ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଛପଟୁ ତାଙ୍କୁ ପତିତପାବନଙ୍କ ଭଳି ଦିଶିଲେ । ଆଉ ଆଗପଟୁ ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କ ଭଳି ଦିଶିଲେ । କୁଆଡେ ଅପରାଜିତାଙ୍କୁ ପଛପଟୁ ଦେଖିଦେଲେ ତାହା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପତିତପାବନ ଦର୍ଶନ ସହ ସମାନ । ଆଉ ଆଗପଟୁ ଜଗନ୍ନାଥଙ୍କ ଦର୍ଶନ ସହ ସମାନ ।
ବିଜେପି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରୋଜିନାରାଣୀ ଦାସ ଏକ ସଭାରେ ସାଂସଦ ଅପରାଜିତାଙ୍କୁ ପ୍ରଶଂସା କରି ତାଙ୍କୁ ସିଧା ମହାପ୍ରଭୁ ଜଗନ୍ନାଥଙ୍କ ସହ ସମତୁଲ କରିଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଲଜ୍ଜା ଓ ଆଶ୍ଚର୍ଯ୍ୟର କଥା, କର୍ମୀଙ୍କ ଏଭଳି ସ୍ତୁତିଗାନ୍ କୁ ଅପରାଜିତା ବାରଣ କରିବା ପରିବର୍ତ୍ତେ ଓଲଟି ଖୁସିରେ କୁରୁଳୁ ଥିବା ସେଥିରେ ଦେଖିବାକୁ ମିଳୁଛି ।
ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ଅପରାଜିତାଙ୍କ ନିଜସ୍ୱ ଅନୁଷ୍ଠାନ “ଅଜିତା’ ପକ୍ଷରୁ ଆୟୋଜିତ ଉତ୍ସବର ଏହି ଭିଡ଼ିଓ । ଅପରାଜିତା ସଭାମଞ୍ଚରେ ବସିଥିବା ବେଳେ ଭାଷଣ ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ରୋଜିନା ଦାସ ।
ରୋଜିନା କହୁଛନ୍ତି “ଅପରାଜିତାଙ୍କ ବିଷୟରେ ମୋର ଏକ ଛୋଟ ଅନୁଭୂତି କହିବି । ମୁଁ ଛାତ୍ରୀ ଥିବା ବେଳେ ଓଜେଏସ୍ ପାଇଁ ପ୍ରସ୍ତୁତ ହେଉଥିଲି । କୋଚିଂ ସେଣ୍ଟରକୁ ଦିନେ ବସ୍ ରେ ଯିବା ବେଳେ ଏଜି ଛକରେ ଭେଣ୍ଡିଂ ଜୋନ୍ ପରିଦର୍ଶନରେ ତତ୍କାଳୀନ ବିଏମସି କମିଶନର ଅପରାଜିତା ଷଡ଼ଙ୍ଗୀ ଆସୁଥିବାର ଶୁଣିଲି । ସେତେବେଳେ ଅପରାଜିତା ମ୍ୟାଡାମ୍ ଙ୍କୁ ବାଘୁଣୀ କୁହାଯାଉଥିଲା । ମ୍ୟାଡାମ୍ ଆସୁଛନ୍ତି ବୋଲି ରାଜମହଲ-ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ପୂରା ପରିଷ୍କାର ହୋଇଯାଇଥିଲା । ଲାଗୁଥିଲା ଭୁବନେଶ୍ୱର ସହରକୁ କେହି ଭିଭିଆଇପି ଆସୁଛନ୍ତି । ମୋର ମ୍ୟାଡାମ୍ ଙ୍କୁ ଦେଖିବାର ସ୍ୱପ୍ନ ଥିବାରୁ ଏଜି ଛକରେ ଓହ୍ଲାଇ ପଡ଼ିଲି । ତେବେ ମ୍ୟାଡାମ୍ ଙ୍କ ଅଫିସ୍ ଷ୍ଟାଫ୍ ମାନେ ତାଙ୍କୁ ଘେରି ରହିଥିବାରୁ ମୁଁ ମ୍ୟାଡାମ୍ ଙ୍କୁ ସାମନା ପଟୁ ଦେଖିପାରି ନ ଥିଲି । କିନ୍ତୁ ମ୍ୟାଡାମ୍ ଙ୍କ ପଛଟା ଦେଖିକି ଯେଉଁ ଦର୍ଶନଟା ହୋଇଥିଲା ମୋତେ ଲାଗିଲା ପତିତପାବନ ଦେଖି ମୁଁ ଫେରି ଆସିଛି । ପରବର୍ତ୍ତୀ ସମୟରେ ମ୍ୟାଡାମ୍ ଙ୍କୁ ଘରେ ଭେଟିବା ପାଇଁ ସୁଯୋଗ ମିଳିଲା । ଯେତେବେଳେ ମୁଁ ମ୍ୟାଡାମ୍ ଙ୍କୁ ପାଖରୁ ଦେଖିଲି ମୋତେ ଲାଗିଲା ଜଗନ୍ନାଥଙ୍କ ଦର୍ଶନ କଲି । ପୂର୍ବରୁ ପତିତପାବନ ଦର୍ଶନ ହୋଇଥିଲା, ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦେଖିଲି ।”
ଏ ବକ୍ତବ୍ୟ ରାଜନୈତିକ ନୁହେଁ, ମନର ଅନୁଭବ ବୋଲି ଭାଷଣ ଶେଷରେ ସଫେଇ ଦେଉଛନ୍ତି ରୋଜିନା ।
କଥା ହେଉଛି, ତେଲମରା ରାଜନୀତିରେ କ୍ଷମତାଶାଳୀଙ୍କ ଗୁଣଗାନ କରିବା ନିହାତି ସାଧାରଣ କଥା । ମାତ୍ର ନେତାଙ୍କୁ ତେଲ ମାରିବାକୁ ଯାଇ ତାଙ୍କୁ ଖୋଦ ଭଗବାନ କରିଦେବାର ଦୁଃସାହାସ ଅତ୍ୟନ୍ତ ସାଂଘାତିକ । ସ୍ତୁତିଗାନ୍ କାଙ୍ଗାଳ ନେତା ବି ଏଥିରେ ଲଜ୍ଜିତ ଓ ଅପମାନିତ ହେବା ବଦଳରେ ଖୁସି, ଗର୍ବରେ କୁରୁଳିବା ଆହୁରି ମାରାତ୍ମକ ।
ନିକଟ ଅତୀତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନିଜର ଦଳର ନେତା ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବାକୁ ଯାଇ ମହାପ୍ରଭୁଙ୍କୁ ଛୋଟ କରିଦେଇଥିଲେ । ଲେଖାଶ୍ରୀ କହିଥିଲେ, ପୂର୍ବରୁ ରାଜ୍ୟ ବାହାର ଲୋକ ପୁରୀକୁ କଲିକତାର ବୋଲି ଭାବୁଥିଲେ । କିନ୍ତୁ ସମ୍ବିତ ପାତ୍ର ପୁରୀରୁ ସାଂସଦ ଲଢ଼ିବା ପରେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାର ।
ଓଡ଼ିଆଙ୍କ ଜଗନ୍ନାଥ ଚେତନାକୁ ଏଭଳି କୁଠାରଘାତ ସମ୍ବିତ୍ ପାତ୍ରଙ୍କୁ ମଧ୍ୟ ଲଜ୍ଜିତ କି ବିଚଳିତ କଲାନି । ଲେଖାଶ୍ରୀଙ୍କ ପ୍ରଶଂସାକୁ ସେ ଗଳ ଗଳ କରି ଗିଳିଦେଲେ । ଏବେ ଅପରାଜିତାଙ୍କ କ୍ଷେତ୍ରରେ ମଧ୍ୟ ସେୟା ଦେଖିବାକୁ ମିଳିଲା । ଏହି ଭିଡ଼ିଓଟି ସାଧାରଣରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି ।
ଛାର ମଣିଷ ହୋଇ କେହି ନିଜକୁ ଯଦି ମହାପ୍ରଭୁ ଜଗନ୍ନାଥଙ୍କ ଅବିକଳ ମନେ କରୁଥାଆନ୍ତି, ତାହା ଉକ୍ରଟ ଗର୍ବ ଓ ଅହଂକାରର ପ୍ରତିଫଳନ ବୋଲି ସ୍ୱୀକାର କରିବାକୁ ପଡ଼ିବ । ରାଜନେତାମାନେ ଏଭଳି ଶସ୍ତା ପ୍ରଶଂସାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ତତଃପକ୍ଷେ ନିଜକୁ ଭଗବାନ ମନେ କରିବାର ଧ୍ରୃଷ୍ଟତା ନ ରଖନ୍ତୁ ବୋଲି ଅନେକ ପରାମର୍ଶ ଦେଇଛନ୍ତି ।