ଭୁବନେଶ୍ୱର: ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ବଡିଭୋର ରୁ ପୁରୀ ଯାଇ ୪.୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ସହ ପୁନରୁଦ୍ଧାର ସମୟରେ ମଠ ଗୁଡିକର ଇତିହାସ ଓ ପରମ୍ପରା କୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗ ରେ କାମ କରିବାକୁ ପରାମର୍ଶ ଦେଇଥିଲେ ।
ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଯିବ । ସ୍ଥାନୀୟ ଲୋକ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ । ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ଯେପରି ସ୍ୱଚ୍ଛନ୍ଦରେ ମନ୍ଦିର ରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତା କୁ ଅବରୋଧ ମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ପାଖରୁ ବିଭିନ୍ନ utilities ଗୁଡିକ ର ସ୍ଥାନାନ୍ତର ,ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।
ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ମଧ୍ୟ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ,ଏସପି, ଓବିସିସି ଏମଡି କାର୍ଯ୍ୟକାରୀ ଏଜେନ୍ସୀର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରି ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିଛନ୍ତି ।