ୍ତି । ଓଡ଼ିଶା ଏବଂ ତାମିଲନାଡୁ ସରକାର ଆଜିର ଦିନକୁ ଶୋକର ଦିନ ଭାବେ ପାଳନ କରିଛନ୍ତି ।
ଗତକାଲି ଦୁର୍ଘଟଣା ଖବର ଆସିଲା ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥାର ନିଜେ ତଦାରଖ କରିଥିଲେ । ବିଳମ୍ବିତ ରାତିରେ ଏସଆରସି କଣ୍ଟ୍ରୋଲ୍ ରୁମ୍ ରେ ସମୀକ୍ଷା ବୈଠକ କରିଥିଲେ । ଘଟଣାସ୍ଥଳକୁ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଅନ୍ୟ ଉଚ୍ଚ ଅଧିକାରୀମାନଙ୍କୁ ପଠାଇଥିଲେ ।

ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଡାକ୍ତରଖାନାରେ ଆହତଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ ।
ତାଙ୍କ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । ଦିନତମାମ ସେଠାରେ ରହି ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଥିଲେ ।
ମଧ୍ୟାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳ ଓ ଡାକ୍ତରଖାନା ବୁଲିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଠାରେ ପହଞ୍ଚିଥିଲେ ।

ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠା କ୍ୟାମ୍ପ ଅଫିସ୍ ରେ ବରିଷ୍ଠ ଅଧିକାରୀମାନଙ୍କ ସହ ଦୁର୍ଘଟଣାର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରମୁଖ ସାଙ୍ଗରେ ଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ, ସ୍ୱତନ୍ତ୍ର ରିଲିଫ୍ କମିସନର ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ୱର ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ମୋ ପାଖରେ ଶବ୍ଦ ନାହିଁ । ଏହି ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଯିଏ ମୃତ୍ୟୁବରଣ କରିଛନ୍ତି ସେ ଫେରିବେ ନାହିଁ । ମାତ୍ର ସରକାର ସେମାନଙ୍କ ପରିଜନଙ୍କ ସାଙ୍ଗରେ ଅଛନ୍ତି । ସରକାରଙ୍କ ପାଇଁ ଏହା ଗମ୍ଭୀର ବିଷୟ । ସବୁ ପ୍ରକାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଦୋଷୀ ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଦୁଃଖଦ ଓ ଘଡ଼ିସନ୍ଧି ମୁହୁର୍ତ୍ତରେ ସବୁ ପ୍ରକାର ସହଯୋଗ କରିଥିବାରୁ ଓଡ଼ିଶା ସରକାର, ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଦୁର୍ଘଟଣା ଆମକୁ ଅନେକ କିଛି ଶିକ୍ଷା ଦେଇଛି । ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆମ ବ୍ୟବସ୍ଥାରେ ଆଗକୁ ବଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦିଲ୍ଲୀରୁ ସିଧାସଳଖ ଆସିଥିଲେ ପଶ୍ଚିମବପଙ୍ଗର କଲେଇକୁଣ୍ଡା ଏୟାରଷ୍ଟ୍ରିପ୍ କୁ । ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକ୍ପଟରରେ ବାହାନଗା ଆସିଥିଲେ । ବାହାନଗାରୁ ବାଲେଶ୍ୱର ଆସି ସେଠାରୁ କଲେଇକୁଣ୍ଡା ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ସାରା ବିଶ୍ୱରୁ ମଧ୍ୟ ଭାରତକୁ ସମବେଦନାର ବାର୍ତ୍ତା ଆସୁଛି । ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସୁନକ୍ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଇତିମଧ୍ୟରେ ଦୁର୍ଘଟଣା କାରଣକୁ ନେଇ ଛାନଭିନ୍ ଆରମ୍ଭ ହୋଇଯାଇଛି । କାହାର ତ୍ରୁଟି ପାଇଁ ଦୁର୍ଘଟଣା ହେଲା ତାହାର ମୂଳ ଖୋଜା ଚାଲିଛି । ରେଳ ବିଭାଗର ଏକ ଯୁଗ୍ମ ତଦନ୍ତକାରୀ ଟିମ୍ ସେମାନଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟିପୂର୍ଣ୍ଣ ସିଗନାଲ୍ କୁ ଦୁର୍ଘଟଣାର କାରଣ ଦର୍ଶାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଉକ୍ତ ରିପୋର୍ଟ ଅନୁଯାୟୀ, କରମଣ୍ଡଳ ଏକ୍ସପ୍ରେସ୍ କୁ ରାସ୍ତା ଅତିକ୍ରମ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିଲା । ମାତ୍ର ଅଚାନକ ତାହାକୁ ହଟାଇ ଦିଆଗଲା । ସେତେବେଳକୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ଲୁପ୍ ଲାଇନ୍ ରେ ପ୍ରବେଶ କରିସାରିଥିବାରୁ ତାହା ମାଲବାହି ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଏଥିରେ ଅଧିକାଂଶ ବଗି ଲାଇନଚ୍ୟୁତ ହୋଇଥିଲା । ଦୁଇଟି ବଗି ବିପରୀତ ଲାଇନ୍ ଉପରେ ଛିଟିକି ପଡ଼ିଥିଲା । ସେହି ସମୟରେ ଡାଉନ୍ ଲାଇନ୍ ରେ ଆସୁଥିବା ଯଶୋବନ୍ତପୁର ସୁପର୍ଫାଷ୍ଟ ଏକ୍ସପ୍ରେସ୍ ଏହି ଦୁଇଟି ବଗି ଉପରେ ଚଢ଼ି ଯାଇଥିଲା । ଏଥିରେ ସୁପରଫାଷ୍ଟ୍ ଟ୍ରେନ୍ ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା ।







