ଭୁୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟର ଦୁଇ ପ୍ରତିଷ୍ଠିତ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲ୍ ରେ ଆଖି ବୁଜିଥିଲା ବେଳେ ବିଶାଖାପାଟଣାର ଏକ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି ନକ୍ଷତ୍ର ନ୍ୟୁଜ୍ ର ଭବାନୀପାଟଣା ପ୍ରତିନିଧି ଭାନୁ ପ୍ରକାଶ ରଥ । ମାନସ ଏବଂ ଭାନୁ ପ୍ରକାଶ ସାମ୍ବାଦିକତା ଜଗତରେ ବେଶ୍ ଜଣାଶୁଣା ଥିଲେ । ଆଜି ଉଭୟଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେମାନଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳିରେ ସୋସିଆଲ୍ ମିଡ଼ିଆ ଭରିଯାଇଛି ।
ମାନସ ଜୟପୁରିଆ ଗତ ୨୪ ତାରିଖରେ କୋଭିଡ୍ ରେ ଅକ୍ରାନ୍ତ ହୋଇଥିଲେ । ସମ୍ବଲପୁର ଆରୋଗ୍ୟମ୍ ନର୍ସିିଂହୋମ୍ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଭାନୁ ପ୍ରକାଶ ଗତ ୧୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ କଳାହାଣ୍ଡିର ଏକ କୋଭିଡ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାର ଓମନି ହସ୍ପିଟାଲ୍ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଥିଲା ବେଳେ ଆଜି ସକାଳୁ ପ୍ରାଣ ହରାଇଛନ୍ତି ।
ସମ୍ବଲପୁରର ମାନସ ଜୟପୁରିଆ ଜୀ ଓଡ଼ିଶାରେ କାମ କରୁଥିଲେ । ଏହାପୂର୍ବରୁ ସେ ସମାଜ, ନକ୍ଷତ୍ର ଟିଭି ଏମବିସି ଟିଭି ଏବଂ ନନ୍ଦିଘୋଷ ଟିଭିରେ କାମ କରିଛନ୍ତି । ଅତ୍ୟନ୍ତ ସ୍ନେହୀ, ମେଳାପୀ ସ୍ୱଭାବର ମାନସ ନିଜର କାର୍ଯ୍ୟ ଓ ଆଚାର ବ୍ୟବହାର ପାଇଁ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଥିଲେ । ୩/୪ ଦିନ ତଳେ ମାନସ କରୋନା ମୃତ୍ୟୁରେ ବ୍ୟଥିତ ହୋଇ ଫେସବୁକ୍ ଦେଖିବା ଛାଡ଼ି ଦେଇଥିଲେ । ‘ଆଉ ଫେସବୁକ୍ ଦେଖି ହେବନି ଏମିତି କେତେ ଦୁଃଖଦ ଖବର ଶୁଣିବ.. କିଛି ଦିନ ପାଇଁ ବିଦାୟ ଫେସବୁକ୍’ ବୋଲି ଲେଖିଥିଲେ । ଦୁଃଖର କଥା କି ଆଜି ସେଇ ମାନସ ଅନ୍ୟମାନଙ୍କୁ ଦୁଃଖ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି ।
ଉଭୟ ମାନସ ଓ ଭାନୁ ପ୍ରକାଶଙ୍କର ସାମ୍ବାଦିକତା ସହ ଅଭିନୟ ଓ ଗୀତ ଗାଇବାରେ ମଧ୍ୟ ବେଶ୍ ଦକ୍ଷତା ଥିଲା । ଏହି ଦୁଇ ପ୍ରତିଭାବାନଙ୍କ ସହ କରୋନା ଦ୍ୱିତୀୟ ଲହରରେ ୭ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି ।
ଏହି ଦୁଃଖ ମୁହୁର୍ତ୍ତରେ ସେମାନଙ୍କ ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହା ହିଁ କାମନା ।