ଭୁବନେଶ୍ୱର: ଖଲ୍ଲିକୋଟ ରାଣୀ, ବର୍ଷୀୟାନ ନେତ୍ରୀ, ୧୦ ଥରର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଆଉ ନାହାନ୍ତି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ଗତ ରାତିରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।
ବୟସାଧ୍ୟକ କାରଣରୁ ୫ ବର୍ଷ ତଳେ ରାଜନୀତିରୁ ସନ୍ୟାସ ନେଇଥିବା ରାଣୀ ପ୍ରାୟତଃ ଚେନ୍ନାଇରେ ରହୁଥିଲେ । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଦେଖିବା ପାଇଁ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ୍, ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାତ୍ରା କରିଥିଲେ । ତେବେ ବିଳମ୍ବିତ ରାତିରେ ରାଣୀଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି ।
୧୯୩୭ ମସିହାରେ ଜନ୍ମିତ ଶ୍ରୀମତୀ ଦେଓ ୧୯୬୧ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଥମ ଥର ୧୯୬୧ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ଉକ୍ରଳ କଂଗ୍ରେସରୁ ୧୯୬୪ ରେ ନିର୍ବାଚିତ ହୋଇଥିଲେ । ତୃତୀୟ ଥର ଜନତା ଟିକେଟରେ ୧୯୭୭ରୁ ୧୯୮୦ ଯାଏଁ ବିଧାୟିକା ଥିଲେ । ଚତୁର୍ଥ ଥର ଜନତା ଦଳରୁ ୧୯୮୫ ରୁ ୧୯୯୦ , ପଞ୍ଚମ ଥର ସେହି ଜନତା ଦଳରୁ ୧୯୯୦ ରୁ ୧୯୯୫ ଏବଂ ୧୯୯୫ ରୁ ୨୦୦୦ ଯାଏଁ ବିଧାୟିକା ଥିଲେ । କବିସୂର୍ଯ୍ୟନଗର ଆସନରୁ ବିଜେଡିରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଥିଲେ । ଏହିଭଳି ଭାବେ ଖଲ୍ଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗର ଆସନରୁ ୨ ଥର ସର୍ବମୋଟ ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ତାଙ୍କ ରାଜନୈତିକ କ୍ୟାରିୟରର ବିଶେଷତ୍ୱ ହେଉଛି ଯେ ସେ କେବେ କୌଣସି ଉଚ୍ଚ ପଦପଦବୀ ଚାହୁଁ ନ ଥିଲେ । ବିଜୁ ବାବୁ ଓ ନବୀନ ବାବୁ ତାଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ତାଙ୍କୁ ବାରମ୍ବାର ମନ୍ତ୍ରୀ ପଦ ଯଚା ଯାଉଥିଲେ ମଧ୍ୟ ସେ ବିନମ୍ରତାର ସହ ତାହାକୁ ଗ୍ରହଣ କରି ନ ଥିଲେ ।
ଏହି ମହାନ୍ ନେତ୍ରୀଙ୍କ ବିୟୋଗ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କର ପାର୍ଥିିବ ଶରୀର ଆଜି ସଂଧ୍ୟାରେ ଏଠାରେ ପହଞ୍ଚିବ ବୋଲି ସୂଚନା ମିଳିଛି ।