ନୂଆଦିଲ୍ଲୀ/ଭୁବନେଶ୍ୱର: ଅସମ୍ଭବ ଲାଗୁଥିବା ଘଟଣା ସମ୍ଭବ ହେଲା । ଯାହା ମେସିନ୍ କରିପାରିଲାନି ତାହା ଭଗବାନଙ୍କ ଭରସାରେ ମଣିଷ କରି ଦେଖାଇଲେ । ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୫ ଜଣ ଓଡ଼ିଆଙ୍କ ସମେତ ୪୧ ଶ୍ରମିକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳର ଦୃଢ଼ ଆତ୍ମବିଶ୍ୱାସ ଓ ଅକ୍ଲାନ୍ତ ପରିଶ୍ରମରେ ୬୦ ମିଟର ଖୋଳାଯାଇ ପାଇପ୍ ଯୋଗେ ସମସ୍ତଙ୍କୁ ବାହାରକୁ ଅଣାଯାଇଛି । ଅନ୍ଧାରୀ ଟନେଲରେ ନିଶ୍ଚିତ ମରଣ ମୁହଁରୁ ସେମାନେ ଜୀବନ ଧରି ଫେରି ଆସିଛନ୍ତି । ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ବିକଳ୍ପ ଉଦ୍ଧାର କାର୍ଯ୍ୟ ଶେଷରେ ସଫଳ ହୋଇଛି । ଏହି ଘଟଣା ସାରା ଦେଶରେ ଖୁସିର ଲହରି ଖେଳାଇ ଦେଇଛି ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍ଲିୟାରା-ବାରକୋଟ୍ ଟନେଲ୍ ଭିତରେ ୧୭ ଦିନ ଧରି ଫସି ରହିଥିଲେ ଏହି ୪୧ ଶ୍ରମିକ । ଖାଦ୍ୟ ପାଣି କଥା ଛାଡ଼ନ୍ତୁ ନିଶ୍ୱାସ ନେବାକୁ ବି ଅମ୍ଲଜାନ ନ ଥିଲା । ତାହା ଭିତରେ ବଞ୍ଚିବା ଅସମ୍ଭବ ହୋଇଯାଇଥିଲା । ଆଗ ସେମାନଙ୍କ ଜୀବନ ବଞ୍ଚାଇବାକୁ ଉପାୟ ବାହାର କରାଯାଇ ଭିତରକୁ ଖାଦ୍ୟ, ପାଣି ଓ ଅମ୍ଲଜାନ ଯୋଗାଇ ଦିଆଯାଇଥିଲା । ପରେ ସେମାନଙ୍କ ଉଦ୍ଧାର ପାଇଁ ସବୁ କଳବଳ କୌଶଳ ଖଟାଯାଇଥିଲା । ମାତ୍ର ତାହା ବିଲକୁଲ ସହଜ ନ ଥିଲା ।
ଦେଶୀ ଜ୍ଞାନ କୌଶଳ ଫେଲ୍ ମାରିଲା ପରେ ବିଦେଶୀ ଟେକ୍ନୋଲୋଜି ଓ ବିଶେଷଜ୍ଞଙ୍କ ସହାୟତା ନିଆଗଲା । ସୁଡ଼ଙ୍ଗ ଖୋଳି ରାସ୍ତା ସଫା କରିବା ପାଇଁ ଆମେରିକାନ୍ ଅଗର ମେସିନ୍ ବ୍ୟବହାର କରାଗଲା । ମାତ୍ର ତାହା ମଧ୍ୟ ସଫଳ ହେଲାନି । ବଡ଼ ବଡ଼ ପଥର ଏହି ମେସିନ୍ କୁ ଭାଙ୍ଗି ଚୂରମାର କରିଦେଲା । ଫଳରେ ଶ୍ରମିକଙ୍କ ଉଦ୍ଧାର ଆଶା ମଉଳି ଗଲା । ଅନ୍ତର୍ଜାତୀୟ ବିଶେଷଜ୍ଞ ବି ବୁଦ୍ଧିବଣା ହୋଇଗଲେ । ଶେଷ ଓ ଅଧିକ କଷ୍ଟସାଧ୍ୟ ବିକଳ୍ପ ଥିଲା ହରାଇଜଣ୍ଟାଲ୍ ମାଇନିଂ ବା ଭୂସମାନ୍ତରାଳ ଖନନ । ଏହି ବ୍ୟବସ୍ଥାରେ ହାତରେ ଖନନ ବା ରାଟ୍ ହୋଲ୍ ମାଇନିଂ ପ୍ରକ୍ରିୟା ଗତକାଲି ଆରମ୍ଭ ହୋଇଥିଲା । ୨୪ ଜଣ ରାଟ୍ ହୋଲ୍ ମାଇନର ୩୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମରେ ୬୦ ମିଟର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପଥର ଓ ଲୁହା କାଟି ବାଟ ବାହାର କରିଥିଲେ । ସେଥିରେ ପାଇପ୍ ଯୋଗେ ଜଣ ଜଣ କରି ସମସ୍ତଙ୍କୁ ଭିତରୁ ବାହାରକୁ ଅଣାଯାଇଛି ।
ଟନେଲ୍ ଭିତରୁ ଉଦ୍ଧାର କରାଯିବା ପରେ ୪୧ ଜଣ ଯାକ ଶ୍ରମିକଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସମେତ ରାଜ୍ୟର ଶ୍ରମମନ୍ତ୍ରୀ, ସ୍ଥାନୀୟ ବିଧାୟକ ଏବଂ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶାରୁ ଯାଇଥିବା ଶ୍ରମମନ୍ତ୍ରୀ ସାରଦା ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ ତଥା ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସେଠାକୁ ପଠାଇଛନ୍ତି ।
ସୂଚନାଯୋଗ୍ୟ, ଏହି ଟନେଲ୍ ଦୁର୍ଘଟଣାରେ ଫସିଥିଲେ ୫ ଜଣ ଓଡ଼ିଆ ଶ୍ରମିକ । ସେମାନେ ହେଲେ ବିଶ୍ୱେଶ୍ୱର ନାୟକ,ଧିରେନ ନାୟକ, ଭଗବାନ ରତ୍ରୀ, ରାଜୁ ନାୟକ ଏବଂ ତପନ ମଣ୍ଡଳ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।