ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଆଉ ନାହାନ୍ତି । ମହାମାରୀ କରୋନା ତାଙ୍କର ଜୀବନ ନେଇଯାଇଛି । ୮୧ ବର୍ଷ ବୟସ୍କ ଏହି ଭେଟେରାନ୍ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ କିମସ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ବସନ୍ତ ଦାସଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକ ମହଲରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃବୃନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ.ଏ ପାସ୍ କରିଥିବା ସ୍ୱର୍ଗତ ଦାସ ଲୋଭନୀୟ ସରକାରୀ ଚାକିରି ଛାଡ଼ି ସାମ୍ବାଦିକତା ବୃତ୍ତିକୁ ଆପଣେଇଥିଲେ । ୧୯୬୫ରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ରେ ସାମ୍ବାଦିକତା ଆରମ୍ଭ କରିଥିଲେ ଏବଂ ଅମ୍ରିତା ବଜାର ପତ୍ରିକାର ବ୍ୟଚରୋ ଚିଫ୍ ଭାବେ ୧୯୯୬ ମସିହାରେ ଅବସର ନେଇଥିଲେ ।
ସ୍ୱର୍ଗତ ଦାସ ଜଣେ ବିଚକ୍ଷଣ ସାମ୍ବାଦିକ, ଲେଖକ ଓ ସ୍ତମ୍ଭକାର ଥିଲେ । ଓଡ଼ିଶା ରାଜନୀତି ସମ୍ପର୍କରେ ତାଙ୍କର ଗଭୀର ଅନୁଶୀଳନ ଥିଲା । ସେ ମୋଟ ୧୬ ଟି ପୁସ୍ତକ ରଚନା କରିଥିଲେ । ତାଙ୍କ ଲିଖିତ ପୁସ୍ତକ ‘ଯେ ଦେଶ ଯାଇ ସେ ଫଳ ଖାଇ’କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ନିକଟରେ ଲେଖିଥିବା ପୁସ୍ତକ ‘ପଲିଟିକାଲ୍ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା’ ରେ ସେ ଓଡ଼ିଶା ରାଜନୀତିର ବହୁ ଗୁମର କଥାକୁ ସ୍ଥାନିତ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଲେଷକ ଭାବରେ ସୁନାମ କରିଥିଲେ । ଅର୍ଦ୍ଧଶତାଦ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।